STORYMIRROR

Shashanka sekhar Ray

Tragedy

2  

Shashanka sekhar Ray

Tragedy

ସାବଧାନ

ସାବଧାନ

1 min
75

କେତେଦିନ ତୁମେ ଅତ୍ୟାଚାର

 କରୁଥିବ ମୋ ପରେ

ସବୁକିଛି ସହିଯାଏ ବୋଲି ମୁଁ

ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇଚାଲ ।


ପିଇବାକୁ ନାହିଁ ଏଠି ଟୋପେ ଭଲ ଜଳ

କଳାଧୂଆଁରେ ପଖାଳେ ମୁଁ ମୋର ମୁହଁ

ଖାଦ୍ୟରେ ତ୍ ଭରିଛ ଅନେକ ଜହର

କଣ ପାଇଁ ଏସବୁ ସଦା କରିଚାଲ ।


ସବୁକିଛି ମାଗିନେଇ ମୋଠାରୁ

ଆଜି ମୋତେ ଶ୍ଵାସରୁଦ୍ଧ କର

ମହାଜ୍ଞାନୀ ମହାବୀର ବୋଲାଇ

ଡିଣ୍ଡିମ ପିଟ ଏ ଜଗତଯାକ ।


 ବିଷାକ୍ତ କରିଛ ମୋ ନୀଳ ଶରୀରକୁ

ବିଜ୍ଞାନର ଜୟଗାନ କରି କରି

ଲୁଟିନେଇଛ ଆଜି ସର୍ବସ୍ଵ

ନା ମିଠା ଅଛି ଝରଣାର ଜଳ

ନା ଅଛି ପାହାଡର ସୌନ୍ଦର୍ଯ୍ୟ

ନା ମଧୁରତା ଅଛି ପବନର

ନା ସୁଗନ୍ଧ ଅଛି ଖାଦ୍ୟଶସ୍ୟର ।


ଗଢିଚାଲିଛ କଂକ୍ରିଟର ଜଙ୍ଗଲ ପରେ ଜଙ୍ଗଲ

ପକ୍ଷୀର କାକଳୀ ଆଉ ଶୁଭୁନାହିଁ

 ଦିଶୁନି ଆଉ ସାପ ବେଙ୍ଗ ସରୀସୃପ 

 ହଜିଗଲେଣି ବୋଧେ ଧୀରେ ଧୀରେ

ସବୁଆଡେ ଯେମିତି ଶୂନଶାନ ଖାଁ ଖାଁ ଭାବ

ଯନ୍ତ୍ର ଦାନବର ଆଁ ଭିତରେ ସମସ୍ତେ

ଆମେ ଆଜି ଯେମିତି ଛଟପଟ ।


ତଥାପି ସବୁବୁଝି ଅବୁଝା କାହିଁକି ହୁଅ

ସର୍ବଶ୍ରେଷ୍ଠ ବୋଲି ଗର୍ବ କର ଭାରି

ଧରାକୁ ସରା ମନେ କରି

ହୁକୁମ ଜାହିର କର 

ଏକା ବଞ୍ଚିବାର କଳା ବେଶ ତୁମକୁ ଜଣା

ସେଥିପାଇଁ ବଂଶବୃଦ୍ଧି କରିଚାଲ ବିସ୍ଫୋରଣ ଭଳି ।


ଅନେକ ଥର ତୁମକୁ ମୁଁ ବୁଝାଇଛି 

ବନ୍ୟା ବାତ୍ୟା ଭୂମିକମ୍ପର ଚଢା ଭାଷାରେ

ପୁଣି କେବେ ପୋଛିଦେଇଛି 

ତୁମ କ୍ଲାନ୍ତ ଝାଳୁଆ ମୁଁହକୁ

ଲୁହ ଝଳ ଝଳ କରି ପ୍ରେମରେ 

ସବୁଜ ମୋ କୋମଳ ପଣତକାନିରେ ।


ତୁମେ ପାରନି ବୁଝି ଗୋଟେ ମାର ବାତ୍ସଲ୍ୟ ମମତାକୁ

ତୁମ କାନ ମୋଡି ଧରିଲେ ଯେତେଥର

ମାଟି ଖାଇ କୃଷ୍ଣ ସାଜି ଭୁଲାଇଦିଅ

ଦେଖାଇ ପାଟି ଭିତରେ 

ଭିନ୍ନ ଏକ ରଙ୍ଗିନ ପୃଥିବୀକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy