STORYMIRROR

Upendra prasad Mahala

Tragedy Classics

4  

Upendra prasad Mahala

Tragedy Classics

ରଥ ଯା' ଗଡିଯା

ରଥ ଯା' ଗଡିଯା

2 mins
263

ଶୁଭୁଛି ମୋତେ ଶୁଭୁଛି
ଘୋର ଘୋର୍ଘର ଘୋଷନାଦ।
ବଡ଼ଦାଣ୍ଡେ ଗଡୁଛି ତିନିରଥ,
ବୁଣି ପଡୁଛି ଅନନ୍ତ ବିଶ୍ବର
ଅପାର ଅନିର୍ବଚନୀୟ ଶୋଭା ।
କମ୍ପୁଛି ଘଣ୍ଟଘଣ୍ଟା ଧ୍ବନି, ଡାହୁକ    
ଡାକରେ ଧାଉଁଛନ୍ତି ବେଗଗାମୀ
ଅଶ୍ବମାନ, ଗଡି ଚାଲିଛି ରଥଚକ
କ୍ରୁର ସମୟର ବକ୍ଷ ଚିରି ।

ଚଉଦିଗେ ଉଛୁଳୁଛି ଭାବ ସମୁଦ୍ର
ବଡଦାଣ୍ଡେ ଗଡୁଛି ଐଶ୍ବର୍ଯ୍ୟ ରଥ
ବିନା ଭକ୍ତରେ ଚାଲିଛି ରଥଯାତ୍ରା
ଲେଖା ହେଉଛି ନୂଆ ଇତିହାସ ।

କହିବିନି ରଥରେ ଘଡିଏ ରହିଯା'
ମୋହ ଯିବା ଯାଏ । ଲମ୍ବିଛି ଦୁର୍ଗମ
ପଥ, ମୁଁ କ୍ଳାନ୍ତ ଦିଗହରା ପଥିକ ।
ଟାଣିବିନି ରଥ ଦଉଡି, ଫିଙ୍ଗିବିନି
ସଜ ତୋଳା ନଡିଆ, ଫୁଲ ଚନ୍ଦନ
ସାଥିରେ ଧରି ଭଉଣୀ ଭାଇ ଯା'
ବୁଲି ଆସିବୁ ଯା' ତୋ ଜନ୍ମଭୂଇଁ ।

ଜାଣେ ତୁ ଇଛାମୟ , ତୁ ଲୀଳାମୟ
ଦାରୁଦିଅଁ, ପରଂବ୍ରହ୍ମ, ପୁରୁଷୋତ୍ତମ
ଜଡଦେହେ ମହାଚେତନାର ଅସ୍ମିତା ।
ତୁ ହିଁ ସୃଜନ, ତୁ ପ୍ରଳୟର ସ୍ବର ।
ତୋ ଇଛା ବିନା ହଲେନି ଗୋଟେ ବି
ପତର, ଚାଲେନି ନିଃଶ୍ବାସ ପ୍ରଶ୍ବାସ !!

କହିଵୁକି କାହିଁକି ଭାଂଗି ଦେଉଛୁ
ଆସ୍ଥା ଓ ବିଶ୍ବାସ ? କାହିଙ୍କି ପରଖୁଛୁ
ତୋତେ ଭଲ ପାଉଥିବା ମନକୁ ?
ମୁଁ ନୁହେଁ ଭକ୍ତ ସାଲବେଗ କହି
ଦେଲେ ତୁ ରଥରେ ଅଟକି ଯିବୁ,
ମୁଁ ନୁହେଁ ଦାଶିଆ ବାଉରୀ ନଡିଆ
ଦେଲେ ହାତ ବଢାଇ ନେଇଯିବୁ।
ପରକରି ସବୁଦିନ, କାହିଁକି ପଠାଉ
ମୋ ପାଶେ, ପ୍ରଜାପତି ଡେଣାରେ 
ଆଙ୍କି "ଚକାନୟନ" ଛବି ତୋର।
କାହିଁକି ଝୁରି ମରେ ନିତିଦିନ
ତୋ ଲାଗି ଜାଣେନି ସେକଥା ।

ହେ ଜଗତ ବାନ୍ଧବ !! ରଥାରୂଢ
ଥାଇ ଚାହିଁ ଦେଖ ତୋ ଦୁନିଆକୁ
କେମିତି ବେଢିଛି କାଳବିଷ ଅଂଧାର,
କେତେ ମୂଲ୍ୟହୀନ ଏଠି ଜୀବନ !
ଚାଲିଛି ମୃତ୍ୟୁର ମହାଲୀଳା ।

ବହୁତ ଲୁଚି ଠକିଲୁଣି ତୁ ଭକ୍ତଙ୍କୁ
ଶ୍ରୀମନ୍ଦିର ଛାଡି ଶତାଧିକ ବର୍ଷ
ପାତାଳୀ ହୋଇ ରହିଲୁ ଦୂରେ ।
ଭୂତାଣୁ ଡରେ ବିନା ଭକ୍ତରେ
ପୁଣି କରାଇଲୁ ରଥଯାତ୍ରା ।
କିଏ ତୋ ଲୀଳା ବୁଝିବ !!

ଏତିକି ମାଗୁଣି ଆହେ ଜଗବନ୍ଧୁ !
ଭବ ତାରଣ ଲାଗି ଗୁଣ୍ଡିଚା ଯାତରେ
ବଡଦାଣ୍ଡେ ତୋର ରଥ ଗଡୁଥାଉ
ଏ ଜଗତ ସବୁ ଦୁଃଖ ଭୁଲିଯାଉ ।
ପାରୁଛୁ ଯଦି ଫେରେଇ ଦେ ମନରେ
ଶତ ସିଂହର ବଳ, ଯାହା ହରାଇଛୁ,
ଦୂରେଇ ଦେ ପାପ, ତ୍ରାସ, ସନ୍ତାପ ।
ସବୁରି ମନେ ଢାଳିଦେ କରୁଣା ବାରି,
ଆଶା ଓ ଚେତନାର ଆଲୋକ !!

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy