ସାଉଁଟା ଫୁଲ
ସାଉଁଟା ଫୁଲ
ଦିଗହଜା ହେଇ ଘୂରି ବୁଲୁ ଥିଲି
ପାଇ ମୁଁ ନ ଥିଲି ରାହା
ଏ ସାଉଁଟା ଫୁଲ ଭରିଲା ଜୀବନ
ହୋଇଲା ସେ ମୋର ସାହା ।
ସାହାରା ହେଇ ସେ ଦେଖାଇଲା ପଥ
ଧରି ନେଲା ହାତ ମୋର
ସ୍ନେହ ମମତାରେ ବାନ୍ଧି ଦେଇଗଲା
ବନ୍ଧୁତ୍ବ ବିଶ୍ୱାସ ଡୋର ।
ଶିଖିଲି ତାଠାରୁ ନିଃସ୍ବାର୍ଥପର ମୁଁ
ପରୋପକାର ଗୁଣ
ଦୁଃଖ ସୁଖ ସିଏ ସବୁ ବୁଝିପାରେ
ଦେଖେନା କାହାର ଖୁଣ ।
ସମସ୍ତଙ୍କୁ ସିଏ ନିଜର ଭାବଇ
ନ ଥାଏ ଆପଣା ପର
ଗୋଟିଏ ସୂତାରେ ସଭିଁଙ୍କି ଗୁନ୍ଥେ ସେ
କରେ ନା କାହାକୁ ଦୂର ।
ଦୁଃଖର ସୁଖର ସାଥିଟିଏ ସିଏ
ତା ପରି କିଏ ବା ହେବ
ସବୁ ଦେଖି ସିଏ ସବୁ ଜାଣି ମଧ୍ୟ
ନୀରବରେ ସହୁ ଥିବ ।
କାହାକୁ ସେ ଅପମାନ କରେ ନାହିଁ
ରଖେ ସବୁରି ସମ୍ମାନ
ତାକୁ ନ ବୁଝିଣ କେବେ ପୁଣି ଆମ
ମନେ ଆସେ ଅଭିମାନ ।
ତା ପାଖରେ ଧନୀ ଗରିବ ନ ଥାଏ
ନ ଥାଏ ଯେ ରାଜନୀତି
ଭାଙ୍ଗିଲେ ନିୟମ ତଥାପି ସେ ସହେ
ସୁଯୋଗ ଦିଏ ସେ ଅତି ।
କେତେ କେତେ ବନ୍ଧୁ ପାଇଛି ମୁଁ ଏଠି
ଅସରନ୍ତି ତାଙ୍କ ସ୍ନେହ
ଭୁଲି ତ ହେବନି ସେ ଭଲ ପାଇବା
ରହିଛି ବହୁତ ମୋହ ।
ଗର୍ବ ଅହଂକାର ନାହିଁ ତ କାହାର
ସଭିଁଏ ଆମ ନିଜର
ସାଉଁଟା ଫୁଲରେ ଏକାଠି ହେଇଛୁ
ହସେ ଆମ ପରିବାର ।
ସ୍ନେହ ମମତାରେ ବାନ୍ଧି ହେଇଅଛୁ
ଆମେ ତ ଭଉଣୀ ଭାଇ
ଗୋଟିଏ ଜୀବନ ଗୋଟିଏ ଯେ ଆତ୍ମା
ରହିଥିବୁ ଏକ ହୋଇ ।
ଅତୁଟ ରହିବ ଏ ସ୍ନେହ ବନ୍ଧନ
ମନରେ ନ ହେଲେ ଗର୍ବ
ମୁଁ ଭାବ ଯେବେ ଦୂରେ ଚାଲି ଯିବ
ଚିରସ୍ଥାୟୀ ରହି ଥିବ ।
କେତେ ଜ୍ଞାନୀ ଗୁଣି ରହିଛନ୍ତି ଏଠି
ସାହିତ୍ୟ ସାଧନା କରି
ତାଙ୍କରି ସାହାରେ ପାର ହେଉଥାଏ
ମୋର ଏ ସାହିତ୍ୟ ତରୀ ।
ସମସ୍ତେ ଅଟନ୍ତି ସାହିତ୍ୟର ଖଣି
କେତେ ତାଙ୍କ ଭାଷା ଜ୍ଞାନ
ତାଙ୍କ ତୁଳନାରେ ମୁଁ ତ ମୁରୁଖ
ରଫ୍ ଖାତା ଠାରୁ ହୀନ ।
ତାଙ୍କରି ଆଶିଷ ମଥା ପରେ ଥିଲେ
ସେଇ ଖୁସି ହେବ ମୋର
କ୍ଷମା କରିଦେବ ଦୋଷ ଧରିବେନି
କରୁଛି ପାଦେ ଜୁହାର ।
ପ୍ରଭୁ ଜଗନ୍ନାଥ ଦିଅନ୍ତୁ ଆଶିଷ
ମାଆ ହେଉଥାନ୍ତୁ ସାହା
ବିପଦେ ଆପଦେ ସାଥି ହେଇ ଆମ
ଦେଖାନ୍ତୁ ଆମକୁ ରାହା ।
ବାହୁ ଛାୟା ତଳେ ରକ୍ଷା କରୁଥାନ୍ତୁ
ଆମ ସାଉଁଟା ଫୁଲକୁ
ପଣତ ଘୋଡେଇ ରଖିଥାନ୍ତୁ ମାଆ
ସବୁ ଭାଇ ଭଉଣୀଙ୍କୁ ।
ତୁମରି ପାଦରେ ପ୍ରଭୁ ଜଗନ୍ନାଥ
ଆମେ ଆଶ୍ରୟ ନେଇଛୁ
ତୋତେ ଲୋ ଜନନୀ ଭରସା କରିଣ
ଆଗକୁ ବାଟ ଚାଲୁଛୁ ।
ତୁମରି ପାଦରେ ମଥା ନଇଁ ପ୍ରଭୁ
ମାତା କରେ ପ୍ରଣିପାତ
ଯୁଗ ଯୁଗ ପାଇଁ ତୁମ ପାଦ ତଳେ
ଆମେ ହେଇଛୁ ଆଶ୍ରିତ ।