ସାଧବ ବୋହୂ
ସାଧବ ବୋହୂ
ବରଷା ରାଣୀର ଭିଜା ପଣତର
ଖିଲି ଖିଲି ହସ ଧାରେ ।
ଅମ୍ଳାନ ଅରୁଣ ସୁନେଲି କିରଣ
ଓଜସ୍ୱିନୀ ମେଖଳାରେ ।
ନାଲି ଟୁକୁ ଟୁକୁ ସାଧବବୋହୂଟି
ମୃଦୁ ମଦିରା ପାଦରେ ।
ସରମି ନରମି ଉଙ୍କି ଉଙ୍କି ଆସେ
ତନ୍ଦ୍ରା ତନ୍ମନ ଚିତ୍ତରେ ।
ସପନ ରାଇଜ ସାଧବବୋହୂ ଗୋ
ସୁନା ସଵାରି ରେ ଆସି ।
ମନ ମନ୍ଦିରର ଷାଠିଏ ପାହାଚେ
ଆସି, ବସିଗଲ ରୁଷି ।
ଗଳାରେ ତୁମର ଗଜରାର ହାର
ଆଖିରେ ଗାର କଜଳ ।
କପୋଳେ ତୁମର ଶିଶିର ମୁକ୍ତା
କରୁଅଛି ଝଲମଲ ।
ମଥାରେ ତୁମର ରକ୍ତିମ କୁଂକୁମ
କୁସୁମ ଯୂଇରେ ବେଣୀ ।
ପାଦରେ ଅଳତା ହାତରେ କଙ୍କଣ
ଅଧରେ ଅମୃତ ବାଣୀ ।
ପଦିଏ ତୁମରି କଥାର ଢେଉରେ
ମମତାର ମଧୁ ଝରେ ।
ନୟନେ ତୁମରି ନିରୀହ ଚାହାଣୀ
ସଭିଙ୍କୁ ନିଜର କରେ ।
ସଭିଙ୍କ ଶରୀରେ ସ୍ୱର୍ଣ୍ଣ ଅଳଙ୍କାର,
ଲାଜ ତୁମରି ଗହଣା ।
ଲାଜୁଆ ମୁହଁରେ ନାରୀତ୍ବ ଲେପଇ,
ମଥାରେ ତୁମ ଓଢଣା ।
କିଏ କୁହେ, ତୁମେ ଅଳପ ସୁନ୍ଦରୀ
ଅଲୋଡ଼ା କା' ଜୀବନରେ ।
ତୁମ ହୃଦୟର ସୁନ୍ଦର ପଣରେ
ଉର୍ବଶୀ ସରମେ ମରେ ।
ଚେହେରାରେ କ'ଣ ସୁନ୍ଦରତା ଥାଏ,
ଥାଏ ହୃଦୟ ଅଙ୍ଗନେ ।
ଚେହେରାଟି ସିନା ଅଳପ ଦିନର
ହୃଦୟ ଯେ ସବୁ ଦିନେ ।
ଛୁଇଁବାକୁ ସିନା ନାହିଁ ଅଧିକାର
ସରଗ ସମ୍ପତ୍ତି ତୁମେ ।
ନିମିତ୍ତ ମାତର ମୋ' ଭବ୍ୟ ଭୁବନେ
ବଞ୍ଚିଛି ମୁଁ ନିଜ ନାମେ ।
ଦେଖିବାକୁ ତୁମ ଲାବଣ୍ୟ ରୂପକୁ
କରୁଅଛ କାହିଁ ମନା !
ଅନୁଭବିବାକୁ ତୁମରି ହୃଦୟ
କରେ କେତେ ଉପାସନା ।
ସୂର୍ଯ୍ୟ କନ୍ୟା ନୁହଁ, ମତ୍ସ୍ୟ କନ୍ୟା ନୁହଁ
ନୁହଁ ଗୋ ସାଗର କନ୍ୟା ।
ଦୁର୍ଲଭ ନାରୀତ୍ବ ରମ୍ୟ ଇସ୍ତାହାର
ପ୍ରୀତି ସଂସ୍କୃତିର ବନ୍ୟା !
ତଥାପି ଅତୃପ୍ତ ଅଶ୍ରୁ ଅଭିଶପ୍ତା
ଅଭାବନୀୟ ଅଥଚ ।
ସାଧବବୋହୂ ଗୋ ମୋ' କାବ୍ୟ କଳ୍ପୁଛି
ତୁମ ସୁରକ୍ଷା କବଚ !!

