ସାବିତ୍ରୀ
ସାବିତ୍ରୀ
ମଦ୍ର ଦେଶ ନରପତି, ନାମ ତାଙ୍କ ଅଶ୍ଵପତି,
ମାଳବୀ ତାଙ୍କ ଯୁବତୀ, ମାଳବ ରାଜ ଦୁହିତ୍ରୀ,
ସେତ ମହା ସତୀ ଯେ, ଧର୍ମ ପରାୟଣ ରାଜା,
ପୁତ୍ର ସମ ପାଳେ ପ୍ରଜା, ଦାନ,ଧର୍ମ ଉଡେ ଧ୍ଵଜା,
ଧନ୍ୟଧନ୍ୟ ସେହି ରାଜା, ସତେକି ସୁବର୍ଣ୍ଣ ଯୁଗ ଯେ ।
ମନେ ନାହିଁ କିନ୍ତୁ ସୁଖ, ନାହାନ୍ତି କନ୍ୟା କି ପୁତ୍ର,
ରଜା ରାଣୀ ଯେ ଚିନ୍ତିତ, ଏବେଳେ ରୁଷି ନାରଦ ,
ଆସି କହୁଛନ୍ତି ଯେ ସାବିତ୍ରୀ ମନ୍ତ୍ର କୁ ଜପ,
ଫଳ ଫଳିବ ନିଶ୍ଚିତ, ଫିଟିବ ବନ୍ଧ୍ୟା ବନ୍ଧନ,
ଭାଗ୍ୟାନୁସାରେ ସନ୍ତାନ, ତୋହର ହେବ ପ୍ରାପତ ରେ ।
ତପ ବଳେ ବିଶ୍ଵ ସାଇଁ, ଉତ୍ଫୁଲ୍ଲିତ ଗଲେ ହୋଇ,
ଅନ୍ତସତ୍ଵା ମହାଦେଈ, ଦଶ ମାସ ଦଶ ଦିନ,
ୟେ ଶୁଭ ଲଗନ ଯେ, ସୁକନ୍ୟା ହୋଇଲା ଜାତ,
ଆନନ୍ଦ ଯେ ତାତ ମାତ, ମନ ଆକାଶେ କି ଚାନ୍ଦ, ପ୍ର
ଭାବେ ସାବିତ୍ରୀ ମନ୍ତ୍ର, ବଳେ ଜନ୍ମ କନ୍ୟାରତ୍ନ ଯେ ।
ଆଜି ଏକୋଇଶା ପର୍ବ , ରୁଣ୍ଡିଭୂତ ସଭା ସଦ
ନାମ କରଣ ଉତ୍ସବେ, ସାବିତ୍ରୀ ନାମ ଯେ ଦେଲେ,
ଆନନ୍ଦେ ଊତ୍ଫୁଲ୍ଲେ ଯେ, ଅତିଥି ଯେ ଅଭ୍ୟାଗତ,
ବନ୍ଧୁ ବାନ୍ଧବ ସହିତ, ଖୁସି ମଦ୍ର ଦେଶ ଜନ,
କନ୍ୟା ବଢି ଦିନୁ ଦିନ, ହୋଇଲା ଯୌବନ ପ୍ରାପ୍ତ ଯେ ।
ପିତା ବର ଖୋଜୁଛନ୍ତି, ସାବିତ୍ରୀ ଯାଇ ବଦନ୍ତି,
ପିଅର ହେ ମୋର କାନ୍ତ, ଦ୍ୟୁମତ ସେନ ଙ୍କ ପୁତ୍ର,
ସେ ଯୋଗ୍ୟ ଅଟନ୍ତି ଯେ, ଦିନେ ବନେ ତାଙ୍କୁ ଦେଖି,
ମନ ମୋ ଦେଇଛି ବିକି, ତାଙ୍କ ଭିନ୍ନ ନାହିଁ ଗତି,
ସେହି ମୋର ଗତି ମୁକ୍ତି, ଘେନ ମୋହର ମିନତୀ ଯେ ।
ଏବେଳେ ନାରଦ ମୁନି, ଆସି ପହୁଞ୍ଚିଲେ ପୁଣି,
ଶୁଣ ହେ ମଦ୍ର ରାଜନ, ଅନ୍ଧ ସେ ଦ୍ୟୁମତ ସେନ,
ନା ରାଜ୍ୟ ନା ଧନ ଯେ ବନେ କରୁଛନ୍ତି ବାସ,
ସତ୍ୟବାନ ଅଳ୍ପାୟୂଷ, ବୈଧବ୍ୟ ଯନ୍ତ୍ରଣା କ୍ଳେଶ,
ତହୁଁ ହୁଅତୁ ବିରତ, ବିବାହ ହେବ ଅନ୍ୟତ୍ର ଯେ ।
ନାରଦ ଙ୍କ ବାଣୀ ଶୁଣି, ବୋଲନ୍ତି ମଦ୍ର ଦୁଲଣୀ,
ନବରିବି ଅନ୍ୟ କାହିଁ, ଧ୍ରୁବ ବାକ୍ୟ ମୋର ଏହି,
କରିଅଛି ସତ୍ୟ ଯେ ଏକ ବର୍ଷ ପରେ ଜାଣ,
ସତ୍ୟବାନ ର ମରଣ, ତଥାପି ସାବିତ୍ରୀ ମନ,
ନଟଳିଲା ଅନ୍ୟ ଭିନ୍ନ, ସମସ୍ତେ ହେଲେ ଚିନ୍ତିତ ଯେ ।
ହେଲା ଶୁଭ ପରିଣୟ, ସାବିତ୍ରୀ ସ୍ଵାମୀ ଙ୍କ ସହ,
ନାରଦ ଙ୍କ କଥା ମାନି, ଦେବୀ ଦିନ ଗଣିଗଣି,
ବ୍ରତ ପାଳୁ ଥାନ୍ତି ଯେ ଶ୍ଵଶୁର ଶାଶୁଙ୍କ ପଦ,
ସେବା ସ୍ଵାମୀ ଙ୍କ ନିରତ, ଲକ୍ଷ୍ମୀ ନାରାୟଣ ବ୍ରତ,
କରନ୍ତି ସାବିତ୍ରୀ ମାତ, ପଦେ ମୋଦେ ହୋଇ ସିକ୍ତ ଯେ ।
ଜ୍ୟେଷ୍ଠ ଅମାବାସ୍ୟା ତିଥି, ସତ୍ୟବାନ ବୋଲୁଛନ୍ତି,
କାଷ୍ଠ ସଂଗ୍ରହ କରିବି, ପ୍ରିୟ ସହୀ ବନେ ଯିବି ,
ବୋଲି କହୁଛନ୍ତି ଯେ, ସାବିତ୍ରୀ ଭାବନ୍ତି ମନେ,
ମରଣ ଡାକଇ ବନେ, ଆୟୂଷର ଶେଷ ଦିନେ,
ଶାଶୁ,ଶ୍ଵଶୁର ଙ୍କୁ କହି, ଗଲେ ଦୁହେଁ ସାଙ୍ଗ ହୋଇ ଯେ ।
ଉପସ୍ଥିତ ମୃତ୍ୟୁ ବେଳ, ମୁଣ୍ଡ ବୁଲାଉଛି ମୋର,
କହି ସାବିତ୍ରୀ ଙ୍କ କୋଳ, ପରେ ଶୋଇ ସତ୍ୟବାନ,
ସେ ହେଲେ ନିଶ୍ଚଳ ଯେ, ଚଢି ମହିଷ ବାହାନ,
ଉପସ୍ଥିତ ହୋଇ ଯମ, ଘେନି ଗଲେ “ସତ୍ୟବାନ,
ପ୍ରାଣ” ଦେଖିଣ ତକ୍ଷଣ, ସାବିତ୍ରୀ ପଛେ ଚାଲନ୍ତି ଯେ ।
ଦେଖି ଯମ ବୋଲୁ ଛନ୍ତି, କାହିଁକି ଆସୁଛ ଦେବୀ,
ମାଗ ବର ମୁହିଁ ଦେବି, ବର ଘେନି ଫେରି ଯାଅ,
କରୁଅଛଇ ସତ୍ୟ ଯେ ଶ୍ଵଶୁର ଙ୍କୁ ଚକ୍ଷୁ ଦାନ,
କରନ୍ତୁ ରାଜ୍ୟ ପ୍ରଦାନ, ତଥାସ୍ତୁ କହିଣ ଯମ,
ଘେନି ସତ୍ୟବାନ ପ୍ରାଣ, ତହୁଁ ଚାଲୁଥାନ୍ତି ଯମ ଯେ, ।
ପୁଣି ତାଙ୍କ ପଛେ ପଛେ, ଦେଖି ପଚାରନ୍ତି ଭଦ୍ରେ,
ଅନ୍ୟ ଏକ ବର ତୋତେ, ଦେଲି ଆଗୋ ହୃଷ୍ଟ ଚିତେ, ମାଗିନିଅ ତୁରିତେ ଯେ ଦ୍ଵିତୀୟ ବର ମୋହର,
ପିତା ଲଭନ୍ତୁ କୁମର, ତଥାସ୍ତୁ ରବି ନନ୍ଦନ,
କହୁନ୍ତି ମୋକଥା ମାନ ,ଫେରିଯାଅ ତୁ ସତ୍ଵର ଗୋ” ।
କହି ଯେବେ ବାହାରିଲେ, ପଛ ସତୀ ନଛାଡିଲେ
ଯମ କୁହୁଛନ୍ତି ଆଉ, ଅନ୍ୟ ଏକ ବର ଦେଲି,
ମାଗତୁ ଝଟତି ଯେ, ସତ୍ୟବାନ ଔରସରୁ,
ସତେ ପୁତ୍ର ମୋର ହେଉ, ତଥାସ୍ତୁ କହିଣ ଧର୍ମ,
ଗଲେ ଘେନି ସତ୍ୟବାନ, ପଛରେ ପୁଣି ସାବିତ୍ରୀ ଯେ, ।
ପୁଣି କିମ୍ପା ଆସୁ ଅଛ, ନ ଆସ ଆଉ ମୋ ପଛ,
ଏଠାରୁ ଯମ ଭୁବନ, ଫେରିଯାଅ ଦେବୀ ଆଉ,
ନଆସ ମୋ ପଛ ଯେ ସାବିତ୍ରୀ ବୋଲେ ଆପଣ,
ବର ଦେଲେ କି କାରଣ, ମୋର ଶତେପୁତ୍ର ହେବ,
ସ୍ଵାମୀଙ୍କୁ ମୋ ଯେବେ ନେବ, କୁହନ୍ତୁ କିପରି ହେବ ହେ ।
ଯମ ହତବାକ ହୋଇ, ସାବିତ୍ରୀ ମୁହଁ କୁ ଚାହିଁ,
ବୋଲୁଛନ୍ତି ଧନ୍ୟ ତୁହି, ମୋତେ କରିଦେଇ ବାଇ,
ସ୍ଵାମୀର ଜୀବନ ଯେ ଫେରାଇ ନେଉଛୁ ସତୀ,
ତୋ ସତୀତ୍ଵ କରାମତି ଆରେ ରେ ଆର୍ଯ୍ୟ ଯୁବତୀ,
ସଂସାରେ ହୋଇବ କ୍ଷାତି , ନାମ ତୋ ସତୀ ସାବିତ୍ରୀ ଯେ ।
ସ୍ଵାମୀ ପ୍ରାଣ ସଙ୍ଗେ ଘେନି, ବନେ ହେଲେ ଆସି ପୁଣି
ନିଦୁ ଉଠିବା ସମାନ, ଉଠିପଡି ସତ୍ୟବାନ,
ବୋଲନ୍ତି ବଚନ ଯେ, ବହୁତ ସମୟ ମୁହିଁ,
ଶୋଇଗଲି ଆରେ ସହୀ ତେଣେ ଆମ୍ଭ ପିତା ମାତା,
ମନେ ହେଉଥିବ ଚିନ୍ତା, ଚାଲ ଗୋ ଯିବା ତୁରିତ ଯେ ।
ଦୁଃଖର ଦିନ ସମାପ୍ତ, ଦ୍ଵିମତ ସେନ ଙ୍କ ରାଜ୍ୟ
ଶାଲ୍ଵ ନରପତି ହୋଇ, ସତ୍ୟବାନ ଅଭିଷିକ୍ତ,
ସାବିତ୍ରୀ ଚରିତ୍ର ଯେ, ଲକ୍ଷ୍ମୀ ନାରାୟଣ ଧ୍ୟାଇ,
ଯେ ଜନ ବ୍ରତ କରଇ ସଦା ସୁଖ ସଉଭାଗ୍ୟ,
ଲଭିବ ସ୍ଵାମୀ ସୋହାଗ, ଆନ ଅନ୍ୟଥା ନହୋଇ ଯେ ।
ସତୀତ୍ଵ ବଳେ ଯେ ଯମ, କାଳ ପାଶ ହୁଏ ଛିନ୍ନ
ଆର୍ଯ୍ୟାବର୍ତ୍ତ ନାରୀ ଗାଥା, ବର୍ଣ୍ଣିତ ସାବିତ୍ରୀ କଥା,
ଉପବାସ ବ୍ରତ ଯେ ଆର୍ଯ୍ୟ ବଧୂ ମହାନତା,
ସତୀ ନାରୀ ବିଦ୍-ବତା ବେଦ ଉପନିଷଦରୁ,
ଆନୀତ ପୂର୍ବ କାଳରୁ, ଦେଉଛି ଅନେକ ବାର୍ତ୍ତା ଯେ ।
ନବଦୀପ,ଆର୍ଯ୍ୟାବର୍ତ୍ତ, ମୋର ମହାନ ଭାରତ
ଏ ଦେଶ ନାରୀ ଗୌରବ, ଛୁଇଁଛି ହୀମାଦ୍ରି ଶୀର,
ହେଉଛି ମନ୍ଦ୍ରିତ ଯେ, ଗଗନ ପବନ ଜହ୍ନ,
ଜ୍ୟୋତ୍ସ୍ନା ସମ ବିଦ୍ୟମାନ ଆର୍ଯ୍ୟ ବଧୂ ସଂଭ୍ରମତା,
ପ୍ରଭାବିତ ସତୀତ୍ଵତା, ଢାଙ୍କି ରଖିଛି ଜଗତ୍ର ଯେ ।
ଲକ୍ଷ୍ମୀ ନାରାୟଣ ପଦେ, ଭଜିଣ ପ୍ରଫୁଲ୍ଲ ଚିତେ
ଲେଖିଲି ଦୋଷ କ୍ଷମିବ, ଯାହା ମୋ ମନର ଭାବ,
ଘେନିବ ପଣ୍ଡିତେ ହେ ଜୟ ଜୟ ଜଗନ୍ନାଥ,
ଜୟ ହେ କମଳା କାନ୍ତ ତବ ଶ୍ରୀଚରଣ ତଳେ,
ଦୀନ ହୋଇଛି ଆଶ୍ରିତ, ବିଶ୍ଵ ହେଉ ସୁରଭିତ ହେ ।