"ଅସ୍ପୃଶ୍ୟା!!!"
"ଅସ୍ପୃଶ୍ୟା!!!"


ସୃଷ୍ଟି ପାଇଁ ଯାହାର ସୃଷ୍ଟି,
ସେ ସ୍ରଷ୍ଟା ପାଇଁ କାହିଁଏ' ଘୃଣ୍ୟ ଦୃଷ୍ଟି!!!
ବସୁଧା ଶରୀରେ ଯେପରି ଋତୁଚକ୍ର ସତ୍ୟ,
ମୋ ଶରୀରର ଋତୁସ୍ରାବ ସେହିପରି ଯେ' ସତ୍ୟ ।
ଧରାକୁ ବର୍ଷାଧାରା ଯୋଗ୍ୟା କଲା ପରି,
ମୋ ଶରୀରେ ତା ଆଗମନ ଯାଏ,ମତେ ଯୋଗ୍ୟା ।
ମଳି-ମଳିଛ ଯେ ସବୁ ଧୋଇ ଗଲା ପରି,
ରୁଧିର ମୋ ଧୋଇ ନିଏ ଯାହା ଅଦରକାରୀ ।
ଯୋଗ୍ୟା ହେବା ପାଇଁ ଯେପରି କର୍ଷଣ ସେ ସହେ,
ଯୋଗ୍ୟା ହେବା ପାଇଁ ମୁଁ, ବି କଷ୍ଟେ ସପ୍ତେ ରହେ ।
କଷ୍ଟ ସହି ହେଲା ପରି ସେ ,ମାତା ବସୁନ୍ଧରା,
କଷ୍ଟ ସହି ହୁଏ ମୁଁ ରମ୍ୟI,
ମୁଁ ପତ୍ନୀ, ମୁହିଁ ମାତା ପରା ।
ତେବେ କାହିଁକି ଏ ସମାଜରେ ଋତୁସ୍ରାବ ଘୃଣ୍ୟ,
ଜୀବବଳି ଦିଆ ରକ୍ତ ଯହିଁ ଅଟେ, ବଡ଼ ପୁଣ୍ୟ ।
ଅସ୍ପୃଶ୍ୟା ହୁଏ ସେହି ନାରୀ ସମାଜ ଆଖିରେ,
ଯୋଉ ନାରୀ ଦିନେ ପୁଣି ବଂଶ ରକ୍ଷା କରେ ।
ସର୍ବ ଶିକ୍ଷା, ନାରୀ ରକ୍ଷାର ଦେଉଅଛ ବାର୍ତ୍ତା,
ବାର୍ତ୍ତା ସରିଗଲା ପରେ, ନାହିଁ ତା'ର କେହି କର୍ତ୍ତା ।
ପୂର୍ଣ୍ଣାଙ୍ଗ ଶିକ୍ଷା ପାଇଁ ପ୍ରୟାସ ଯେ କର,
ପଢାଅ ମାସିକ ଧର୍ମ କଥା, ଛାଡ଼ ସଂକୋଚ ମନର ।
ଯେଉଁ ଦିନ ଯାଏଁ ତୁମେ, ଶିକ୍ଷା କ୍ଷେତ୍ରରେ ସୁଧାର ନ କର,
ମୟୁରର' ଲୁହ ପିଇ ,ମୟୂରୀ ଅଣ୍ଡା ଦେବା ସାର ।