STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ସାହିତ୍ୟ କୋଣାର୍କ

ସାହିତ୍ୟ କୋଣାର୍କ

2 mins
5


ଶିଳା କୋଣାରକେ ଲୁଚ଼ି ରହିଅଛି

କେତେ ଯେ ଅକୁହା କଥା

ସାହିତ୍ୟ କୋଣାର୍କ ସଦା ଛନ୍ଦାୟିତ

ଶବଦେ ଯେ ନୃତ୍ୟ ରତା ।


ଶବ୍ଦର ଛନ୍ଦରେ ଭାଷା ମାଧୁର୍ଯ୍ୟରେ

ସାହିତ୍ୟ ଯେ ବିଭୂଷିତା

ଭାବ ସାଗର ରେ ଜ୍ଞାନ ଗାରିମାରେ

ସେ ପୁଣି ଅଟେ ବିଦିତା ।


ପଥର କୋଣାର୍କେ ମୂର୍ତ୍ତି କଥା କହେ

ସାହିତ୍ୟ କୋଣାର୍କେ ଶବ୍ଦ

ଶବ୍ଦ ସଂଯୋଜନା, ବିଶେଷ ଭାବନା

ସାହିତ୍ୟ କୋଣାର୍କ ଭେଦ ।


ସାହିତ୍ୟ କୋଣାର୍କେ ଛଳ ଛଳ ନାଦେ

କାବ୍ୟିକ ଝରଣା ବହେ

ଶବ୍ଦ ଚ଼ାତୁରୀର ଅବଗାହନରେ

ଅପ୍ସରା ଯେ ରୂପ ପାଏ ।


ସାହିତ୍ୟ କୋଣାର୍କ ଆଦି ଯୁଗୁ ଆସି

ବର୍ତ୍ତମାନେ ପାଦ ଥାପେ

ସେଇ କୋଣାରକ ମନ୍ଦିର ଅଗଣା

ନୂଆ କଥା କହେ ଆପେ ।


ସାହିତ୍ୟ କୋଣାର୍କେ କେବେ ଆଙ୍କି ହୁଏ

ପ୍ରେମର ସ୍ୱତନ୍ତ୍ର ଭାଷା

କେବେ ପ୍ରକୃତିର ରୂପ ଗାହନରେ

ହୋଇଯାଏ ଯେ ସରସା ।


ସାହିତ୍ୟ କୋଣାର୍କେ କେବେ ଆଙ୍କି ହୁଏ

ଜୀବନ ଯନ୍ତ୍ରଣା ଚ଼ିତ୍ର

କେତେ ଶାସ୍ତ୍ର ଭେଦ ସଂସ୍କୃତି ନିନାଦ

ସାହିତ୍ୟ କୋଣାର୍କେ ସ୍ଥିତ ।


ସାହିତ୍ୟ କୋଣାର୍କ କେବେ ବିମଣ୍ଡିତ

ଜୀବନ ଦର୍ଶନ ସ୍ରୋତେ

କେବେ ସମାଜର ଦର୍ପଣ ହୋଇ ସେ

ଦିଗ୍ ଦର୍ଶନ ଦିଏ ଚ଼ିତ୍ତେ ।


ସାହିତ୍ୟ କୋଣାର୍କେ କେବେ ବିଭୁପ୍ରେମେ

ଶଙ୍ଖ ନାଦ ଯେ କରାଏ

କେବେ ବିପ୍ଳବର ଦୁନ୍ଦୁଭି ବଜାଇ 

ମନରେ ସଂକଳ୍ପ ଭରେ ।


ସାହିତ୍ୟ କୋଣାର୍କ ପ୍ରତିଟି କାନ୍ଥ ଯେ

ଭିନ୍ନ ରଙ୍ଗେ ରଙ୍ଗାୟିତ

ଚ଼ପଳ ଛନ୍ଦରେ କେବେ ଛନ୍ଦାୟିତ

ଗଳ୍ପେ କେବେ ଋଦ୍ଧିମନ୍ତ ।


ଆଲୋଚ଼ନା ଚ଼କ୍ରେ କେବେ ଘୁର୍ଣ୍ଣାୟସେ

କେବେ ସେ ଚପଳ ଛନ୍ଦା

କେବେ ନିର୍ମାତା ଙ୍କ ଗାଥା ଚେତନାରେ

ସାହିତ୍ୟ କୋଣାର୍କ ବନ୍ଧା ।


ଭାଷା ସାହିତ୍ୟ ର ଇତିହାସ ଲେଖା

ଏହି କୋଣାର୍କ ବୁକୁରେ

ଭାଷା ବିକାଶର ସଂଘର୍ଷର କଥା

ସାହିତ୍ୟ କୋଣାର୍କ କୁହେ ।


ଆସ ସର୍ବେ ମିଳି ସାହିତ୍ୟ କୋଣାର୍କେ

ଆଙ୍କିଦେବା ଅଭିଲେଖ

ଅବା ଏ କୋଣାର୍କେ ବିମୁଗ୍ଧ ପାଠକ

ହୋଇ ରଖିଯିବା ଟେକ ।


ସାହିତ୍ୟ କୋଣାର୍କେ ଆଙ୍କିଦେବା ଚ଼ାଲ

ଭାଷା ପୀରତିର ଛୁଆଁ

ସାହିତ୍ୟ ଧାରାରେ ଆମ ଭାଷା ଭାସୁ

ଜଗତରେ କରୁ ନାଁ ।।


Rate this content
Log in

Similar oriya poem from Inspirational