ସଭା
ସଭା
ବଢ଼ି ଭୋରରୁ କୁଆକୁ ଦେଖି
କୁମ୍ବାଟୁଆ ରଡ଼ି ପକାଏ ଶେକି ।
କୁହଇ ଭାଇନା ଶୁଭ ସକାଳ
ଡାମରା କୁହଇ ପଡିଲା କାଳ।
ଦେଖିଲେ ତତେରେ ଲାଗଇ ରାଗ
କାହିଁ ପାଇଁ ଉଠି ଆସିଲୁ ଆଗ ।
ଦିନ କାଳ ଦେଖି ଗହ୍ମା ପୁନେଇ
ଉଠି ପଡ଼ି କହୁ ମଣି କିମ୍ପାଇଁ।
କୁମ୍ଭାଟୁଆ କହେ ଭାଇନା ଶୁଣ
ତୁମେତ ଜାଣିଛ କୋଇଲି ଗୁଣ।
ଛଅ ମାସ ତାର ଫିଟେନି ଗଳା
ମତେ କୁହେ ଏବେ ଆସର ଚଲା।
ତୁମେ ମୋର ଗୁରୁ ମୁଁ ତୁମ ଚେଲା
ତୁମକୁ ସଭାରେ ମୁଖିଆ ଭଲା।
ସଭାପତି ହୋଇ ଭାସିବ ହାଲି
ଗଞ୍ଜା, ପାରା, ସବୁ ମାରିବେ ତାଳି।
ଡାମରା କହିଲା କୋଇଲି ପାଇଁ
କୁମ୍ବାଟୁଆ ରଡ଼ି ଦେଉଛୁ ଧାଇଁ।
ଆଜିକାଲି ସଭା ସମିତି ମାନ
ଯିବାକୁ ସେଥିରେ ଦେଉନି ଧ୍ୟାନ।
ଢାଉକ ମାନଙ୍କ ଦୋମୁହାଁ କଥା
ଛାଡେ କହିଲେ ମୁଣ୍ଡକୁ ବ୍ୟଥା।
କୋଇଲି ବାସରେ ମୋ ଛୁଆ ମାନେ
ବଢ଼ୁଥାନ୍ତି ସିଏ ପାଳଇ ଧ୍ୟାନେ।
ତାର ମୋର ପ୍ରୀତି ଜାଣନ୍ତି ସର୍ବେ
ଶୁଭ ସକାଳକୁ ପାଳିବା ଗର୍ବେ।
