Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gyanaranjan Sahoo

Inspirational

5.0  

Gyanaranjan Sahoo

Inspirational

ସୈନିକର ଅନ୍ତଃସ୍ବର

ସୈନିକର ଅନ୍ତଃସ୍ବର

3 mins
13.4K


କାଲି ପୁନେଇଁଟା

ଲାଗୁଥିଲା ଦୀପାବଳି ପରି

ଫୁଟୁଥିଲା ଗୁଳି ଗୋଳା ତୋପ ବନ୍ଧୁକ ମୁନରୁ

ଆକାଶରେ ତାରା ମାଳ ପରି

ସୀମା ସରହଦର ରକ୍ତାକ୍ତ ଭାବ ବିନିମୟ

ପ୍ରତି ସୈନିକର ଜୀବନରେ

ଏହିପରି ଚାଲେ ଅହରହ ।


କେତେ ଉଜାଗର ରାତି

ଗଲାଣି ଯେ ବିତି

ମାତୃଭୂମିର ସୁରକ୍ଷା ପ୍ରଣ ନେଇ

ପଥର କରିଛି ମୁଁ ଛାତି

ଅବିଚଳିତ ବୀର ଗତି ପ୍ରାପ୍ତି ପଦାଙ୍କରେ

ଲହୁ ଲୁହାଣ ଶହୀଦର ନଥି

ପଢ଼ି କେ ପାରିବ ଚଢ଼ି

କୁଢ଼ କୁଢ଼ ଅବଶୋଷର ପାହାଡ଼

ମାଟିରେ ମିଶିଥିବା ପୂର୍ବଜଙ୍କ

ଚିହ୍ନା ଚିହ୍ନା ସପନ ଉପରେ

ନିଜକୁ ପ୍ରତିକ୍ଷଣ ଦେଖି ।


ଦେଶ ମାତୃକାର ସେବା ପାଇଁ

ଉତ୍ସର୍ଗ ଏ ଶିର

ମନରେ ମୋ ନାହିଁ ଭ୍ରାନ୍ତି

ଅବା ଜୀବନକୁ ଡର

ପର୍ବତ ବନାନୀ ନଦୀ ହିମ କନ୍ଦରରେ

ଥର ଥର ଶୀତ ଅବା ମୂଷଳ ବର୍ଷାରେ

ସାମୁଦ୍ରିକ ଝଡ଼ ମାଡ଼ ଆକାଶର ଅଗ୍ନିବର୍ଷୀ ଡେଣା ସନ୍ଧାନରେ

ତପ୍ତ ମରୁବାଲି ପରେ ଯେବେ ତଣ୍ଟି ଶୁଖଇ ଅଧିରେ

ପ୍ରାଣକୁ ଲଗାଇ ବାଜି

ଜାଗ୍ରତ ପ୍ରହରୀ ସାଜେ ଦୃଢ଼ ଚେତନାରେ

ତ୍ୟାଗ ସାହସ ବଳିଦାନ

ଆମ ଜୀବନର ସ୍ବର

ଜପ ତପ ବ୍ରତ ଆମ

'ଜୟ ହିନ୍ଦ୍'ର ପୁକାର ।


ବୁଝିଛ କି କେହି କେବେ

ଏକ ସୈନିକର ବ୍ୟଥା

ଅଳପରେ ସନ୍ତୁଷ୍ଟ ରହି

ବିକେନି ସେ ମଥା

ଘରବାର ସ୍ତ୍ରୀ ପୁତ୍ର

ଦୁହିତାଙ୍କ ପ୍ରେମ କେ ନ ବାଞ୍ଛେ

ପିତାମାତା ଭଗିନୀ ଭ୍ରାତା ସ୍ନେହ

ଅତି ଦୂରେ କରୁଥାନ୍ତି ରଡି

ପ୍ରତିଦିନ ପ୍ରଶ୍ନଝଡ଼ ଭାଙ୍ଗଇ ଲହଡ଼ି

ତା' ଭିତରେ ଶତ୍ରୁସେନା କରି ପ୍ରତିହତ

କର୍ତ୍ତବ୍ୟ ପଥରେ ନିତି ଯାଉଥାଏ ମାଡ଼ି

ଜୁଝୁଥାଏ ନିଜ ସଙ୍ଗେ ବଳକା ମୁହୁର୍ତ୍ତ

ଘର ସଂସାର ସମାସ୍ୟାର ଘଡ଼ି

ମାପୁଥାଏ ସାର୍ଥକତା

ଜୀବନ ରଥ ଯାଏ ଗଡ଼ି ।


ଲଢ଼େଇ କି କହିପାରେ

ଆସନ୍ତା କାଲିର ହାର ଜିତ୍ କଥା

ଦେଇ ନପାରଇ ଉତ୍ତର

ପାଇ ପୁତ୍ର ଜନ୍ମର ଖବର

ଚିରନିଦ୍ରା ଯଦି ଯାଏ ହସ୍ତେ ପାମର ଶତ୍ରୁର

ମୁହଁ ନଦେଖି ପାରଇ ଜୀବନେ ପୁତ୍ରର

ଅନାଥ ସଜାଇଦେଇ ତାହାକୁ ଦାଣ୍ଡର ।


ହଜିଯାଏ କେବେ ପୁଣି

ଆଶାବାଡ଼ି ପିତାମାତାଙ୍କର

ଅସଜଡା ରହିଯାଏ

ବୁଢ଼ା ବୟସରେ ଚଷମାର ଡୋର

ନବବଧୂର ଅଳତା ପାଦରେ ପାଉଁଜିର ବିରହର ସ୍ବର

ପ୍ରେମିକାକୁ ଲୁଚିଛପି ମିଶିଥିବା ଉପବନ ଦ୍ବାର

ସୁନ୍ଦର ନୀଡ଼ଟିଏ ଗଢ଼ିବାର ଲଗ୍ନ ତିଥି ବାର

ଅପେକ୍ଷାରତ ଉଦ୍-ବିଗ୍ନତା ଆସନ୍ନ ଛୁଟିର

ଆଶାରେ ରହିଯାଏ ଯେବେ ହଜାଇ ସିନ୍ଦୁର

ବିଦୀର୍ଣ୍ଣ କରେ ତନୁମନ

ସପନକୁ କରି ଚୁର୍ ମାର

ବିଳପି ଉଠଇ ଜଗତ

ଚାରିଦିନର ଶୋକ ପାଳନରେ

ଆମରଣ ଜଳେ ଅଭିସାର

ଜୁଡୁ ବୁଡୁ ସିକ୍ତ ବେଦନାରେ ।


ଭଉଣୀର ରାକ୍ଷୀ ଡୋର ବିବାହର ଭାର

ତା' ଜୁଇରେ ଯେବେ ପଡ଼ିଯାଏ ଡେଇଁ

ଶିଥିଳ କରିପକାଏ ବନ୍ଧୁ ପରିବାର

ପାଗଳର ମନ ନେଇ ଗ୍ରହାଣୁପୁଞ୍ଜ ପରି

ମଲା ସୂର୍ଯ୍ୟ ପରିକ୍ରମା ଅସମ୍ଭବ ବରି ।


ସବୁକଥା ମନେ ସ୍ମରି ହେଉଥାଏ ଝୁରି

ଛୁଟି ମଞ୍ଜୁର ଖୁସିରେ ମନେ ଦିଏ ମାରି

ହର୍ଷ ଉଲ୍ଲାସେ କାଟିବାକୁ ଧାଏଁ ନିଜପୁରି

ଗାଁ ମାଟି ପାଣି ପଵନ ଭିତରେ

ସ୍ବଜନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ପାଇବାରେ

ବାହୁଡ଼ିବା ଦିନ ଆସେ ଦିନ କେଇଟାରେ

କାନ୍ଦୁଥାନ୍ତି ପିଲାଛୁଆ ଉଚ୍ଚେ ରଡି କରି

ଓଗାଳନ୍ତି ବାଟ ମୋର ଗୋଡ଼ ହାତ ଧରି

ହୃଦ ବିଦାରକ ମୁହୁର୍ତ୍ତ ସେ କିଏ ଜାଣିବ କି ପାରି ?

ବିବଶ ଗୃହିଣୀ ମୋ ଭିଡ଼ିନିଏ ପିଲାଙ୍କ ଡେଣା ଧରି

ଲୁଚାଇ ପାରେନା ଆଖିର ଅବାରିତ ବାରି

ତୁରିତେ ଫେରିବି ଛୁଟିରେ ମିଛ ଆଶା ଦିଏ ଭରି

ଗାଁ ଦେବତୀଙ୍କ ଆଶୀଷ ତାଙ୍କ ପାଇଁ ଭିକ୍ଷା କରି

ଭାରତମାତାକୁ ସୁମରି ମନକୁ ଦମ୍ଭ ନିଏ କରି

ବାପା ମାଆ ସାଇ ପଡ଼ିଶା ଦୁଃଖେ ହୁଅନ୍ତି ବିଦାରି

ଆଉ ଥରକୁ ଦେଖା ହେବ କି ନହେବ

ସମ୍ଭାବନାକୁ ଏଡ଼ାଇ ନପାରି ପ୍ରତିଥର ପରି ।


ବାଟେଇ ଦିଅନ୍ତି ସାଙ୍ଗସାଥି

କିଛି ଦୂର ଆସି

ଦୂରେଇ ଯାଆନ୍ତି ଆଖିରୁ ଧିରେ ଧିରେ

ଜୀବନ ପଥର ଆତ୍ମୀୟ ସରସୀ

ଦେଶ ମାଟିର ଆହ୍ୱାନ ମୁଣ୍ଡେ ଯାଏ ବସି

ଜୀବନଟା ତା'ପାଇଁ କଣ୍ଟ କରିଛି ମୁଁ ହସି

ନିର୍ବାସିତ ରହିବାର ଭାଗ୍ୟ ଧରି

ବିଦ୍ରୋହୀ ଅନ୍ତଃସ୍ବର ଶୋଇପଡେ ରୁଷି ।


ହୋଲି ଦିବାଲୀ ରମଜାନ ବା ଇଷ୍ଟର

ଆନନ୍ଦେ ପାଳୁଛୁ ଯେତେ ପର୍ବ ହୋଇ ତତପର

ଚପଳ ଶୈଶବ ଅବା ରଙ୍ଗୀନ ଯୌବନ

ତୁଳିତଳ୍ପ ସୁଖନିଦ୍ରା ବିଳାସବ୍ୟସନ

ବସନ୍ତର ଉପବନେ କୋଇଲିର କୁହୁ କୁହୁ ଗାନ

ଅଳସୀ ଆଖିରେ ଢଳଢଳ ତଲ୍ଲୀନ ସମ୍ମୋହନ

ସପନର ଅଭିଳାଷ ପୂର୍ତ୍ତିରେ ଭଅଁରର ମଧୁର ଗୁଞ୍ଜରଣ

ଖେତରେ ଖୁସିର ଲହରୀ ନଈର କୁଳୁକୁଳୁ ତାନ

ନୁହଁଇ କି ସୈନିକ ଭାଇର ତ୍ୟାଗପୂତ ଜୀବନର ଦାନ ?


ହାଣ ମୁହେଁ ଛିଡ଼ା ସଦା ସୀମାର ପ୍ରହରୀ

ସକଳ ସୁଖ ସ୍ବାଚ୍ଛନ୍ଦ୍ୟ ଘର ପରିବାର ତୋ ନାମେ କରି

ପରାଜୟଠାରୁ ବଳିଦାନ ମଣେ ଶ୍ରେୟସ୍କର

ଅଚାନକ ଶତ୍ରୁ ଯଦି ନିଏ କାବୁ କରି

ଜାଣିବାକୁ ଦେଶ ଗୁପ୍ତ ତଥ୍ୟ

ଜିଅନ୍ତା କାଟଇ ଅଙ୍ଗ ଗୋଟି ଗୋଟି କରି

ତଥାପି ଖୋଲେନା ସେ ମୁହଁ

ବର୍ବର ଅମାନୁଷିକ ଅତ୍ୟାଚାର ସହେ ବାରମ୍ବାର ମରି ।

ହେ ମୋର ପ୍ରିୟ ଦେଶବାସୀ !

ସେ ଚିତ୍କାର କି ଶୁଭୁନାହିଁ କର୍ଣ୍ଣେ ?

ମନରୁ କି ଦେଉଛ ପାଶୋରି ?


ସକଳ ବଳିଦାନର ଦେବଦୂତ

ଭିଟାମାଟି ଫେରେ ଯେବେ ମାଟି ପିଣ୍ଡୁଳାଟି ପରି

ତ୍ରିରଙ୍ଗା ଘୋଡ଼ାଇ ହୋଇ ସାଙ୍ଗସାଥିଙ୍କ କାନ୍ଧରେ

ଆଣିଥାଏ ଦୁଃଖର ପାହାଡ଼ ଚାଲେ ଘରେ ଲଦି କରି

ଧନ୍ୟ ସେହି ପିତାମାତା ପୁତ୍ରୀ ପୁତ୍ର ନାରୀ

ଦେଶପ୍ରେମର ଆହୁତିରେ କିଏ ହେବ ତାଙ୍କ ସରି

ତ୍ରିରଙ୍ଗାକୁ ସଲାମ କରି ବାଜେ ତୂରୀ ଭେରି

ଅଜର ଅମର ରହୁ ତୋ ବୀରତା ଶଉରି

ଦେଶ ଜାତିର କଲ୍ୟାଣରେ ସମର୍ପିତ ଶୂରୀ

ସଲାମ କରଇ ଏ ଦେଶ ତୋ ତ୍ୟାଗ ବଳିଦାନ ସ୍ମରି

ଗଗନେ ପବନେ ପ୍ରକମ୍ପିତ ହୁଏ 'ଜୟ ଜବାନ'ର ହୁରି

ଅପସରିଯାଏ ଅନ୍ତଃସ୍ବର ସେହି ଗୌରବକୁ ବରି ।


ଜୟ ଜବାନ୍ । ଜୟ ହିନ୍ଦ୍ ।


ଜ୍ଞାନରଞ୍ଜନ ସାହୁ

ଦୂରଦର୍ଶନ, କଟକ

ଓଡ଼ିଶା ।


Rate this content
Log in