ରୂପ ରୂପାନ୍ତର
ରୂପ ରୂପାନ୍ତର
ତମେ କହିଲ
ଚୂପ ହୋଇ ରହିବା ଶିଖ
ଏତେ ପ୍ରଗଳ୍ଭତା
ଭଲ ଲାଗେନା ତମକୁ
ଚୂପ ହୋଇଗଲି ସେଦିନଠୁ
ଚୂପ କରିଇଦେଲି
ଅଣାୟତ କାଳଜୟୀ ଇଛା ମାନଙ୍କୁ
ସହସ୍ର ଯୁଗରୁ
ମୋ ଭିତରୁ
ରହି ରହି ଶୁଭୁ ଥିବା ପ୍ରତିବାଦ ମାନଙ୍କୁ ।
ଶବ୍ଦଙ୍କ କାନ୍ଧରେ ମୁଣ୍ଡରଖି
ଜିଇଁ ଗଲି କିଛିକାଳ
ତମେ କହିଲ
ଏତେ ପ୍ରବଣତା
ଭଲ ଲାଗେନା ତମକୁ
ମନକୁ ବୁଝେଇଦେଲି
ବୋଲକରା ନିର୍ବୋଧ ଶିଶୁଟେ ପାଲଟିଗଲି ।
କର୍ତ୍ତବ୍ୟର ଦ୍ୱାହି ଦେଇ
ମୋ ପାରିଲାପଣକୁ ବୁହାଇଦେଲା ପରେ
ସମୟର ଉଜାଣି ସୁଅରେ
ଭାଙ୍ଗୁ ଭାଙ୍ଗୁ ଯୋଡି ହୋଇଗଲି...
ଏବେ କହୁଛ
ବୋକୀଟେ
ଠିକରେ ଚାଲି ଶିଖିପାରିଲାନି ।