ସାହିତ୍ୟ କୋଣାର୍କ
ସାହିତ୍ୟ କୋଣାର୍କ
ଶିଳା କୋଣାରକେ ଲୁଚ଼ି ରହିଅଛି
କେତେ ଯେ ଅକୁହା କଥା
ସାହିତ୍ୟ କୋଣାର୍କ ସଦା ଛନ୍ଦାୟିତ
ଶବଦେ ଯେ ନୃତ୍ୟ ରତା ।
ଶବ୍ଦର ଛନ୍ଦରେ ଭାଷା ମାଧୁର୍ଯ୍ୟରେ
ସାହିତ୍ୟ ଯେ ବିଭୂଷିତା
ଭାବ ସାଗର ରେ ଜ୍ଞାନ ଗାରିମାରେ
ସେ ପୁଣି ଅଟେ ବିଦିତା ।
ପଥର କୋଣାର୍କେ ମୂର୍ତ୍ତି କଥା କହେ
ସାହିତ୍ୟ କୋଣାର୍କେ ଶବ୍ଦ
ଶବ୍ଦ ସଂଯୋଜନା, ବିଶେଷ ଭାବନା
ସାହିତ୍ୟ କୋଣାର୍କ ଭେଦ ।
ସାହିତ୍ୟ କୋଣାର୍କେ ଛଳ ଛଳ ନାଦେ
କାବ୍ୟିକ ଝରଣା ବହେ
ଶବ୍ଦ ଚ଼ାତୁରୀର ଅବଗାହନରେ
ଅପ୍ସରା ଯେ ରୂପ ପାଏ ।
ସାହିତ୍ୟ କୋଣାର୍କ ଆଦି ଯୁଗୁ ଆସି
ବର୍ତ୍ତମାନେ ପାଦ ଥାପେ
ସେଇ କୋଣାରକ ମନ୍ଦିର ଅଗଣା
ନୂଆ କଥା କହେ ଆପେ ।
ସାହିତ୍ୟ କୋଣାର୍କେ କେବେ ଆଙ୍କି ହୁଏ
ପ୍ରେମର ସ୍ୱତନ୍ତ୍ର ଭାଷା
କେବେ ପ୍ରକୃତିର ରୂପ ଗାହନରେ
ହୋଇଯାଏ ଯେ ସରସା ।
ସାହିତ୍ୟ କୋଣାର୍କେ କେବେ ଆଙ୍କି ହୁଏ
ଜୀବନ ଯନ୍ତ୍ରଣା ଚ଼ିତ୍ର
କେତେ ଶାସ୍ତ୍ର ଭେଦ ସଂସ୍କୃତି ନିନାଦ
ସାହିତ୍ୟ କୋଣାର୍କେ ସ୍ଥିତ ।
ସାହିତ୍ୟ କୋଣାର୍କ କେବେ ବିମଣ୍ଡିତ
ଜୀବନ ଦର୍ଶନ ସ୍ରୋତେ
କେବେ ସମାଜର ଦର୍ପଣ ହୋଇ ସେ
ଦିଗ୍ ଦର୍ଶନ ଦିଏ ଚ଼ିତ୍ତେ ।
ସାହିତ୍ୟ କୋଣାର୍କେ କେବେ ବିଭୁପ୍ରେମେ
ଶଙ୍ଖ ନାଦ ଯେ କରାଏ
କେବେ ବିପ୍ଳବର ଦୁନ୍ଦୁଭି ବଜାଇ
ମନରେ ସଂକଳ୍ପ ଭରେ ।
ସାହିତ୍ୟ କୋଣାର୍କ ପ୍ରତିଟି କାନ୍ଥ ଯେ
ଭିନ୍ନ ରଙ୍ଗେ ରଙ୍ଗାୟିତ
ଚ଼ପଳ ଛନ୍ଦରେ କେବେ ଛନ୍ଦାୟିତ
ଗଳ୍ପେ କେବେ ଋଦ୍ଧିମନ୍ତ ।
ଆଲୋଚ଼ନା ଚ଼କ୍ରେ କେବେ ଘୁର୍ଣ୍ଣାୟସେ
କେବେ ସେ ଚପଳ ଛନ୍ଦା
କେବେ ନିର୍ମାତା ଙ୍କ ଗାଥା ଚେତନାରେ
ସାହିତ୍ୟ କୋଣାର୍କ ବନ୍ଧା ।
ଭାଷା ସାହିତ୍ୟ ର ଇତିହାସ ଲେଖା
ଏହି କୋଣାର୍କ ବୁକୁରେ
ଭାଷା ବିକାଶର ସଂଘର୍ଷର କଥା
ସାହିତ୍ୟ କୋଣାର୍କ କୁହେ ।
ଆସ ସର୍ବେ ମିଳି ସାହିତ୍ୟ କୋଣାର୍କେ
ଆଙ୍କିଦେବା ଅଭିଲେଖ
ଅବା ଏ କୋଣାର୍କେ ବିମୁଗ୍ଧ ପାଠକ
ହୋଇ ରଖିଯିବା ଟେକ ।
ସାହିତ୍ୟ କୋଣାର୍କେ ଆଙ୍କିଦେବା ଚ଼ାଲ
ଭାଷା ପୀରତିର ଛୁଆଁ
ସାହିତ୍ୟ ଧାରାରେ ଆମ ଭାଷା ଭାସୁ
ଜଗତରେ କରୁ ନାଁ ।।
