ରଙ୍ଗଛଡା ଇନ୍ଦ୍ରଧନୁ
ରଙ୍ଗଛଡା ଇନ୍ଦ୍ରଧନୁ


ବେଳେ ବେଳେ ମତେ ଲାଗେ -
ଯାହା ଘରକୁ ଆସେ,
ତାହା କେବେ ଫେରି ଯାଏ ନାହିଁ ।
ଘଟଣା ମାନେ ଆସନ୍ତି ଘରକୁ ,
କେଉଁ ଏକ କଣରେ ହଜିଯିବାକୁ ।
ଯେମିତି ବହୁତ କିଛି ଘଟଣା ହଜି ଯାଇଛନ୍ତି,
କେଉଁଠି ଜାଣିନି, ଏହି ଘର ଭିତରେ
ବହୁତ ଦିନ ପୂର୍ବରୁ , ଦିନ ଦିନ ଧରି ।
ଛୋଟା ବୁଲା ଗାଈ କେଉଁଠୁ ଆସି
ଘରେ ପଘାରେ ବନ୍ଧା ହୁଏ,
ସେ ନିଜକୁ ଅନାଥ ନ ଭାବିବା ପାଇଁ
ତାର ଏକ ନା' ଦିଆଯାଏ ।
ସେ ଗର୍ଭବତୀ ହେବା ପାଇଁ -
ଦିନ ଦ୍ୱି ପ୍ରହରରେ ମୁରବୀ ଶ୍ରେଣୀୟ ଲୋକଙ୍କ
ତତ୍ୱାବଧାନରେ, ରାସ୍ତା କଡର ବଉଳ ଗଛ ମୂଳେ ବନ୍ଧା ହୁଏ ।
ଏକ ଷଣ୍ଢ ନିକଟରେ ।
ଯାହାକୁ ଲୁଚି ଦେଖନ୍ତି ଘରର ଝିଅ ବୋହୁ ମାନେ,
ବନ୍ଦ ଝର୍କାର କଣାରେ ।
ପଡିଶା ଘରର କଂସା ତାଟିଆ ଆସେ ।
ଖିରି ଓ ଖାସି ମାଂସର ସୁଆଦିଆ ତରକାରୀର ବାସ୍ନା
ଜିଭକୁ ଲାଳୁଆ କରେ ।
କାଲି ଆସିଥିଲେ ସହରରୁ ପଡୋଶୀ ଖୁଡିଙ୍କ ଜ୍ୱାଇଁ,
ନାତୁଣୀର ଜନ୍ମଦିନ ପାଇଁ ।
କେବେ ଖାଲି ଫେରେନା ଥରେ ସେ ପଶିଲେ ଘରକୁ ।
ସେ ତାଟିଆର ତରକାରୀ ହେଉ ବା ବୋଲକରା ରାଧୁଆ,
ଗ୍ରାମୋଫୋନ୍ ର ଗୀତ ହେଉ ବା
କାମ ପାଇଁ ଉତ୍ତେଜିତ ହୋଇ ବୋହି ଆସିଥିବା ରକ୍ତ ।
ଜ୍ୱାଇଁ ମାନେ ନିଜ ମା' ଙ୍କୁ ଭୁଲିଯାଇ,
ଶ୍ୱଶୁର ଘରେ
ଶାଳୀକୁ ଗଣିତ ପଢ଼ାନ୍ତି, ତା' ଜ୍ଵରର ହିସାବ ରଖନ୍ତି ।
ବୋହୁ ହୋଇ ଆସିଥିବା ସ୍ତ୍ରୀ ଟିଏ
ଘରର ମୁଖ୍ୟଦ୍ଵାରରେ, ପ୍ରଥମେ ସକାଳ ଦେଖେ,
ଆଉ ବାରିପଟ ଅଗଣାରେ ଚଉଁରା ମୂଳେ,
ପ୍ରଥମ ସନ୍ଧ୍ୟା ।
ଅପେକ୍ଷା କରି ରହେ ବିଳମ୍ବିତ ରାତିକୁ ,
ପଲଙ୍କ ଉପରେ ସ୍ୱାମୀର ଆଲିଙ୍ଗନକୁ
ଫଗୁଣ ମାସର ପବନରେ
କଦଳୀ ଗଛର ପତ୍ର ପରି ଖସ୍ ଖସ୍ ଶବ୍ଦ ମାନଙ୍କୁ ।
ଏବଂ ଯାହା ଘରୁ ଚାଲି ଯାଏ,
ସେ ପୁଣି ଫେରି ଆସେ ପରିମାର୍ଜିତ ଓ
ନିଜର ଦାମ୍ ଉଚ୍ଚା କରି ।
ଏଇ ଯେମିତି ଆଳୁ ମାନେ ଘରୁ ବାହାରି ଯାଇ
ଫେରି ଆସନ୍ତି ଅଙ୍କଲ୍ ଚିପ୍ସ ହୋଇ ।
କିଲୋ ପଚିଶ ପଇସାର ବିଲାତି
ଫେରି ଆସେ ଶହେ ଟଙ୍କିଆ ଟମାଟୋ କେଚ୍ ଅପ୍ ହୋଇ ।
ବିଦେଶରେ ରହୁଥିବା ପୁଅ ପାଖକୁ
ବାପା ଲେଖିଥିବା ଚିଠି ବି ଫେରି ଆସେ,
ନାଲି କାଳିରେ ରଙ୍ଗ୍ ଆଡ୍ରେସ୍ ଲେଖା ହୋଇ ।
ଦାଦା ମାନେ କୁହନ୍ତି -
ବାପାର ପଇସା ଉଡାଇଦେଲା ବଦ୍ ଖର୍ଚ୍ଚରେ ।
ବିଲକୁ ଫେରି ପାରେନା ପୁଅ, ନିଜକୁ ସାନ୍ତ୍ୱନା ଦେଇ
ଭାବେ, ହଁ ମ ! ଆଲେକଜାଣ୍ଡର୍ ବି ଦିନେ
ଲୁଟିବାକୁ ଚେଷ୍ଟା କରିଥିଲା ଭାରତକୁ;
ପ୍ରବଳ ମ୍ୟାଲେରିଆ ଜ୍ୱର ହେଉଥିବା ନଦୀ କୂଳରେ ।
ସେଦିନ ଯୋଗୀଟିଏ ଗାଇଥିଲା ଏକ ବେଶ୍ୟାର ସଂଗୀତ,
ନିଜ କେନ୍ଦରା ବଜାଇ ।
ଯାହାକୁ ଆମ ଘୁଁଗି ଚାକରାଣୀ,
ଏବେବି ବି ଗାଏ କୂଅ ମୂଳେ ବାସନ ଧୋଇଲାବେଳେ ।
କିଛି ବି କହି ହୁଏନା-
ଝିଅ ମାନେ ପ୍ରେମ ବିବାହ କରନ୍ତି ଅଳ୍ପାୟୁ ମଦୁଆଙ୍କୁ ।
ଘରୁ ରୁଷିକି ପଳେଇ ଯାଇଥିବା ପୁଅ ମାନେ ବୁଲି ଆସନ୍ତି,
ସାଙ୍ଗରେ ଧରି ଇଂଲିଶ୍ ମିଡ଼ିଅମ୍ ପଢ଼ୁଥିବା ନାତିକୁ ।
ଜେଜେଙ୍କୁ ପ୍ରଭାବିତ କରିବା ପାଇଁ,
ନାତି ବୋଲେ ସଂସ୍କୃତର ଚାରି ଧାଡି ଶ୍ଳୋକ ।
ଜେଜେ ପାନ ଚୋବେଇ ନାତିକୁ ଦେଖେଇ ଦିଅନ୍ତି,
ତମ୍ବା ଗଡୁ ଭିତରେ ତାଙ୍କ ବାପା ରଖିଥିବା ଗଙ୍ଗା ଜଳ ।
ତାଗିଦ୍ କରନ୍ତି ନାତିକୁ ତାଙ୍କୁ ସ୍ୱର୍ଗକୁ ପଠାଇବା ପାଇଁ,
ମଲା ବେଳେ ତାଙ୍କ ପାଟିରେ ଦେବାକୁ ଦୁଇ ବୁନ୍ଦା ସେହି ଜଳ ।
ହେଲେ ନାତି ଯେ ଘରୁ ବାହାରି ଯାଇଥିବା,
ପୁଅର ପରିମାର୍ଜିତ ସଂସ୍କରଣ ।
ସେ କଣ ପୁଣି ଘରକୁ ଫେରି ପାରିବ ?
ନା ତା' ଜେଜେ ଶେଷ ସମୟରେ,
ଗଙ୍ଗା ପାଣି ପିଇ ସ୍ୱର୍ଗକୁ ଯାଇପାରିବ !