STORYMIRROR

Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ସବୁଥର ପରି

ସବୁଥର ପରି

1 min
321

ସବୁଥର ପରି ତୁମେ ଆସ ମୃଣ୍ମୟୀ ମୂର୍ତ୍ତିରେ

ଶାରଦୀୟ ଲଘୁଚାପର ମେଘୁଆ ଆକାଶ ତଳେ

କିଛି ଭୟ ଓ କିଛି ଉଲ୍ଲାସର ସନ୍ଧି କ୍ଷଣରେ

ଉଜାଗର ହୋଇଯାଏ ଅନେକ କିଛି ଉଜୁଡ଼ା ସ୍ମୃତିର ଚିହ୍ନ

ପ୍ରକୃତି ବି ସଜେଇ ହୁଏ ଧରି କେତେ ରକମର ବର୍ଣ୍ଣ

ନବରାତ୍ରୀର ଉତ୍ସବରେ ହସ ଫୁଟେ ପ୍ରତିଟି ଅଧରେ। 


ସବୁଥର ପରି ତୁମେ ଉଭା ହୁଅ ପୂଜା ମଣ୍ଡପରେ

ପ୍ରକମ୍ପିତ ହୁଏ ଧୂଳିରୁ ଆକାଶ ଯାଏଁ ଆତ୍ମହରା ଚଣ୍ଡୀପାଠରେ

ଅନେକ ଆଖି ଓଦା ହୁଏ ଭକ୍ତିର ବିଭୋରତାରେ

କିଛି ଅହଙ୍କାର ଯଥାପୁର୍ବ ମୁଣ୍ଡଟେକି କରନ୍ତି ପ୍ରଳାପ

ଧାଡ଼ିରେ ଓ ଭିଡ଼ରେ ଆତ୍ମପ୍ରକାଶ କରେ ଲୁକ୍କାୟିତ ପାପ

ତୁମେ ଥାଅ କିନ୍ତୁ ବାରି ହୋଇପଡ଼ କିଛି ସାତ୍ଵିକ ଉପବାସର ମୁଗ୍ଧ ମହକରେ। 



ସବୁଥର ପରି ତୁମେ ଆସ ଖଡ୍ଗ ତ୍ରିଶୁଳ ଆଦି ଦିବ୍ୟ ଅସ୍ତ୍ର ଧରି

ସିଂହବାହନେ ପୁଣି ମହିଷାର ବକ୍ଷ ବିଦ୍ଧ କରି

ପୀଡିତ ହୃଦୟର ଆକୁଳ କ୍ରନ୍ଦନ ଶୁଣି ଅଧର୍ମର ମୂଳ ନାଶକରି

ତୁମେ କଣ ଶୁଣିପାର ନାହିଁ ପ୍ରକମ୍ପିତ ହେଉଥିବା ଅସଂଖ୍ୟ ମହିଷାର ସ୍ୱର

ଅସଂଖ୍ୟ ହୃଦୟରେ ଲୁକ୍କାୟିତ ଆସୁରିକ କୁତ୍ସିତ ବାସନାର

କିନ୍ତୁ ତୁମେ ଫେରିଯାଅ ବିଦାୟ ଦଶମୀ ପରେ ମଣ୍ଡପ ଓ ହୃଦୟକୁ ପୁନଃ ଶୁନ୍ୟ କରି। 



ଲାଗେନା କିଛି ବଦଳିଲା ପରି ସବୁକିଛି ରହିଥାଏ ଯେମିତି ସେମିତି

ନାରୀଟିଏ ହୁଏ ନିର୍ଯାତିତା ଅଟ୍ଟହାସ୍ୟ କରେ ଆସୁରି ପ୍ରବୃତ୍ତି

ଚର୍ମଚକ୍ଷୁରେ ମୋର ଦିଶେନାହିଁ ପାର୍ବଣର କିଛି କରାମତି

ବାସ୍ ଏକ ମହୋତ୍ସବ ସରିଯାଏ ଭିଡ଼ ଓ କୋଳାହଳରେ

ଥିଲାବାଲାର ଆନନ୍ଦରେ ଓ ଅଭାବୀର ସ୍ୱାଭାବିକ ଲୁହରେ

ତୁମେ କଣ ଏମିତି ଆସୁଥିବ ଏଇ ନିର୍ଦ୍ଦିଷ୍ଟ ତିଥିରେ ବାସ୍ ହୋଇ ଏକ ଆହୂତା ଅତିଥି !


Rate this content
Log in

Similar oriya poem from Tragedy