ସ୍ୱାଧୀନତା
ସ୍ୱାଧୀନତା
ପରାଧୀନତାରୁ ମୁକ୍ତ ହେଇ ଆମେ
ହେଇଛୁ ଆଜି ସ୍ବାଧୀନ
ଆମରି ହାତରେ ନିଜେ ଆମେ ଆଜି
ଚଳାଉ ଅଛୁ ଶାସନ ।
ସାର୍ବଭୌମ ଏଇ ଗଣତନ୍ତ୍ର ରାଷ୍ଟ୍ର
ଆମ ଏ ଭାରତ ବର୍ଷ
ସାରା ବିଶ୍ୱ ଆଜି ଚକିତ ହୋଇଛି
ପଢି ତାର ଇତିହାସ ।
ଆଗରୁ ଇଂରେଜ ଶାସନ କାଳରେ
ଭୋଗିଲୁ ଦୁଃଖ ଦୁର୍ଦ୍ଦଶା
ଏବେ ମନମୁଖୀ ଶାସନ ଏମିତି
ହେଉ ଅଛୁ ଲୋକ ହସା ।
ସ୍ୱାଧୀନ ହେଇଛୁ ସମ୍ବିଧାନେ ସିନା
ଜୀବନଟା ପରାଧୀନ
କର୍ମଟିଏ ପାଇଁ ଧାଇଁ ବୁଲୁ ଅଛୁ
ନ ହେଉ କାହା ଅଧୀନ ।
ତଥାପି ନା କର୍ମ ମିଳୁଛି ଜୀବନେ
ଲାଞ୍ଚ ଖାଇଯାଏ ମୁଣ୍ଡ
ମାମୁଁ ଘର ନାଲି କୋଠା ଦେଖୁ ଥାଏ
ଯିଏ ଖୋଲୁ ଥାଏ ତୁଣ୍ଡ ।
ତେଲିଆ ମୁଣ୍ଡରେ ତେଲ ଢଳା ଯାଏ
ଜାତୀୟତା ସୃଷ୍ଟି ହୁଏ
ଏହାକୁ କି କୁହ ଆଧୁନିକ ଯୁଗ
ସ୍ୱାଧୀନତା କୁହାଯାଏ ।
ଯେଉଁ ଆଡେ ନେତା ସିଆଡେ ତ ଛତା
ସେ ଆଡେ ବରଷା ହୁଏ
ଏତେ ଭଲ ଜମି ପାଖେ ଥାଇ ସିଏ
ମରୁଡିରେ ଗଣା ଯାଏ ।
ଏଇ ସ୍ୱାଧୀନତା ପାଇଁ ଆମ କେତେ
ଦେଇଥିଲେ ଜଳାଞ୍ଜଳି
ଜୟୀ ରାଜଗୁରୁ ରାଣୀ ଲକ୍ଷ୍ମୀବାଈ
ମଙ୍ଗଳ ପାଣ୍ଡେଙ୍କ ବଳି ।
ବୀର ସୁରେନ୍ଦ୍ର ସାଏ ଭଗତ ସିଂ ପୁଣି
ବିନାୟକ ସଭରକର୍
ସୁଭାଷ ଚନ୍ଦ୍ର ବୋଷ୍ ବାଜି ରାଉତ
ବାଜି ଦେଲେ ଜୀବନର ।
ଏମିତି ଅନେକ ଦେଶପ୍ରେମୀ ଆମ
ଦେଇଛନ୍ତି ବଳିଦାନ
ଇତିହାସ ତାଙ୍କ ଯଶ କୀର୍ତ୍ତି ଗାଏ
ଆମ ଭାରତ ମହାନ ।
ଉଣେଇଶି ଶହ ସତଚାଳିଶି ମସିହା
ଅଗଷ୍ଟ ପନ୍ଦର ଦିନ
ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରେ
ହୋଇଲୁ ଆମେ ସ୍ୱାଧୀନ ।
ଜାତିର ପିତା ସେ ହୋଇଲେ ଆମର
ତାଙ୍କ ପାଦରେ ଜୁହାର
ତ୍ରିରଙ୍ଗା ଆମର ଜାତୀୟ ପତାକା
ଉଡୁ ଥାଏ ଫରଫର ।
ଉପରେ ନାରଙ୍ଗୀ ମଝିରେ ଯେ ଧଳା
ତଳେ ସବୁଜର ରଙ୍ଗ
ଧଳା ରଙ୍ଗେ ମଧ୍ୟେ ଚବିଶିଟି ଅର
ଚକ୍ର ଥାଏ ନୀଳ ରଙ୍ଗ ।
ଦୁଇଟି ଜାତୀୟ ଦିବସ ଆମର
ଏଇ ତ୍ରିରଙ୍ଗାକୁ ନେଇ
ଅଗଷ୍ଟ ପନ୍ଦର ଜାନୁୟାରୀ ଛବିଶି
ପାଳୁ ଥାଉ ହର୍ଷ ହେଇ ।
ଯେତେ ଦୁଃଖ ଥାଉ ହୃଦୟ ଭିତରେ
ଆମେ ଗର୍ବ କରୁ ଥାଉ
ପବିତ୍ର ଏ ମାଟି ତ୍ରିରଙ୍ଗା ପତାକା
ଦେଖି ଦେଲେ ଖୁସି ହେଉ ।
ଗର୍ବ ଓ ଗୌରବ ଏ ଦେଶ ଆମର
ଆମେତ ଭାରତବାସୀ
ଯେତେ ଯାହା ହେଉ ଭେଦ ଭାବ ଭୁଲି
ଏକତା ରଖିବୁ ହସି ।
କୋଟି ପ୍ରଣିପାତ ଭାରତ ବର୍ଷକୁ
ତ୍ରିରଙ୍ଗା ଆମ ସଲାମ୍
ଉଡୁ ଥିବ ଧ୍ବଜା ଯୁଗ ଯୁଗ ପାଇଁ
ସାହା ପ୍ରଭୁ ଓଁ ଶ୍ରୀରାମ ।
