ସ୍ବପ୍ନ
ସ୍ବପ୍ନ
ଜୀବନ ନଦୀର ଉଦାସିଆ ତୀରେ
ଶୁଭୁଛି କରୁଣ ଗୀତି,
ହୃଦୟେ ଜଳୁଛି ଯନ୍ତ୍ରଣାର ଅଗ୍ନି
ମନେ ନିରାଶାର ତାତି l
ସମୟ ଶୀତଳ ବିନ୍ଦୁ ହୋଇ କେବେ
ଖସିବ ଉତ୍ତପ୍ତ ଗାତ୍ରେ,
ତୃଷିତ ଓଠରେ ପୁଟିବ ମହ୍ଲାର
ଝରିବ ଜୀବନ ପାତ୍ରେ l
ଧରାରୁ ହଜିବ ନିଦାଘର ମାୟା
ଶ୍ରାବଣର ସୁଷମାରେ,
ଜୀବନ ଛୁଇଁବ ଶାନ୍ତି ମୋଉସୁମି
ପ୍ରଭୁଙ୍କର ଆଶିଷରେ l
ଆନନ୍ଦର ବଂଶୀ ବାଜିବ ଅଧୀରେ
ମନ ଯମୁନାର କୂଳେ,
ବିଦାୟ ନେବ ଏ ଦୁଃଖର ସମୟ
ଧୈର୍ଯ୍ୟ ବିଶ୍ୱାସ ବଳେ l
ସଭିଙ୍କ ମୁଖରେ ଦେଖାଦେବ ପୁଣି
ପ୍ରେମର ରଶ୍ମି ରେଖା,
ଭଲପାଇବାର ବେଳାଭୂମି ପରେ
ପ୍ରିୟଜନେ ହେବ ଦେଖା l