ତମେ
ତମେ
ସକାଳ ସୁରୁଜ ଉଇଁବା ଆଗରୁ
ତମେ ଯେବେ ଆସି ଯାଆନ୍ତ,
ସଞ୍ଜ ବେଳେ ଜହ୍ନ ଆସିବା ଆଗରୁ
ତମେ ଯେବେ ଦେଖା ହୁଅନ୍ତ |
ଫଗୁଣରେ ଫଗୁ ଆସିବା ଆଗରୁ
ତମେ ଯେବେ କଥା ହୁଅନ୍ତ,
ଶ୍ରାବଣରେ ବର୍ଷା ଝରିବା ଆଗରୁ
ପ୍ରେମ ବର୍ଷା କରି ଦିଅନ୍ତ |
ବସନ୍ତେ ମଳୟ ବହିବା ଆଗରୁ
ପଣତ ଉଡେଇ ଯାଆନ୍ତ
ଗ୍ରୀଷ୍ମରେ ଝାଂଜି ଜାଳିବା ଆଗରୁ
ପ୍ରେମ ନିଆଁ ଜାଳି ଦିଅନ୍ତ |
ମନ ଖୋଲି ମୁହିଁ କହିବା ଆଗରୁ
ତମେ ଯଦି କହି ଦିଅନ୍ତ
ବିରହ ନିଆଁରେ ଜଳିବା ଆଗରୁ
ତମେ ଯଦି ଭଲ ପାଆନ୍ତ |
ତେବେ ସୂରୁଜ ଆସନ୍ତା ପୂରୁବ ଆକାଶେ
ସୁନେଲି କିରଣ ଢାଳି
ଜହ୍ନ ବି ହସନ୍ତା ସଞ୍ଜ ନଇଁ ଗଲେ
ଦୁରେଇ ଅନ୍ଧାର କାଳି |
ଫଗୁଣ ବି ଆସି ରଙ୍ଗେଇ ଦିଅନ୍ତା
କେତେ ଫୁଲ ପ୍ରଜାପତି
ଶ୍ରାବଣ ଆସିଲେ ଭିଜେଇ ଦିଅନ୍ତା
କିବା ଦିନ କିବା ରାତି |
ବସନ୍ତ ଆସନ୍ତା ମଳୟକୁ ଆଣି
କୋଇଲିର କୁହୁ ତାନେ,
ଗ୍ରୀଷ୍ମ ବି ଆସନ୍ତା ମନ ମତାଣିଆ
ଆମ୍ବ ପଣସର ବନେ |
*********