ରକ୍ତର ମୋହ
ରକ୍ତର ମୋହ
ଘର ସାରା ଅଲରା ଅଳନ୍ଧୁର ମାଳ
କିଏ ଅଛ କିରେ
ହଟାଇ ଦେବାକୁ
ଶକ୍ତିହୀନ ବୃଦ୍ଧ ମୁଁ
ଏଇ ସୀମିତ ବୟସର ।
ତମାମ ଜୀବନ ଅନ୍ୟକୁ
ସଜାଡୁ ସଜାଡୁ
ବଂକୁଲି ବାଡ଼ିଟିଏ ଆଜି
ଆଶ୍ରା ମୋର
ଶେଷ ଜୀବନର....।
ମଳିଛିଆ ଦର୍ପଣରେ
ଶୁଖା ଶୁଖା ପ୍ରତିବିମ୍ବିତ
ପ୍ରତିଛବି ଦିଶେ
ଶିଥିଳ ଚର୍ମରେ
ପାକୁଆ ପାଟିର ହସ ଟାକୁ
କିଏ ଅବା ଦେଖେ ।
ବୋଧେ !
ମେଲାଣି ମେଲାଣି ନେବାର ବେଳ
ଉଛୁର ହେଲାଣି
କଥାକୁହା ଲୋକ ସବୁ
ବାଟ ଭାଙ୍ଗି ଚାଲି ଗଲେଣି ।
ସଭିଏଁ କହନ୍ତି
ଭାଗ୍ୟବାନ ମୁଁ
ଆପଣା ହସ୍ତରେ ସଜାଇଛି ଯେ
ସୁନ୍ଦର ସଂସାର,
ପୁଅ ମୋର ବିଲାତରେ
ବଡ଼ ଇଞ୍ଜିନିୟର ।
କୋହରେ ହସିଦେଇ
ଭିତରେ କାନ୍ଦିଦିଏ
ଯାହାକୁ ମାଆର ଦଶାହରେ
ମିଳି ନଥିଲା ଟିକିଏ ଅବସର
ସେଇଠି ମୋ ଖୁସି ଆଉ
ଦୁଃଖ କଥା କିଏ ବା ପଚାରେ ।
ମାଆ ତା'ର ଗଲାବେଳେ କହିଛି,
ଆମ ସଞ୍ଚିତ ଅର୍ଥ ସବୁ
ମୋ ଧନ ପାଇଁ ସାଇତି ରଖିବ
ଆଜି ତା'ର ଇଚ୍ଛାକୁ ମାନି
ଜଗି ବସିଛି ।
ଶେଷ ପାହାନ୍ତିରେ ଯେବେ
ଜହ୍ନ ହଜି ହଜି ଯାଏ
ଉନିଦ୍ରାର ଶେଷ ପର୍ବ
ସରି ସରି ଯାଏ ।
ମୁଁ ବି ଆଜି ଉଜାଗର
ମୋ ରକ୍ତର ମୋହରେ
ମୋ ଉତ୍ତରାଧିକାରୀଟିଏ ଯେ ଅଛି
ସୁଦୂର ଦେଶରେ.......।