ରୂପାନ୍ତର
ରୂପାନ୍ତର
ଗୋଟିଏ ରୂପରୁ ଅନ୍ୟ ରୂପ ହେଲେ
ରୂପାନ୍ତର କୁହାଯାଏ
ସେଇ ରୂପାନ୍ତର ଅନେକ ପ୍ରକାର
ବିଭିନ୍ନ ଆକୃତି ଥାଏ ।
ଜଳରୁ ଯେ ବାଷ୍ପ ବାଷ୍ପରୁ ଯେ ଜଳ
ସେଇ ଜଳ ଥଣ୍ଡା ହେଲେ
ବରଫରେ ରୂପାନ୍ତର ହୋଇ ସିଏ
ଶେଷେ ମିଶିଯାଏ ଜଳେ ।
ଧାନରୁ ଚାଉଳ ଚାଉଳରୁ ଭାତ
କ୍ଷୀରରୁ ପାଲଟେ ଦହି
ଏଇ ରୂପାନ୍ତର ଭୌତିକ ବୋଲାଏ
ରାସାୟନିକ ଗୁଣ କହି ।
ବୀଜରୁ ଯେ ଚାରା ରୂପାନ୍ତର ହୋଇ
ବୃକ୍ଷେ ପରିଣତ ହୁଏ
ସେଇ ବୃକ୍ଷ ଫୁଲଫଳ ଛାୟା ଦେଇ
ଜୀବକୁ ଜୀବନ ଦିଏ ।
କ୍ଷଣ କ୍ଷଣକରେ ଏଇତ ପୃଥିବୀ
ଗତି ବଦଳିଣ ଯାଏ
କେତେବେଳେ ସିଏ କେଉଁ ରୂପ ନିଏ
କିଏ ଅବା ଜାଣିଥାଏ ।
ମଣିଷର ରୂପାନ୍ତର ଗୁଣେ ଥାଏ
ବିବେକ ସାରଥୀ ହୁଏ
କେବେ ସେ ବିକୃତି ପ୍ରକୃତି ଆଚରେ
ଦେବତା ପାଲଟିଯାଏ ।
ମନଟା ମହତେ କାର୍ଯ୍ୟେ ରୂପାନ୍ତର
ଯେବେ ତା'ର ହୋଇଥାଏ
ସେତେବେଳେ ସିଏ ସମାଜ ମଙ୍ଗଳ
ବନ୍ଧୁଟି ପାଲଟି ଯାଏ ।
ପଦାର୍ଥ ଦେହରୁ ବିଭିନ୍ନ ଆକୃତି
ଦ୍ରବ୍ୟମାନ ସୃଷ୍ଟି ହୁଏ
ସେଇ ଦ୍ରବ୍ୟକୁ ଯେ ଏଇତ ମାନବ
ବ୍ୟବହୃତ କରିଥାଏ ।
ବିଭିନ୍ନ ଋତୁରେ ଏଇ ବସୁନ୍ଧରା
ସୌନ୍ଦର୍ଯ୍ଯରେ ରୂପାନ୍ତର
ସେଇ ରୂପାନ୍ତର ଅତି ମନଲୋଭା
ନାହିଁ ତା'ର ପଟ୍ଟାନ୍ତର ।
ପ୍ରକୃତିଟି ଯଦି ରୂପାନ୍ତର ହୁଏ
ଚାଲେ ବି ବିଶ୍ବ ଜଗତ
ମଣିଷ ପ୍ରକୃତି ଭଲ ନହୋଇଲେ
ସରେ ତ ତା'ର ମହତ ।
