STORYMIRROR

Biswanath Nayak

Classics

3  

Biswanath Nayak

Classics

ସାଥୀ --------

ସାଥୀ --------

1 min
185


ବିଜନବେଳାର ସାଥୀ

ଆହେ ନିରବତା

ତୁମେ ପରା ଅଟ

ଏକ ଶବ୍ଦହୀନ ବାଣୀ

ଅନନ୍ତ ଆକାଶର

ସେ ତାରାପୁଞ୍ଜ ଭଳି

ନିଶବ୍ଦରେ କହିଯାଅ

ଅନେକ କାହାଣୀ


ସକାଳ ସୂରୁଜ ଉଏଁ

ଆଶାର କିରଣନେଇ

ଉଦ୍ଭାସିତ କରି ତୁମ

ଶାନ୍ତ କାନ୍ତ କମନୀୟ ଆଭା

ପ୍ରକାଶିତ ହୁଅ ତୁମେ

ବୋଧିଦ୍ରୁମ ତଳେ

ଶାନ୍ତ, ସୌମ୍ୟ ବୁଦ୍ଧଙ୍କର

ଅମଳିନ ମୁଖ ମଣ୍ଡଳରେ


ବିତରିଣ ଆଲୋକର ପ୍ରଭା

ରାତ୍ରିର ନିର୍ଜନତାରେ

ଛପି ଛପି ଆସ ତୁମେ

ଭରିବାକୁ ମୋ ଆଖିରେ

ନିଦ ଆଉ ସୁନେଲି ସପନ

ନିର୍ଜନ ବେଳାଭୂମିରେ

ଝାଉଁବଣ ଫାଙ୍କେ ବୁଲି

ଖୋଜ ତୁମେ ବିରହରେ


ଅତୀତର ସେ ଉଜୁଡା

ଯେତେ ପଦଚିହ୍ନ

ଭାବନାର ରୂପ ନେଇ

କବିର କଲମ ମୂନେ

ଆସ ତୁମେ ଲେଖିବାକୁ 

କେତେକଥା କେତେ ଯେ କାହାଣୀ

ପ୍ରେମିକାର ନୟନରୁ 

ବହିଆସ ଏକାନ୍ତରେ


ଅମାନିଆ ଲୁହଧାର ହୋଇ

ବର୍ଣ୍ଣିବାକୁ ପ୍ରେମିକର

ନିରବ ଚାହାଣୀ

ତୁମେ ଆସ

ନବବଧୂ ଓଢଣା ଫାଙ୍କରେ

ଲେଖିବାକୁ ନୂଆ ଏକ

ଜୀବନର ଧାରା

ତୁମେ ଆସ ସ୍ଥପତିର


ନିହାଣ ମୂନରେ

ଭରିବାକୁ ଛନ୍ଦାୟିତ

ନର୍ତ୍ତକୀ ମୁଖରେ

ଉନ୍ମାଦିତ ହାସ୍ୟ ଆଉ

ଲାସ୍ୟର ପସରା

ଜୀବନର ଚଲାପଥେ

ଏକା ଏକା ବାଟୋଇ ମୁଁ

ତୁମ ହାତ ଧରିଚାଲେ


ଲଭିବାକୁ ତୁମର ବନ୍ଧୁତା

ଜୀବନ ଅପରାହ୍ନରେ

ନିସ୍ଵ ଭାବି ମୋତେ

ଭାଇ,ବନ୍ଧୁ ଓ କୁଟୁମ୍ବ

ଛାଡି ଦେଲାପରେ

ଠିଆ ମୁଁ ହୋଇଛି

ଚାହିଁ ଖୋଲା ଆକାଶକୁ

ଥୁଣ୍ଟା ଏକ ବରଗଛ ଭଳି

ମୋ ସାଥିରେ ତୁମେ ଅଛ

ସୁଖ ଓ ଦୁଖଃରେ

ହେ ପ୍ରକୃତ ବନ୍ଧୁ ନିରବତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics