ସ୍ଵାର୍ଥର ମୂଳେ ଧନ
ସ୍ଵାର୍ଥର ମୂଳେ ଧନ
ପାଶେ ଥିଲେ ଧନ ସ୍ତ୍ରୀରି ଗାଏ ଗୁଣ
ଟେକନ୍ତି ସାହି ପଡିଶା
ବନ୍ଧୁ ଓ ବାନ୍ଧବ ହୁଏନି ଅଭାବ
ଧନରେ ସଭିଙ୍କ ଆଶା ।।
ଧନ ଥିଲେ ପାଶେ ସଭା ମୁଖ୍ୟେ ବସେ
ଗାଆଁର ମାମଲତକାର
ଜନତାଙ୍କ ନେତା ସମାଜର ନେତା
ବନ୍ଧୁ ହେବ ଗରିବର ।।
ବାପା କହୁଥିବେ ଗୁଣ ଗାଉଥିବେ
ଶ୍ଵଶୁର ଘରେ ଆଦର
ଶଳାର ଶାଳିର ପ୍ରିୟ ଭିଣୋଇ ସେ
ପ୍ରିୟ ହୁଏ ସ୍ଵଜନର ।।
ପୁଅ କହୁଥିବ ବାପା ମୋର ଭଲ
ଝିଅ କହୁଥିବ ଭଲ
ଦୂର ସମ୍ପର୍କୀୟ ଟେକା ଟେକି କରି
ଗାଲେ ଦେଉଥିବେ ଗେଲ ।।
ସରିଗଲେ ଟଙ୍କା ମୁହଁ କରି ବଙ୍କା
ସଭିଏଁ ଯାନ୍ତି ଦୂରେଇ
ଅଲୋଡା ଆଦେଖା ମଣିଷରେ ଏକା
ଗଣା ହେଉଥାଏ ସେହି ।।
