ସାଧବ ବୋହୂ
ସାଧବ ବୋହୂ
ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ
ମାଟିରେ କରିଛୁ ଘର
ଥିରି ଥିରି ଚାଲି ନିଏ ମନ କିଣି
ଲାଖି ଯାଏ ତୋଠି ନଜର ।
ତୁ ପ୍ରକୃତିରେ ଭାରି ସୁନ୍ଦର
ତୋ ସୌନ୍ଦର୍ଯ୍ଯରେ ହୁଏ ବିଭୋର
ହଜି ଯାଇ ଥାଏ ତୋତେ ଦେଖୁ ଥାଏ
ତୋ ପାଖେ ଫିକା ପଡେ ସିନ୍ଦୂର ।
ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।
ବରଷା ଆସିଲେ ହସଇ ଧରଣୀ
ହସି ଉଠେ ବିଲ ବନ
କୃଷକ ଭାଇର ଖୁସି ବଢି ଯାଏ
ପୁଲକିତ ତନୁ ମନ ।
ଲଙ୍ଗଳ ମୂନରେ କରେ ସିଏ ଚାଷ
ଓଠରେ ଥାଏ ତା ମିଠା ମିଠା ହସ
ସେଇ ହସ ଓଠେ ଅଧା ରହି ଯାଏ
ତୁ ଯେବେ ହେଉ ବାହାର ।
ପଲକ ପଡେନି ତାର ।
ବରଷା ଋତୁର ସାଧବ ବୋହୂ ତୁ
ବିଭିନ୍ନ ରଙ୍ଗ ତୋ ଥାଏ
ସବୁ ରଙ୍ଗ ତୋର ଅତି ମନଲୋଭା
ମୋ ପ୍ରିୟା ଲାଜେଇ ଯାଏ ।
କାଳେ ତା ପରି ସଜେଇ ହେବୁ
ମୋ ମନକୁ ତୁ କିଣି ନେବୁ
ସେଥିପାଇଁ ପ୍ରିୟା ଭାରି ଅଭିମାନୀ
ମୋ ପରେ ରଖେ ତା ନଜର
ମୋ ଆଖି ଖୋଜେ ରଙ୍ଗ ତୋର ।
ମୋର ପ୍ରିୟା ଠାରୁ ତୁ ଅତି ସୁନ୍ଦର
ସତଲୋ କହୁଛି ମୁଁ
ତୋ ରଙ୍ଗ ଉପମେ କେ ହେବ ତୁଳନା
ସୌନ୍ଦର୍ଯ୍ଯର ରାଣୀ ତୁ ।
ଋତୁ ଦେଖି ଆସୁ ଥାଉ
ବରଷାରେ ଭିଜି ଯାଉ
ଭିଜା ଭିଜା ବର୍ଷା କରେ ଭାରି ଈର୍ଷା
ଧୋଇ ସେ ପାରେ ନା ରଙ୍ଗ ତୋର ।
ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।
ତୋ ଦେହରୁ ଝରେ ରଙ୍ଗର ଅବିର
ସେ ରଙ୍ଗ ଅଟେ ନିଆରା
ସେଇ ନାଲି ଶାଢୀ ପ୍ରିୟା ପିନ୍ଧେ ଯେବେ
ଦିଏ ନା ମୋତେ ସେ ଧରା ।
ଫୁଲେଇ ସେ କେତେ ହୁଏ
ହେଲେ ମୋ ମନ ତୋଠି ଥାଏ
ରଙ୍ଗରେ ପାଗଳ କରୁଛୁ ଲୋ ତୁ
ତା କଥାରେ ଭରିଛି କୁହୁ ।
ସତେ କି ଝରୁଛି ମହୁ ।
ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।
