STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସାଗରର କ୍ଷୋଭ

ସାଗରର କ୍ଷୋଭ

1 min
424

ସାଗର!

କେବଳ ବିଶାଳ ନୁହଁଇ ତା'ର ଆକାର

ହୃଦୟଟି ବି ସମଭାବରେ ଉଦାର

ଧରି ରଖିବାକୁ ସୃଷ୍ଟି ଚରାଚର

ସର୍ବଦା ଥାଏ ସେ ଆତୁର।

କଣ ଅବା ଦେଇନି ଏଇ ସାଗର?

ସ୍ବେଚ୍ଛାରେ ବକ୍ଷ ଚିରି ହସି ହସି

ଲୁଟାଇ ଦେଇଛି ଆପଣାର ସବୁକିଛି

ଏଇ ମଣିଷମାନଙ୍କ ପାଇଁକି

ଥରୁଟିଏ ବି କରିନାହିଁ ପ୍ରତିବାଦ

କି କରିନାହିଁ ପ୍ରତିରୋଧ

ଫେରାଇ ଦେଇନି ଶୂନ୍ୟହସ୍ତେ

କାହାରିକୁ କେବେ କେଉଁ ଦିନ

କି କରି ନାହିଁ ତିଳେ ଅଭିମାନ।

ସାଗର ତ ଦେଇଛି ଅଯାଚିତ ଭାବେ

ଅସୁମାରି ରତ୍ନର ଭଣ୍ଡାର

ବହୁବିଧ ବହୁମୂଲ୍ୟ ମଣି ମୁକ୍ତାଦି ବୈଦୁର୍ଯ୍ୟ

ଦେଇଛି ପୁଣି ଦୁର୍ଲଭ ଅମୃତ ଆକାତରେ

ପ୍ରତିଦାନରେ କଣ ଅବା

ଆମେ ଦେଇଛେ ତାରେ?

କୁଢକୁଢ ଆବର୍ଜନାରେ

ଦେଇଛେ ପୋତି ତାର ବକ୍ଷ

ବିଷାକ୍ତ ତା'ର ଅବୟବ

ଶ୍ବାସରୁଦ୍ଧ ହୋଇ ଭୋଗୁଅଛି କଷ୍ଟ

ମଥାପିଟି କାନ୍ଦୁଅଛି ଅହରହ

ଗଡାଇ ଶତ ସହସ୍ର ଚକ୍ଷୁରୁ ଲୋତକ।

ଲବଣାକ୍ତ ଲୋତକ ଲବଣାକ୍ତ ଲହୁ

ଲବଣର ଭାର ପରସ୍ତ ପରସ୍ତ

ଲବଣର ପ୍ରାବଲ୍ୟରେ କେମିତି

ଜାଗିବ ସତେ ମଧୁର ଭାବ

ମନରେ ତାହାର?

କେବେ କେମିତି ଦୁଃଖରେ

ହୋଇ ମ୍ରିୟମାଣ

ଆକ୍ତାମାକ୍ତା ଆତ୍ମା ତା'ର

ଲଂଘି ଆସେ ବେଳାଭୂମିର ପ୍ରସ୍ଥ

କରିବାକୁ ସ୍ଥଳଭାଗ ଅକ୍ତିଆର

ଦେଖାଇ ଦେବାକୁ ଶକ୍ତି ସାମର୍ଥ୍ୟ

ଚେତାଇ ଦେବାକୁ ମଣିଷକୁ

କୃତଘ୍ନତା କରୁଣ ପରିଣାମ

ଫେରାଇ ଦେଇ ଯାଏ ବର୍ଜିତ ପଦାର୍ଥ

ଯାହା ପାଇଥିଲା ପ୍ରତିଦାନରେ।

ତଥାପି ଦରଦୀ ହୃଦୟତନ୍ତ୍ରୀରେ

ଭରିରହିଥାଏ ତା'ର ଅମାପ ମମତା

ସେଇ ମମତ୍ବବୋଧରେ ସ୍ନେହ ପୀରତିରେ

ପୁନଶ୍ଚ ଫେରିଯାଏ ଆପଣା ପରିଧିକୁ

ମଥାପିଟି କାନ୍ଦିବାକୁ ବେଳାଭୂମିର ଛାତିରେ

କୃତଘ୍ନ ମଣିଷର ନିଠୁର ପ୍ରତାରଣାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract