ସ୍ୱାଧୀନ ଭାରତ
ସ୍ୱାଧୀନ ଭାରତ
ଅଗଣିତ ମଣିଷ ଶୋଭିତ ଆମ ଏଇ ବିଚିତ୍ରମୟ ପୂଣ୍ୟ ଧରା
ପଶୁ ପକ୍ଷୀ ସ୍ଥାବର ଜଙ୍ଗମ କୀଟ ପତଙ୍ଗ ବେଷ୍ଟନୀ ପସରା l
ଈଶ୍ୱର ସୃଷ୍ଟ ମଣିଷଜାତି ନିପାତନ ସିଦ୍ଧ ସେମାନଙ୍କ ମଧ୍ୟରେ
ବୁଦ୍ଧିପୂର୍ଣ୍ଣ ଉନ୍ନତ ମହାଜୀଵ ସେ ଜୀଏ ଦ୍ୱିପଦ ପ୍ରାଣୀଭାବରେ l
ସଂସାର ବନ୍ଧନେ ଆବଦ୍ଧ ମଣିଷ ଭୁଲିଯାଏ ନିଜର ଅସ୍ତିତ୍ୱ
ଷଡ଼ ରିପୁର ଶୃଙ୍ଖଳେ ବେଳେ ବେଳେ ଲୁଟେ ସ୍ୱଜାତି ମହତ୍ତ୍ୱ l
ବଳୁଆ ଟାଣୁଆ ମଣିଷ ଶୋଷି ଚାଲେ ନିରୀହ ମଣିଷ ରକତ
ନିଜ ଗନ୍ତାଘର ଭରି ଚାଲେ ସଦା ନିଜ ସ୍ୱାର୍ଥ ପୂରଣେ ଚେଷ୍ଟିତ l
ନିର୍ବିବେକୀ ବୁଦ୍ଧିଜୀବୀ ମଣିଷ ଶାସନେ ହୁଏ ଶ୍ରମଜୀବୀ ବିବ୍ରତ
ନପାଇ କୂଳ କିନାରା ଶ୍ରମଜୀବି ସଂସାର ବଳୟେ ହୁଏ ଚକିତ l
ରାଜତନ୍ତ୍ର ଶାସନେ ମଣିଷ ସମାଜେ ହେଲା ଛୋଟ ବଡ଼ ବିଭେଦ
ବେଠି ବେଗାରୀ ଖଟି ଖଟି ଶ୍ରମିକ ନିଜ ଜୀବନେ ଭରିଲା ଖେଦ l
ଅପାଠୁଆ ଶ୍ରମଜୀବି ଗୋଷ୍ଠୀ ଆଜୀବନ ହୋଇଥିଲା ନିଷ୍ପେସିତ
ରାଜା ଭୁଜ ଛାୟା ତଳେ ନିଜ ପରିବାରକୁ କରିଥିଲା ସେ ସମର୍ପିତ l
ଗଣତନ୍ତ୍ର ଶାସନେ ବଦଳିଲା ଶ୍ରମଜୀବୀ ମଣିଷର ଅଭିଶପ୍ତ ନିୟତି
ଆଧୁନିକ ଦୁନିଆଁରେ ନବ ଜୀବନ ଲଭି ସ୍ଵଚିତ୍ତେ ପାଇଲା ସେ ଶାନ୍ତି l
ତଥାପି ଅପାଠୁଆ ଶ୍ରମିକର ଶୋଷିତ ଜୀବନର ନହେଲା ସମାପ୍ତ
ଅତି ଆଧୁନିକ ପାଠୁଆ ମଣିଷର କରାମତି କଲା ଆହୁରି ବିଚଳିତ l
ପୁଅ ଝିଅ ସ୍ତ୍ରୀଙ୍କ ଚାହିଦା ବଢିଗଲା ଆଧୁନିକ କମ୍ପ୍ୟୁଟର ଯୁଗରେ
ପାରିଲାନି ସମ୍ଭାଳି ନିଜକୁ ବିକିଲା ସେ ମନୁଷ୍ୟତ୍ୱ ନରାଧମ ଦ୍ୱାରେ l
ଅର୍ଥାଗମ ପ୍ରଚେଷ୍ଟାରେ କରି ଚାଲିଲା ସେ ଚୋରା କାରବାର ଧନ୍ଦା
ବୁଦ୍ଧିଜୀବୀ ମଣିଷର ଛେଚେଡ଼ା ଟିକେ ପାଇବାକୁ ନିଜେ ହେଲା ବନ୍ଧା l
ସରକାରୀ ଅର୍ଥ ଆତ୍ମସାତ ନୀତି ଜାଣେନା ସେ ତ ନିରୀହ ମଣିଷ
ଶ୍ରମକୁ ସେ ମଣି ମାନଦଣ୍ଡ ସଦା ସ୍ୱଳ୍ପ ଉପାର୍ଜନେ ପାଏ ସେ ସନ୍ତୋଷ l
ନିଜ ଶ୍ରମଦାନେ ସୁଉଚ୍ଚ ମଖମଲୀ ପ୍ରାସାଦ ନିର୍ମାଣେ ହୁଏ ସେ ମଗନ
ଲୁଟେରା ଗଣତନ୍ତ୍ର ବୁଦ୍ଧିଜୀବୀଙ୍କ ସେଯେ ମହଲ ପ୍ରତିଷ୍ଠା ଛୁଁଏ ଗଗନ l
ଆଶାର ସୌଧ ଭଗ୍ନ ହୋଇଯାଏ ତାର ଜୀବନେ ନହୁଏ ସେ ଅମୀର
ରଙ୍ଗ ବେରଙ୍ଗୀ ସୌଧ କରିଚାଲେ ଗଢ଼ଣ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟ ବ୍ୟକ୍ତିତ୍ୱର l
ଶୋଷି ଶୋଷି ଶ୍ରମ ଶ୍ରମଜୀବୀର ସତତ ଅମୀର ନହୁଏ ଆଜି ସନ୍ତୁଷ୍ଟ
ଅର୍ଥ ପିପାସୁ ଆଧୁନିକ ଭ୍ରଷ୍ଟାଚାରୀ ପାଇଛି ସଇତାନୀ କଳାର ମୁକୁଟ l
ଧନ୍ୟ ଧନ୍ୟ ଗଣତନ୍ତ୍ର ଖେଳୁଛ ହେ ଆଲୁଅ ଅନ୍ଧାର ଲୁଚକାଳି ଖେଳ
କୁବେର ଶିରେ ଢାଳୁଛ ଚଞ୍ଚଳାବର ଭିକାରି ମୁଣ୍ଡେ ଢାଳି ଫଟାକପାଳ l
ଆହେ ଜନଗଣ ଶତ୍ରୁ ମିତ୍ର ଗଣତନ୍ତ୍ରର ଚାହୁଁନୁ ଆଉ ତୁମ ଦୟା ମାତର
ଚାହୁଁନା ଆଉ ଆମେ ପିନ୍ଧିବାକୁ ତୁମ କଳଙ୍କିତ କଳ ତନ୍ତବୁଣା ବସ୍ତର l
*****************
