ରସିକ ନାଗର କଳା କହ୍ନେଇଁ
ରସିକ ନାଗର କଳା କହ୍ନେଇଁ
ଏଡେ ରସିକ ତୁ କାଳିଆ ନାଗର
ଆଖିରେ ଜଜ୍ଜଳ ଦେଇଛୁ ବୋଳି
ରାଧାରାଣୀଙ୍କୁ ତୁ ବାରତା ଦେଇଛୁ
ଆସିବେ କୁଞ୍ଜକୁ କରିବୁ କେଳି I
ଚନ୍ଦ୍ରସେଣା ହାତ ଧରିଅଛି ସିନା
ତୋ ନାମେ ସିନ୍ଦୁର ପିନ୍ଧୁଛି ରାଈ
ଆଇନା ଦେଖି ସେ ସଜେଇ ହେଉଛି
ମୁହଁ ତା ସୁନ୍ଦର ଦିଶେ କି ନାହିଁ I
ଦେହ ସିନା କଳା ମନ ତୋ ରଙ୍ଗୀନ
ଆଖି ଦୁଇଟି ତୋ ଭାରି ସୁନ୍ଦର
ସେ ଆଖିକୁ ଦେଖି ମନ ଯାଏ ଲାଖି
ତୋ ପାଇଁ ସୁନ୍ଦର ଗୋପ ନଗର I
ଗୋପପୁର ବାଳୀ ତୋ ପ୍ରେମେ ପାଗଳ
ଘର ପରିବାର ଯାଆନ୍ତି ଭୁଲି
ଅନ୍ଧାର ରାତିରେ ତୋ ପାଖେ ଆସନ୍ତି
କୁଞ୍ଜବନେ ତୋର କରନ୍ତି କେଳି I
ସଭିଙ୍କର ମନେ ଆସ୍ଥାନ ଜମାଇ
ରାଧାରାଣୀଙ୍କୁ ତୁ କରିଲୁ ପ୍ରେମ
ରାଧାକୃଷ୍ଣଙ୍କର ଯୁଗଳ ମୂରତି
ଦର୍ଶନେ ମିଳଇ ଅମୃତ ଧାମ I
ହେ ଦ୍ୱାରକାଧିଶ ବସୁଦେବ ସୁତ
ଲୀଳାମୟ ତୁମ ଲୀଳା ଅପାର
କରୁଣା ନେତ୍ରରେ ଚାହିଁଥିବ ଟିକେ
ପ୍ରଣାମ ଘେନିବ ହେ ବଂଶୀଧର I
