STORYMIRROR

Anita Dash

Romance

3  

Anita Dash

Romance

ୠକ୍ମିଣୀ ଅନ୍ତର ଅଭିବ୍ୟକ୍ତି

ୠକ୍ମିଣୀ ଅନ୍ତର ଅଭିବ୍ୟକ୍ତି

2 mins
11.9K

ବିଦର୍ଭ ରାଇଜ ରାଜଜେମା

ଥିଲି ଅଲିଅଳି ସୁକୁମାରୀ

ଭାବ ପ୍ରଣୟର ଅଠାକାଠି ଛନ୍ଦି

ମନ ପକ୍ଷୀ କଲ ଚୋରି


ରୂପ ଗୁଣ ଆଉ ବିଭବ ଦେଖିଲେ

କାହିଁରେ ନଥିଲି ଊଣା

ସୁମତି ସୁନୀତି ସୁଗୁଣା ଯୁକ୍ତା

ସୁଶ୍ରୀ ମୁଁ ରାଜକନ୍ୟା


ସାରା ରାଇଜର ପରଜାଙ୍କ ପାଇଁ

ମୁଁ ସିନା ପାଟରାଣୀ

ସ୍ୱାମୀ ସୋହାଗିନୀ ମାନିନୀ ହେବାର

ସଉଭାଗ୍ଯ ମିଳିଲାନି


ପାଶେ ରହି ସଦା ତୁମ ଅନ୍ତରକୁ

ଯଦି ପାରିଲିନି ଛୁଇଁ

ଧିକ ଏ ଜୀବନ ମାନ ସନମାନ

ଥାଟ ବାଟ ଲୋଡା ନାହିଁ


ଚାହେଁନାହିଁ ତୁମ ଛଳନାର ମୋହ

ଯେତେ ସ୍ନେହ ଅନୁରାଗ

ଲୋଡେ ଖାଲି ତୁମ ପ୍ରୀତି ସିଂହାସନେ

ଏକାଙ୍ଗଚକ୍ରୀର ପଦ


ଅଭିମାନିନୀ ମୁଁ ଐଶର୍ଯ୍ୟ କୁ ନିନ୍ଦେ

ଚାହେଁ ଖାଲି ତୁମ

ଆପଣା ଆପଣା ଭାବ

ମୋର ଅନ୍ତରାତ୍ମା ଯଦି ନ ବୁଝୁଛି

ଶହେ ଚୁକ୍ତିରେ କି ଲାଭ


ସହଧର୍ମିଣୀ ର ଧର୍ମ ପାଳିବାରେ

ହୋଇନି ତ୍ରୁଟି ବିଚ୍ୟୁତି

ଆହେ ପ୍ରାଣଧନ କାହିଁକି ମୋ ପାଇଁ

ହେଉଛ ନିର୍ଦୟ ଅତି


ମନ ମନ୍ଦିରେ ନ ବସାଇ

ଦେହ ବନ୍ଧ କିମ୍ପା ଯାଅ ଡେଇଁ

ତୁମ ପ୍ରେମେ ଶ୍ରେୟ ଯୋଗିନୀ ହୁଅନ୍ତି

ବିଟପୀ ହୋଇବି ନାହିଁ


ଦୁନିଆଁ କହୁଛି ମହା ଭାଗ୍ୟବତୀ

ମୁଁ ମୋ ଫଟା କପାଳକୁ ନିନ୍ଦେ

ଚୋର ମା ପରି ଚିର ସୁଖୀ

ଯେଣୁ କବାଟ କିଳିକି କାନ୍ଦେ


ଦୋଳବିମାନ ରେ ରାଇଜ ବୁଲୁଛ

ସାଥେ ନେଇ ରାଧା ରାଇ

ପ୍ରାଣସହି ତାକୁ ଦେଖି ଦେଖି

ମୋର ଅନ୍ତର ହେଉଛି ଦହି


ତୁମ ବଂଶୀ ସ୍ୱନ ଜଗାଏ କମ୍ପନ

ମନ ମୋ ଉଠେ ବିଦ୍ରୋହୀ

ବଜାନା ଗୋ ଆଉ ଅତିଷ୍ଠ ହେଲାଣି

ଯାଆନ୍ତି ବଧିର ହୋଇ


ହୋଇପାର ତୁମେ ରମଣୀ ରଞ୍ଜନ

ସହସ୍ର ଗୋପୀଙ୍କ ପ୍ରିୟ

ମୋ ଆଖିରେ ଖାଲି ମିଛୁଆ କପଟୀ

ନିହାତି ଛଳନାମୟ


ପାଇ ନ ପାଇବା ନରକ ଭୋଗୁଛି

ରାଧିକା ପାଇଛି

ନପାଇ ପାଇବା ସୁଖ

ତଥାପି ବି ସାରା ଦୁନିଆଁ କହୁଛି

ରାଧେଶ୍ଯାମ ରଖ ରଖ


ଜଗତ ଆଖିରେ ମହିୟସୀ ରାଧା

ପୂଣ୍ୟ ପ୍ରେମର ପ୍ରତୀକ

ମୋର ତ୍ୟାଗପୂତ ସମର୍ପଣକୁ

କେ କରିଛି କି ପ୍ରଣିପାତ


ମୁହୁର୍ମୁହୁ ମୋର ଅନ୍ତରେ ଉଛୁଳେ

କେତେ ଯେ ଅଶ୍ରୁରାଗ

ଦରଦୀ ମନର ଅକୁହା ବେଦନା

କରିଛ କି ଅନୁଭବ


ମଉଳା ମନରେ ଫୁଟିବ କିପରି

ପ୍ରୀତି ର ମଧୁ ଗୋଲାପ

ନିଷ୍ପ୍ରାଣ ଶରୀରେ ସଂଚରି ଯାଉଛି

ବିଷନ୍ନ ବିଷନ୍ନ ଭାବ


ଆନ୍ତରିକତା ଓ ପ୍ରୀତି ର ନିର୍ଝର

ସ୍ୱତସ୍ଫ୍ରୁତ ଯାଏ ବହି

ଜୋର୍ କରି କହ ସ୍ରୋତସ୍ୱିନୀ ଗତି

ପାରିଛି କେ ବଦଳାଇ


ମନ ଯଦି ତୁମ ମୋଠାରେ ମାନୁନି

ମନ ଚୋର ଖେଦ ନାହିଁ

ହୀନ କପାଳୀ ମୁଁ ଅଭିଶପ୍ତା

ତୁମ ପ୍ରୀତିଲଗ୍ନା ହେଲିନାହିଁ


ସଭିଏଁ ଡାକନ୍ତି ପତିତ ପାବନ

ପତିତୁଁ ଉଦ୍ଧାର କର

ରକ୍ଷକ ହୋଇ ମୋ ଭକ୍ଷକ ହେଉଛ

ପୀଡାକେ ହରିବ ମୋର


ସର୍ବସଂହା କ୍ଷମା ପୂଜାରିଣୀ

ଶେଷେ ନିଜକୁ ଦିଏ ବୁଝାଇ

ତ୍ୟାଗ ଯଜ୍ଞେ ପ୍ରେମ ପୂର୍ଣ୍ଣାହୂତି ଦେଇ

ମହାନ୍ ଯାଇଛି ହୋଇ


ପ୍ରାଣ ର ପ୍ରଶ୍ୱାସ ହୋଇ ଦୀର୍ଘଶ୍ୱାସ

ଗୁମୁରି ଉଠୁଛି କହି

ମୁହୂର୍ତ୍ତକ ପାଇଁ ଆହେ ଘନଶ୍ୟାମ

ଯାଆନ୍ତ ଋକ୍ମିଣୀ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance