ଋତୁ ଆସେ ଋତୁ ଫେରେ
ଋତୁ ଆସେ ଋତୁ ଫେରେ
ଶୀତ ଟା ଧୀରେ ଆସିଛି
ନୂଆ ବୋହୂ ପରି ପାଦ ଚିପି
କୁଆଁର ପୁନେଇଁ ରାତିର
ଚାନ୍ଦ ବନ୍ଦାପନା ଡାଲା ରେ
ଟୋପା ଟୋପା କାକର ବିନ୍ଦୁ ରେ
ଗାଆଁ ଶେଷ ମୁଣ୍ଡ ଗୋହରୀ ରେ
ଦେହ ଥରେଇ ଦେଉଥିବା
ହେମାଳ ପବନ ରେ
ପାଟ ବିଲ ଧାନ କିଆରୀରେ
ଆକାଶର ଜହ୍ନକୁ ଲୁଚେଇ
ଘନ କୁହୁଡ଼ି ର ବହଳ ଆସ୍ତରଣ ଭିତରେ ।
ଶୀତ ଟା ହସୁଛି
କାହା ରାଜସ୍ଥାନୀ ରେଜାଇ,
କାଶ୍ମୀର କମ୍ବଳ, ଟୋପି, ଶାଲ୍
ଜାକେଟ୍ ର ଉଷୁମ ଭିତରେ
ରାତିର ମିଠା ମିଠା ରଙ୍ଗୀନ୍ ସ୍ଵପ୍ନ ରେ
ଅଳସ ସକାଳ ର କଅଁଳ ସୂର୍ଯ୍ୟ କିରଣ ରେ
ବଗିଚାର ଜାତି ଜାତି ଫୁଲ ପାଖୁଡ଼ା ରେ ।
ଶୀତ ପରିହାସ କରେ
ଦୁଃଖି ଟି ର ଭଙ୍ଗା କୁଡ଼ିଆ କୁ,
ଯିଏ ସଜାଡି ରଖୁଛି ସାତ ସିଆଁ କନ୍ଥା ଖଣ୍ଡେ
ବର୍ତ୍ତିବାକୁ ହାଡ ଥରା ଶୀତର ପ୍ରକୋପ ରୁ
ନିଆଁ ଟିକେ ଜାଳି ଦେଇ ହାତ ପାଦ କୁ ସେକି
କେତେ ରାତି କଟାଏ ଉଜାଗର ରେ
ହିସାବ ସେ ରଖି ପାରେ ନାହିଁ,
ଖଟିଖିଆ ମଣିଷ ରକ୍ତକୁ ନିଗାଡି
ଦିନ ବିତାଇ ଦିଏ ଫୁଙ୍ଗୁଳା ଦିହରୁ
ବିନ୍ଦୁ ବିନ୍ଦୁ ଝାଳ ନିଗାଡି ଦେଇ।
ଋତୁ ଆସେ ଋତୁ ଫେରେ
ଛାଡିଯାଏ ସ୍ମୃତି ସମ୍ଭାବନା
ସୁଖ ଦୁଃଖ ହସ ଲୁହ ଭରା
ଚିହ୍ନ କେତେ ଆପଣା ର ।
