ରଥ ଗଡେନାହିଁ କାନ୍ଦିଲେ ଭକ୍ତ
ରଥ ଗଡେନାହିଁ କାନ୍ଦିଲେ ଭକ୍ତ
ଭକ୍ତ ପାଇଁ ତୁମ ଗଡ଼ଇ ରଥ
ରଥ ଗଡ଼େ ନାହିଁ କାନ୍ଦିଲେ ଭକ୍ତ
ଧନ୍ୟ ଜଗନ୍ନାଥ ଜଗତନାଥ
ଭକତ ବତ୍ସଳ କଳା ସାଆନ୍ତ ...।
ଭକତର ନିନ୍ଦା ନପାରି ସହି
ସିଂହ ଦ୍ବାରୁ ରଥ ଘୁଞ୍ଚିଲା ନାହିଁ
ଭକ୍ତ କାନ୍ଦୁଥିଲେ ସାଗର ତୀରେ
ତୁମେ ଥିଲ ତାଙ୍କ ବାଲି ରଥରେ
ବଳରାମ ଦାସ ଭକ୍ତିରେ ମତ୍ତ
କ୍ଷମା ଯେ ମାଗିଲେ ରାଜା ଯାଇ ତ
ଦାସେ ଆସି ଯେବେ ଛୁଇଁ ଲେ ରଥ
ନନ୍ଦିଘୋଷ ଚକ ଗଡ଼ି ଗଲାତ ....।
ଶହଶହ କୋଶ ଦୂରରେ ରହି
ଭକ୍ତ ସାଲବେଗ ଅଧିର ହୋଇ
ଡାକିଲେ ହେ ଜଗବନ୍ଧୁ ଗୋସାଇଁ
ଯିବା ଯାଏ ରଥେ ଥିବ ହେ ରହି
ଭକ୍ତ ପାଇଁ ତୁମେ ଅଟକି ଗଲ
ପତିତ ପାବନ ନାମ ରଖିଲ
ତୁମ ପରି କିଏ ହେବ କୁହତ
ଭକ୍ତ ଭାବେ ବନ୍ଧା ଘୋଷେ ଜଗତ...।
ପଚାଶ ବରଷ ତଳର କଥା
ମାନ କରିଥିଲେ ଠାକୁର ରାଜା
ଚାରମାଳ ପରେ ଜଗତସାଇଁ
ଅଟକି ରହିଲେ ଘୁଞ୍ଚିଲେ ନାହିଁ
ଗଜପତି ଆସି ଦେବାରୁ ଛୁଇଁ
ରଥେ ଜଗନ୍ନାଥ ବସିଲେ ଯାଇ
ପ୍ରଭୁଙ୍କର ଲିଳା ସବୁ ଅଦ୍ଭୁତ
ଭକ୍ତ ପାଇଁ କେତେ ଲଗାନ୍ତି ନାଟ....।
ଇତିହାସ ନୁହେଁ ନୁହେଁ ପୁରାଣ
ଏବେକାର କଥା ଭାବ ବନ୍ଧନ
ଆସୁଥିଲା ଶିଶୁ ଦଣ୍ଡ ପକାଇ
ଚନ୍ଦନ ପୁରରୁ ଡାକିଲା ସେହି
ତା ଡାକ ତୁମରି କାନେ ବାଜିଲା
ତା ପାଇଁ ତୁମର ରଥ ରହିଲା
ରଥରେ ତୁମକୁ ଦେଖିଲା ସେତ
ମାନସିକ ତାର ପୂର୍ଣ୍ଣ ହେଲାତ ....।
ଏମିତି କାହାଣୀ କାହିଁରେ କେତେ
ଭକ୍ତ ପାଇଁ ତୁମ ରଥ ଅଟକେ
ମନଗଢା ନୁହେଁ ସବୁତ ସତ
ଭକତ ର ବନ୍ଧୁ ଅନାଥ ନାଥ
ରଥରେ ତୁମରି ବାମନ ବେଶ
ନାଲି ଅଧରରେ ଅପୂର୍ବ ହସ
ଦେଖିବାକୁ ବାଇ ସାରା ଜଗତ
ରଥରେ କାଳିଆ ସବୁରି ନାଥ...।