STORYMIRROR

Sarojini Mishra

Classics

4  

Sarojini Mishra

Classics

ରଥଖଳା

ରଥଖଳା

2 mins
7


ବଇଶାଖ ଶୁକ୍ଳ ପକ୍ଷର ତୃତୀୟା
ଅକ୍ଷି ତୃତୀୟା ବୋଲାଏ
ପାପ ବିନାସିନୀ ଧର୍ମ ପ୍ରଦାୟିନୀ
ଅକ୍ଷୟ ତୃତୀୟା ସିଏ |

କାଳିଆ ସୁନାର ରଥ ଯାତ ପାଇଁ
ବହୁ ଆଗରୁ ପ୍ରସ୍ତୁତି
ମାଘ ପଞ୍ଚମୀରୁ କାଠର ସଂଗ୍ରହ
ଧନ୍ୟ କାଳିଆର ନୀତି ।

ଅକ୍ଷୟ ତୃତୀୟା ମାହେନ୍ଦ୍ର ବେଳାରୁ
ରଥଖଳା ରେ ଯେ କାମ
ରାଜ ନବରର ସମ୍ମୁଖରେ ପରା
ରଥଖଳା ର ଯେ ସ୍ଥାନ |

ଏ ପୂଣ୍ୟ ତିଥିରେ ସଂକଳ୍ପ ପୂର୍ବକ
ଆଚ଼ାର୍ଯ୍ୟ ବରଣ ହୁଏ
ଏହି ନିତି କରିଥାନ୍ତି ଯେ ନୃପତି
ରଥଖଳା ସମୀପରେ ।

ମାଆ ଚର୍ଚ୍ଚିକାଙ୍କ ପୂଜା ସମାପନେ
ଆଜ୍ଞାମାଳ ଆସିଥାଏ
ନିଷ୍ଠାର ସହିତ ରଥ କାର୍ଯ୍ୟ ପରା
ସମାପନ ହୋଇଥାଏ ।

ଏକ ଶତ ଆଠ ଘୃତାହୁତି ପରେ
ଆଚାର୍ଯ୍ୟ ଗଣଙ୍କ ଦ୍ୱାରା
ବୃକ୍ଷ ମୂଳ ସଂସ୍କାରିତ ହୋଇଥାଏ
ବୃକ୍ଷମୂଳେ ଘୃତ ଧାରା ।

 ଅବର୍ଣ୍ଣନୀୟ ଏ ରଥଖଳା ଦୃଶ୍ୟ
କାରିଗରଙ୍କର ଭିଡ଼
ନିଷ୍ଠାର ସହିତ କାର୍ଯ୍ୟ କରିବାକୁ
ନେଇ ଥାନ୍ତି କାର୍ଯ୍ୟ ଭାର ।

ମହାରଣା ଆଉ ଭୋଇ ସେବକ ଯେ
ତିନି ଜଣ ରୂପକାର
କରତିଆ ଲୋଡା ଚିତ୍ରକର ଲୋଡ଼ା
ଲୋଡ଼ା ଅନ୍ୟ କାରିଗର |

ସ୍ଥାୟୀ ଓ ଅସ୍ଥାୟୀ କାରିଗର ନେଇ
ଖଳା ହୁଅଇ ଚଞ୍ଚଳ
ଷାଠିଏ ବଢାଇ ଦଶ ମହାରଣା
ବଂଶ ସହଯୋଗୀ ଠୁଳ ।

ଅକ୍ଷି ତୃତୀୟାରୁ ରଥଖଳା ପରା
ହସେ ଯେ ଆତ୍ମ ସନ୍ତୋଷେ
ପ୍ରଭୁଙ୍କ କାମରେ ଭାଗୀଦାର ହୋଇ
ମନେ ମନେ ସିଏ ହସେ |

କିଏ କାଟୁ ଥାଏ କରତରେ କାଠ
କିଏ ସଂଯୋଗରେ ବ୍ୟସ୍ତ
କିଏ ଚିତ୍ର କରେ କପଡ଼ା ସିଲାଏ
କିଏ ଲୁହା କାମେ ନ୍ୟସ୍ତ l

ତିନି ରଥ ଏଠି ନିର୍ମାଣ ହୁଅଇ
ଆଠ ଶ ବତିଶ କାଠେ
ରଥର ସମସ୍ତ କାର୍ଯ୍ୟ ସମାହିତ
ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତେ |

ଭଉଁରୀରେ ଅଖ ଖଞ୍ଜା ଯାଇ ଥାଏ
ଦିନ ଯେ ନିର୍ଦ୍ଦିଷ୍ଟ ଥାଏ
ଜଗତ ଠାକୁର ବୁଲି ଯିବେ ପରା
ଶ୍ରୀକ୍ଷେତ୍ର ମହକୁ ଥାଏ |

ରଥ ଖଳାରେ ଯେ ହଜାର ହଜାର
 କାରିଗର ଲାଗି ଥାନ୍ତି
ସ୍ୱତନ୍ତ୍ର କାମରେ ସ୍ୱତନ୍ତ୍ର ଲୋକ ଯେ
ଖଳା ଯେ କମ୍ପାଉ ଥାନ୍ତି ।

ରଥଖଳା କାମ ଦିଅଇ ସନ୍ଦେଶ
ରଥ ଯାତରା ଆସୁଛି
ସ୍ନାହାନ ପୂର୍ଣ୍ଣିମା ଯାଏ ରଥଖଳା
କେଡ଼େ ସୁନ୍ଦର ଦିଶୁଛି ।

ରଥଖଳା ହସେ ମୁରୁକି ମୁରୁକି
ପ୍ରଭୁ କାମ ହୁଏ ବୋଲି
ଘୋଷ ଯାତରା ରେ ମୋ କଳା ସାଆନ୍ତ
ଯିବ ଜନ୍ମସ୍ଥାନ ବୁଲି ।


Rate this content
Log in

Similar oriya poem from Classics