STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ରୂପାନ୍ତରଣ

ରୂପାନ୍ତରଣ

1 min
136


ପଥପ୍ରାନ୍ତର ଅଲୋଡ଼ା ଅପାଙ୍କ୍ତେୟ

ପଥରଟିଏ ମଣି ଆଜି ଦର୍ପାଭିମାନରେ

ତୁମେ ଆଡ଼େଇ ଦେଇଛ ଯାହାକୁ ପାଦରେ

ହୋଇପାରେ ସିଏ କାଲିକୁ ବନିଯିବ

ତୁମ ପାଇଁ ଆରାଧ୍ୟ ଠାକୁର।

ଜାତିସ୍ମର ପଥରଟି ହସୁଥିବ ମୁରୁକି

ଶୁଣି ତୁମ୍ଭ ଅନୁନୟ ବିନୟ

ତୁମ୍ଭେ ହୋଇଥିବ ତାହାର ପଦାନତ

ପିଟୁଥିବ ମଥା ତାହାରି ପାଶରେ।

ଶିଳ୍ପୀ ହସ୍ତର କାଉଁରୀ ସ୍ପର୍ଶରେ

କୁରୂପ ନିଷ୍ପ୍ରାଣ ଶିଳାଖଣ୍ଡଟି

ସମୟ ସୁଅରେ ପାଲୋଟି ଯାଇପାରେ

ଅପରୂପା ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତିଟିଏ

ଲଭିପାରେ ପ୍ରାଣ ନୂତନ ଜୀବନ

ଶିଳ୍ପୀର ନିହାଣ ମୂନରେ।

କ୍ଷୁଦ୍ର ଜଳ କଣା ଯାହାକୁ ହେୟ

ମଣିଥାଅ ତୁମେ ବେଳେ ବେଳେ

ସମ୍ମିଳିତ ହୋଇ କେତେ ବେଳେ

ଯେ ବନିଯାଏ ମହାସାଗର

କେହି ବି ଚିନ୍ତି ନପାରଇ ହେଳେ।

ସୂକ୍ଷ୍ମାତିସୂକ୍ଷ୍ମ ଅଗ୍ନୀର ପିଣ୍ଡୁଳା

ଯିଏ ପୋଷା ମାନି ଆଲୋକିତ

କରୁଥାଏ ତୁମ୍ଭର ଜୀବନକୁ ପ୍ରତିକ୍ଷଣ

ଅସାବଧାନତା ହେତୁ କ୍ଷଣିକରେ

ଲେଲିହାନ ଶିଖା ସାଜି ଗ୍ରାସି ପାରେ

ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ସସାଗରାଧରା।

ଏଇ ଦୁନିଆ ବୁକୁରେ କେହି ବି ନୁହଁଇ

ତୁଛ ହୀନ ଅପଦାର୍ଥ ଅବା ଘୃଣିତ ବର୍ଜିତ

କେତେବେଳେ ଯେ କାହାର ହେବ

ଭାଗ୍ଯୋଦୟ କିଏ ଅବା ଭରସି କହିବ?

ନକର କାହାରି ଅପମାନ ଅନାଦାର

କିଏ ଜାଣେ କାଲିକୁ କଣ ବା ହେବ

ବିଗତ ଦିନର ଲାଞ୍ଛିତ ସହିତ ତୁମେ

କଣ ଆପଣାର ଆଖି ମିଳାଇ ପାରିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract