ସୈନିକର ସ୍ବପ୍ନ
ସୈନିକର ସ୍ବପ୍ନ
ଟୋପି ପିନ୍ଧି ଧରି ବନ୍ଧୁକ ହାତେ
ଜୋତା ମୋଜା ଦିଶେ ସୁନ୍ଦର କେତେ
ଖାକି ପୋଷାକକୁ ପିନ୍ଧି ବାହାରେ
ମନ ତାର ପୁରି ଉଠେ ଗର୍ବରେ ।
ପିଲାଦିନୁ ସେ ଶୁଣିଛି ବହୁତ
ଦେଶ ଦଶ ବିନା ଜୀବନ ବ୍ୟର୍ଥ
ଯେତେଦିନ ଅଛି ପିଣ୍ଡରେ ପ୍ରାଣ
ଦେଶ ସେବାରେ ବିତି ଯାଉ ଜୀବନ ।
ଡକା ଦେଲେ ଶତ୍ରୁ ସୀମାନ୍ତ ପରେ
ଜାଗ୍ରତ ପ୍ରହରୀ ସେ ଜାଗେ ସତ୍ୱରେ
ଲଢ଼ୁଆ ସୈନିକ ହାରିବା ଜାଣେନି
ଶତ୍ରୁ ବନ୍ଧୁକକୁ ଭୟ କରେନି ।
ମା କୋଳ ଛାଡ଼ି ଆସିଛି ଧାଇଁ
ବାପର କାନ୍ଧରୁ ଓହ୍ଲାଇ ଯାଇ
ବନ୍ଧୁ ବାନ୍ଧବଙ୍କୁ ଛାଡ଼ି ପଛରେ
ଆସିଛି ଦେଶ ପାଇଁ ରହି ଆଗରେ ।
କେତେ ସ୍ବପ୍ନ ନେଇ ଆଖିରେ ତାର
ମୁଣ୍ଡାଇଛି ଦେଶ ସୁରକ୍ଷା ଭାର
କାନ୍ଧରେ ଲଦି ଦେଶ ରକ୍ଷା ସପନ
ସୈନିକ ସେ ସଦା ବେଳେ ମହାନ ।
ସବୁ ସ୍ବପ୍ନ ସେ ଯେ ଭୁଲି ଯାଇଛି
କେବଳ ଦେଶ କଥା ସେ ଭାବିଛି
ଦେଶ ମା ର ରକ୍ଷା କରିବା ପାଇଁ
ଜୀବନ କେବେ ବଡ ଲାଗଇ ନାହିଁ ।
ମା ବାପାଙ୍କ ନାମ ଉଚ୍ଚା କରିବ
ସ୍ଵପ୍ନ ଦେଖେ ଜନ୍ମ ସାର୍ଥକ ହେବ
ଯେତେଦିନ ବଂଚିବ ଏ ଦୁନିଆରେ
ମୁଣ୍ଡ ଉଠାଇ ଚାଲିବ ଗର୍ବରେ ।
ଯେଉଁଦିନ ଶେଷ ନିଃଶ୍ୱାସ ନେବ
ଦେଶ ମାଟିରେ ସହୀଦ ହୋଇବ
ସ୍ଵପ୍ନ ତା ତିରଙ୍ଗା ଉଡ଼େଇବ ନଭେ
ଦେଶ ନାମ ତା ବିଶ୍ଵ ସଗର୍ବେ ନେବେ ।