ସ୍ବପ୍ନ
ସ୍ବପ୍ନ
ଆଖି ପଲକରେ ଭରିଯାଏ ଯେଉଁ
ସୁନ୍ଦର ଭାବର ଛବି,
ମାନସ ପଟରେ ଆଙ୍କି ହୋଇଯାଏ
ପ୍ରକାଶଇ ସମ, ରବି
ସ୍ବପ୍ନ ଅଟେ ସେଇ ପ୍ରତିଛବି ନାମ
ଉନ୍ମାଦନା ଦିଏ ଭରି,
ଭରିଦିଏ କେବେ ରଙ୍ଗ ଏ ଜୀବନେ
କେବେ ଯାଏ ଅପସରି
କେବେ ସେ ଝରାଏ ଆଖିରୁ ଲୋତକ
ଦୁଃଖ କିଛି ସାଥେ ନେଇ,
ଆସେ କେବେ ସିଏ ମୁଦ୍ରିତ ନୟନେ
କେବେ ଖୋଲା ଆଖି ଦେଇ
ସ୍ବପ୍ନ ଅଟେ ପୁଣି ଖିଆଲି ମନଟେ
ସତେ କି ଅଳକା ନନ୍ଦା,
ଅଟେ ପୁଣି ସେଇ ସଜ ଫୁଟା ଫୁଲ
କେବେ ସେ ରଜନୀଗନ୍ଧା
ସ୍ବପ୍ନ କେବେ ସତ ହେଉ କି ନ ହେଉ
ଲାଗେ ଭଲ ଦେଖିବାକୁ,
ସ୍ମୃତି ଅଟେ ସ୍ବପ୍ନ କଳ୍ପନା ବି ସ୍ବପ୍ନ
ଜୀବନ ରଙ୍ଗେଇବାକୁ
