ସାଥୀ
ସାଥୀ
ସାଥୀ ବିନା ଏକା ବଞ୍ଚିବାଟା କଷ୍ଟ
କେତେ ଅନୁଭବୀ ଜାଣେ
ହେଲେ ସେ କଥା ନା ସାଥୀ ତା' ବୁଝେ
ଜଳାଏ ସେ ପ୍ରତିକ୍ଷଣେ ।
ତା' ବିନା ଜୀବନ ତ ଅଧୁରା ହୁଏ
ତା' ପଥ ଚାହିଁ କି ରହିଥାଏ ସିଏ
ହେଲେ ନା ସେ କେବେ ଆସେ ।
ଆଖି ଲୁହେ ଖାଲି ଭାସେ ।
ସିଏ ନାହିଁ ବୋଲି ରୁଷିଛି ଶ୍ରାବଣ
ଭିଜେଇ ପାରୁନି ତାକୁ
ରଙ୍ଗର ଅବିର ଫିକା ପଡିଅଛି
ଭାଙ୍ଗି ପାରୁନି ମାନକୁ ।
ସବୁ ଖୁସି ତା'ର ଯାଇଅଛି ହଜି
ତା' ପ୍ରେମେ ପାଗଳ ହେଇଛି ସେ ଆଜି
ନା ସାଥୀ ଆସେ ତା' ପାଶେ ।
ଖାଲି ଆଖି ପଲକରେ ଦିଶେ ।
ସଥୀ ବିନା କିଛି ଭଲ ତ ଲାଗେନି
ଭୁଲିଯାଏ ଭୋକ ଶୋଷ
କେତେବେଳେ ହସେ କେତେବେଳେ କାନ୍ଦେ
ଛାଡେ ସେ ଦୀର୍ଘ ନିଃଶ୍ବାସ ।
ଭାବନା ରାଇଜେ ବୁଡି ରହେ ସିଏ
କେବେ ପୁଣି ନିଜ ମନକୁ ବୁଝାଏ
ବସି ସେ ମନ ବିରସେ ।
ଅତୀତ ସ୍ମୃତିଟା ଆସେ ।
ସବୁ ଜୀବନରେ ସାଥୀହରା ଅଛି
ଯାଏ ଆଗ ପଛ କିଏ
ଜୀବନର ସାଥୀ ସ୍ବାମୀ ସ୍ତ୍ରୀ ହୋଇ
ଜଣେ ଜଣକୁ ବି ଛାଡିଯାଏ ।
ଶେଷ ଅବସ୍ଥାରେ ସାଥୀହରା ହୁଏ
ଯନ୍ତ୍ରଣାର ଢେଉ ସୀମା ଟପିଯାଏ
ଜୀବ ଯାଏ ବି ନିଃସଙ୍ଗେ ।
ଦୁଃଖ ଲେଖେ ତା'ର ଇତିହାସେ ।
ଛାୟା ପରି ସାଥୀ ଏମିତି ଜୀବନେ
ମିଳିବାଟା କଷ୍ଟ ଥାଏ
ଦେଖିଛକି କେହି କାୟା ଠାରୁ କେବେ
ଅଲଗା ହୋଇଛି ସିଏ ।
ଏମିତି ସାଥୀଟି ଯା' ଜୀବନେ ଆସେ
ତା' ଜୀବନେ ସୁଖ ଶାନ୍ତି ଯେ ବରଷେ
ରହେ ସେ ହୃଦୟ ଦେଶେ ।
ତା' ପାଇଁ ସିଏ ହସେ ।
ଯେବେ ଏମିତି ସାଥୀଟି ଆସେ।
