ସ୍ୱପ୍ନ ର ଦୁନିଆ
ସ୍ୱପ୍ନ ର ଦୁନିଆ
ପର କି ଆପଣା ଦୁନିଆରେ ନାହିଁ
ସଭିଏଁ ତାଙ୍କରି ସୃଷ୍ଟି
ପର ବି ଆପଣା ଲାଗିବ ସହଜେ
ବଦଳାଇ ଦେଲେ ଦୃଷ୍ଟି ।
ଶତ୍ରୁ କି ମିତ୍ର ଜନ୍ମ ରୁ ନଥାଏ
ମଣିଷ ଅର୍ଜଇ ଏଠି,
କର୍ମ ଓ ବଚନ ସବୁ ପାଇଁ ଦାୟୀ
ସୁନା ବି ହୁଅଇ ମାଟି ।
ଏହି ବଚନ ରେ ଅଛି ବି ଅମୃତ
ଅଛି ହଳାହଳ ବିଷ,
କହି ତ ଜାଣିଲେ କଥା ଯେ ସୁନ୍ଦର
ଭାଙ୍ଗେ ଅଭିମାନ ରୋଷ ।
ମଧୁର ବଚନ ହୃଦୟ ଜିଣଇ
ଶତ୍ରୁ ବି ହୁଅଇ ମିତ୍ର,
କଟୁ କଥା ପାଇଁ ସଂସାର ଭାଙ୍ଗଇ
କିବା ପତ୍ନୀ କିବା ପୁତ୍ର ।
ବାପା, ମା, ଭାଇ, ଆତ୍ମୀୟ ସ୍ୱଜନ
ନାମ କିଛି ସମ୍ପର୍କର
ସମଗ୍ର ମାନବ ଜାତିଟା ଆମରି
ପିତା ଯେ ପରମେଶ୍ୱର ।
ସଭିଏଁ ଆମେରେ ଅମୃତ ସନ୍ତାନ
ଅମୃତ ହେଉ ଯେ ଭାଷା
ପରମ ପିତା ଙ୍କ ସନ୍ତାନ ବୋଲି
ଦୂର ହେଉ ରାଗ, ହିଂସା।
ଆସିଥିଲେ ଏକା ଯିବାବି ତ ଏକା
କିଛି ସାଥେ ନେବା ନାହିଁ,
ମନେ ରଖି ଥିବେ ପରିଚିତ ଯେତେ
ବଚନ ପଦିଏ ପାଇଁ ।