ରଙ୍ଗ
ରଙ୍ଗ
ନୀଳାମ୍ବୁର ସବୁତକ ନୀଳ
ନିଅଣ୍ଟ ପଡିବ,
ନୀଳକାନ୍ତ ମଣିର ଔଜ୍ଜ୍ଵଲ୍ୟ
ମଉଳା ଦିଶିବ,
ତୁମର ସେ ନୀଳପୟରର
ଏକ ଧୂଳିକଣା ପାଖରେ
ହେ ନୀଳମଣି !
ତୁମର ସେ ନୀଳିମାରୁ ଅଣୁଟିଏ ଆଣି
ଭରିଦିଅ ମୋ ନୈବେଦ୍ୟ ଥାଳିରେ ।
ଉଦିତ ସୂର୍ଯ୍ୟଙ୍କ ରକ୍ତିମ ପସରା
ଲାଜେଇ ଝାଉଁଳି ଯିବ
ଗୋଟାପଣେ ଫିକା ପଡିଯିବ
ଲାଲିମାକୁ ଦେଖି ରଙ୍ଗା ଅଧରରେ,
ହେ ମୁକୁନ୍ଦ !
ତହିଁରୁ ବୁନ୍ଦାଏ ନାଲି ରଙ୍ଗ
ଅଜାଡି ଦିଅ ମୋ ନୈବେଦ୍ୟ ଥାଳିରେ ।
ଉଆଁସର ବହଳ ଅନ୍ଧାର
ଅଦୄଶ୍ୟ ହୋଇଯାଏ
ତୁମର ସେ ଧାରେ ଅଞ୍ଜନରେ,
ହେ କୄଷ୍ଣ କେଶବ !
ସେଥିରୁ ଚିମୁଟାଏ କଳା ରଙ୍ଗ
ରଖିଦିଅ ମୋ ନୈବେଦ୍ୟ ଥାଳିରେ ।
ସୁରୂଯମୁଖୀ ଓ ହଳଦୀ ବସନ୍ତ
ତାଠାରୁ ପାଟ ପୀତାମ୍ବରୀ ରଙ୍ଗ ସହସ୍ର ଉନ୍ନତ
ଆହେ ପୀତବାସ !
ତହୁଁ ଦେବ ରଙ୍ଗ ବୁନ୍ଦେ
ମୋ ନୈବେଦ୍ୟ ଥାଳିରେ ।
ଆଉ ଅଧିକ ଲୋଡିବିନି ରଙ୍ଗ
କେବଳ ଖୋଜିବି କୄଷ୍ଣ ଶ୍ଵେତ ଦୁଇ ହଳ ପଦ
ମୋ ନୟନ ନୀରରେ ଧୋଇଦେଇ
ନୈବେଦ୍ୟ ଥାଳିରୁ ମୁଠାଏ ରଙ୍ଗ ନେଇ
ତୁମ ଯୁଗଳ ମୂରତି ପୟରେ ଲଗେଇ ଦେଇ
ମାଗି ନେବି ଆଶିଷରୁ ଧାରେ
ଏ ସାରା ଜଗତକୁ ରଙ୍ଗେଇ ଦେବାକୁ
ସ୍ନେହ ଶ୍ରଦ୍ଧା ପ୍ରେମର ଛୁଆଁରେ
ଆଜିର ଏ ରଙ୍ଗ ପରବରେ।