ସବୁଜ ସ୍ୱପ୍ନ
ସବୁଜ ସ୍ୱପ୍ନ


ଅନିନ୍ଦ୍ୟ ଅଚିନ୍ତ୍ୟ ଅଟେ ମଧୁବନ
ସୁଧାମୟ ସୁନୀଳ ସପନ ।
କି ବର୍ଣିବି ନିକୁଞ୍ଜ ବାଟିକା ଶୋଭା
ଲାଲ ଟୁକୁ ଟୁକୁ ଗୋଲାପର କଳିଟିଏ
ମୋ ଲାଜେଇ ପ୍ରିୟା ।
ସୁମଧୁର ମନୋହାରୀ ତା ଲାଜ ଗୁମାନ
ଅନାହତ ଉନ୍ମେଷ କାଳରୁ
ଆଖିରେ ମିଶାଇ ଆଖି
କରେ ମୋତେ ଅସୁମାରୀ ପ୍ରଶ୍ନ ।
ଦିନେ ଉଷ୍ଣ ଆବେଗରେ ପଚାରିଲି ତାକୁ-
ଅପୂର୍ବ ତୁମ ରସ ଗନ୍ଧ,
କି ସୁନ୍ଦର ଦିଶୁଅଛ ପ୍ରିୟା !
ମୁରୁକି ଟିକିଏ ହସି କଳିଟି କହିଲା- ବାସ୍!
ରହିଯାଅ ପ୍ରିୟତମ ସରିନାହିଁ ପରୀକ୍ଷା ନିରୀକ୍ଷା ,
ସାମାନ୍ୟ ତ ବକ୍ଷ ମୋର ହୋଇଅଛି ସ୍ଫିତ
ପ୍ରତିଟି ମୋ ରଙ୍ଗ ପାଖୁଡା ବାସି ଚହଟିବା ପାଇଁ
ଲୋଡ଼ା ତୁମ ସହଯୋଗ ବନ୍ଧ
ୁ ,
କେଇଦିନ ମାତ୍ର ଆଉ ସିଞ୍ଚିଦିଅ ଜଳ
ଯତ୍ନ ନିଅ, ଉପଯୁକ୍ତ ଉର୍ବରକ ଖତମାଟି ଦିଅ ।
ପ୍ରଭାତର ସୁନେଲି କିରଣେ
ହସୁଥିଲା ସନ୍ତର୍ପଣେ ଦିନେ
ଖିଲି ଖିଲି ଗୋଲାପର ରାଣୀ,
ଇସାରାରେ କହିଲା ସେ ମୋତେ-
କଅଣ ଭାବୁଛ ସାଥି
ଏଇ ମୋର ରଙ୍ଗ ରୂପ ନୁହଁ ଚିରନ୍ତନ,
କୀଟ ଦ୍ରଂଷ୍ଟ ହୋଇ ମୁଁ ଝଡ଼ି ଯିବା ଆଗୁ
ପାରୁଛ ତ ମୋତେ ତୋଳି ନିଅ
ଓଁକାରୁ ମୋ ଜୟମାଲ୍ୟ
ପ୍ରେମ ମୂର୍ତ୍ତି ରାଧେକୃଷ୍ଣ ନାମ ।
ଫୁଲ ମନ କୋମଳ ପରଶେ
ପୁଲକିତ ମନ ପ୍ରାଣ ମୋର,
ପ୍ରେମ ଅଟେ ସାର୍ଥକତା
ସତ୍ୟ ଶିବ ସୁନ୍ଦର ଜୀବନ
ଗାଉଛି ମୁଁ ଗାଉଥିବି ସଦା
ରାଧାକୃଷ୍ଣ ଭକ୍ତି ସ୍ତୁତି ପ୍ରେମ ଜୟଗାନ ।