ସାଗର ଓ ଆକାଶ
ସାଗର ଓ ଆକାଶ
ସଦା ସେ ଅଧିର ମିଶିବାକୁ ସାଥେ
ଛାତିକୁ ଫୁଲେଇ ହୁଏ ଅଥୟ,
ମଥା ପିଟି ତଟେ ନ ମିଶିବା ଦୁଃଖେ
ଭେଟ ହୁଏ ପାଶେ ଦିଗବଳୟ ।।
ମିଳନର ମଧୁ ମୁହୂର୍ତ୍ତ ସପନେ
ଶାନ୍ତ ଚିତ୍ତେ ଉର୍ଦ୍ଧ୍ୱମୁଖେ ଶାୟିତ,
ସଜେଇ ହୁଏ ସେ ଆକାଶ ରଙ୍ଗରେ
ନୀଳ ହୋଇଯାଏ ସାଗର ଚିତ୍ତ ।।
ଦୁହେଁ ଦୁହିଁଙ୍କର ଆଖିରେ ଦେଖନ୍ତି
ଚୋରା ପୀରତିର ମଧୁ ମେଳଣ,
ଇନ୍ଦ୍ରଧନୁ ହାତେ ପ୍ରେମ ଚିଠି ପାଇ
ଉତଫୁଲିତ ହୁଏ ସାଗର ମନ ।।
ତାରା ଝିଲିମିଲି କୃଷ୍ଣ ପାଟ ପିନ୍ଧି,
ନିରବେ ଆକାଶ ଆସେ ବାହାରି
ପ୍ରେମ ନିବେଦନ କରେ ହୋଇ ହର୍ଷ,
ଚାନ୍ଦର ମୁକୁଟ ମଥାରେ ଧରି ।।
ସଂଯମର ସବୁ ଚାଦର ହଟାଇ
ସମାଜର ଅପବାଦ କୁ ଲୁଚି
ଝୁମି ଝୁମି ଯାଏ ଲବଣାକ୍ତ ଉର୍ମି
ମଧୁର ତାନରେ ଯାଏ ସେ ନାଚି ।।
ଚାନ୍ଦ ଓ ତରାର ପ୍ରତିବିମ୍ବେ ଯେବେ
ସାଗର ଶରୀର ଯାଏ ଝଲସି,
ସାଗରର ସେ ବିଶାଳ ଛାତିରେ
ଆକାଶ କି ସତେ ଶୋଇଛି ଆସି ।।
ଦୁନିଆର କୋଳାହଳ ଯେବେ ସବୁ
ଶାନ୍ତ ହୋଇ ଯାଏ ନିଦ୍ରା ଆବେଶେ,
ବେଳାଭୂମି ଦେଖେ ଦୁର୍ଲଭ ମିଳନ
ରାତି କଟିଯାଏ ସ୍ବପ୍ନ ବିଳାସେ ।।
ରାତି ଶେଷେ ଯେବେ ସଚେତ ହୁଅନ୍ତି
ନିନ୍ଦା ଅପବାଦ ଏଡିବା ପାଇଁ,
ଆକାଶ ହଟାଏ କୃଷ୍ଣ ଓଢଣୀ ତା
ମଥାରେ ସିନ୍ଦୁର ଟୋପାଟେ ନାଇ ।।
ସେ ନାଲି ବିନ୍ଦୁରେ ସିନ୍ଧୁ ହୁଏ ନାଲି
ରଙ୍ଗ ଭରିଯାଏ ଦୁହିଁଙ୍କ ମନେ,
ପ୍ରକୃତିର ଏହି ଦୁର୍ଲଭ ପୀରତି
ନିତି ଚାଲେ ଏଠି ଅତି ଗୋପନେ ।।

