ସଭିଙ୍କ ଆଗରେ କହୁଛୁ ଖୋଲି
ସଭିଙ୍କ ଆଗରେ କହୁଛୁ ଖୋଲି
ହେଇ ଦେଖ ତେଣେ ରଡ଼ମଡ଼ ହୋଇ
ଭାଙ୍ଗିଲା ଯାମଳାର୍ଜ୍ଜୁନ,
ତା' ମୂଳରୁ କାହ୍ନା ଗୁରୁଣ୍ଡି ଆସୁଛି
ନାହିଁ ଡର ଭୟ ଚିହ୍ନ ।
ଇଏ ପରା ବଡ଼ ବିଚିତ୍ର କଥା
ହୃଦ ଟୁକୁଡ଼ାକୁ ଦଉଡ଼ିରେ ବାନ୍ଧି
ରଖିଲେ କେମନ୍ତେ ଯଶୋଦା ମାତା ।
ଅଭିଯୋଗ କଲେ ଗୋପାଳୁଣୀ ବୋଲି
ରାଗରେ ସେ ଦେଲେ ରୋଳରେ ବାନ୍ଧି,
ରୋଳ ଟାଣି ଟାଣି କହ୍ନେଇ ମିଳିଲା
ଏହି ଯାମଳା ଅର୍ଜ୍ଜୁନର ସନ୍ଧି ।
ଆଣ୍ଟ କରି ଯେହ୍ନେ ଦେଲା ସେ ଟାଣି
ଦୁଇଟି ଗନ୍ଧର୍ବ ଯୋଡ଼ହସ୍ତ ହୋଇ
କହିଲେ କାହ୍ନାକୁ ଅପୂର୍ବ ବାଣୀ ।
ଏଡ଼ିକି ବକଟେ ଛୁଆ ସିନା ସିଏ
ରଖିଛି ଆମକୁ ବିପଦୁ କେତେ,
ମନା କରିଲେ ବି ଯାଚିକି ଖୁଆଏ
ଗୋରସ ଲବଣୀ ଯାହାକୁ ଯେତେ ।
ତାହା ପରି ସଖା ପାଇଛୁ ବୋଲି...
ନିଜକୁ ତ ଆମେ ଧନ୍ୟ ମଣୁଅଛୁ
ସଭିଙ୍କ ଆଗରେ କହୁଛୁ ଖୋଲି ।
କହ୍ନେଇ ଆମର ସୁରକ୍ଷିତ ଥିଲେ
ଆମ ଚିନ୍ତା କିଛି ନାହିଁ,
ବୁଝି ସାରିଅଛୁ ସବୁ ଭଲ ଚିନ୍ତା
କରେ ସେ ଆମରି ପାଇଁ ।
ଶୁଣିବୁନି ତା'ର ବିରୋଧେ କିଛି--
ସିଏ ତ ଆମର ସଖା ସହୋଦର
ରକ୍ଷାକର୍ତ୍ତା ବୋଲି ଭରସା ଅଛି ।
