ରମଣୀ
ରମଣୀ
ହରିଣୀଠୁ ଧର ହରିଣ ସୁନ୍ଦର
ମାଈଠୁ ଅଣ୍ଡିରା ହାତୀ
ପୁରୁଷ ଉପମା ଦେବାରେ କି ରମା
କୁଣ୍ଠିତ ରମଣୀଜାତି ?
କେକିନୀ ଅପେକ୍ଷା ଅଧିକ ତ କେକା
ପେଣ୍ଠୀଠୁ ଗଞ୍ଜା ବି ବେଶି
ତଥାପି ତୁମର ରୂପର ଗୁମର
ଲେଖିଛି ତ ଚାରୁକେଶୀ ।
ପାଦର ଅଳତା ନୂପୁରେ ଚଳନ୍ତା
ରମ୍ଭୋରୁ ନିତମ୍ବଦେଶ
କୁମ୍ଭକଟି ଆଭା ସୁଗଭୀରନାଭା
ବର୍ଣ୍ଣିଛି ମୋହିନୀବେଶ ।
ପୀନୋରୋଜ ଦେଖି ତୋଷିଅଛି ଲେଖି
ପ୍ରଶଂସି ପ୍ରତିଟି ଅଙ୍ଗେ
ଲେଖିଛି ପଦରେ ଗୋଲାପି ଅଧରେ
ନିରେଖି ପାଟଳ ରଙ୍ଗେ ।
କଲି ଗୋ ଯତନ ରମଣୀରତନ
କଳ୍ପନାରେ ଯେତେ ଶୋହେ
ସତେକି ଉର୍ବଶୀ ଅଳକା ରୂପସୀ
ଚାହାଣିରେ ମନ ମୋହେ ।
କହ କରି ସତ ଶତ ପ୍ରତିଶତ
ଫିଟାଇ ମନର କଥା
ଆମ୍ଭଠାରେ ପ୍ରୀତି ରଖିଥାଉଁ ରୀତି
ଲଙ୍ଘେ କି କୌଳିକ ପ୍ରଥା ?
ପୁରୁଷ ଉପରେ ଥରେ ବି ରୂପରେ
ଆକର୍ଷିତ ଲେଖିନାହଁ
କେଉଁ ଅନୁରାଗେ ଏତେ ପ୍ରେମ ଜାଗେ
ଗୋପନେ କଣେଇ ଚାହଁ ?
ନାରୀଟିଏ ଯଦି ହୁଏ ନିରବଧି
ବଦଳାନ୍ତି ଦୃଷ୍ଟିଭଙ୍ଗୀ
ଲେଖନ୍ତି ସମ୍ପ୍ରତି ପୁରୁଷଙ୍କ ପ୍ରତି
ଲଜ୍ଜାର ଏ' ରୀତି ଲଙ୍ଘି ।
