ରକ୍ଷା କବଚ
ରକ୍ଷା କବଚ
ପାଠ ପଢାରେ ଛବି କେବେ ଦିଏନା ଧ୍ୟାନ
ବାପାଙ୍କ ଗାଳିରେ ବିଦ୍ରୋହ କରି ଉଠେ ତା ମନ
ସକାଳୁ ସକାଳୁ ବାପା ଖୋଲି ଦିଅନ୍ତି ପୁରାଣ
ପାଠ ନପଢି କରନି ଜୀବନ ଅକାରଣ ll
ସେଦିନ ଥିଲା ରକ୍ଷା ବନ୍ଧନର ପୂର୍ଣ୍ଣିମା
କୋଉ କାମରେ ଛବିର ମନ ଲାଗୁ ନଥିଲା ଜମା
ଭାଇଠୁ କିଛି ଝଡ଼େଇ କିଣିବ ଶାଢୀ ନୂଆ
ଦି ଟଙ୍କାର ରାକ୍ଷୀ ପିନ୍ଧେଇ ନେବ ନୋଟ ପାଞ୍ଚସହ ଟଙ୍କିଆ ll
ବାପାଙ୍କ କଥାକୁ କିଏ ଶୁଣୁଛି
ଭାଇ ଥିଲେ ତାର ସବୁ କିଛି ଅଛି
ଭଲ ମନ୍ଦେ ସେ ତାର ବଡ ସହାୟ
ବହୁ ବିପଦରୁ ରକ୍ଷା କରେ ବତାଇ ବୁଦ୍ଧି ଉପାୟ ll
ରାକ୍ଷୀ ବାନ୍ଧୁଥିଲା ଛବି, ବଡ ଭାଇ ହାତରେ
ଭାଇ ମୁଁହ ଥିଲା କିନ୍ତୁ ବହି ଭିତରେ
ଭାଇର ଥିଲା ସେ ସବୁଠୁ ଗେଲ୍ହା
ଏପରି ଭାବନା ତା ମନେ କେବେଠୁ ଥିଲା ll
ସ୍ମିତ ହାସ୍ୟ ଦେଖି ଭାଇ ମୁଖ ମଣ୍ଡଳେ
ଭାବୁଥିଲା ତା ଭାଇ ଠୁ ଭାଇ ନାହିଁ କେହି ବିଶ୍ଵ ଭିତରେ
ଅନ୍ୟ ମନସ୍କେ ଭାଇ ଧରେଇ ଦେଲା ହଜାର ଟଙ୍କିଆ ନୋଟ୍
କହିଲା ଅଫିସ୍ ଯିବ ସେ, ଶୀଘ୍ର ତା କାମ ସାର ll
ମିଠା ଖୁଆଇ ଦେଇ ତର ତରେ ଛବି ସାରିଲା କାମ
ଭାଇ ଚାଲିଗଲା ଅଫିସ୍ ହରବର ହୋଇ ସେଦିନ
“ତୋ ଯୋଗୁ ଆଜି ଏତେ ଡେରି ହୋଇ ଗଲାଣି କହି”
ବହିରୁ ଖସି ପଡିଥିଲା ବାନ୍ଧବୀ ଫଟଟି ଭାଇକୁ ଜଣା ନାହିଁ
ପାଣି ଗ୍ଳାସ ଆଣି ପଶି ଆସିଲା ଛବି ଘର ଭିତରକୁ
ଭାଇ ନଥିଲା ଚାଲି ଯାଇଥିଲା ଅଫିସ୍ କୁ
ତଳୁ ଉଠାଇ ନେଇ ଫଟ ଦେଖିଲା କୌତୁହଳେ
ସୁନ୍ଦରୀ ଭାଉଜ ପାଇଁ ଭାଇର ଲାଗୁନି ମନ କୋଉ କାମରେ ll
ଓଃ ଏଇଥି ପାଇଁ ଭାଇ ମୁଖରେ ଥିଲା ସେ ସ୍ମିତ ହାସ୍ୟ
ବେଶୀ ସମୟ ଲାଗିଲାନି ବୁଝିବାକୁ ଏହାର ରହସ୍ୟ
ଭାବୁଥିଲା ତା ସ୍ନେହ ଶ୍ରଦ୍ଧାରେ ଭାଇଙ୍କର ଏତେ ଉଛ୍ୱାସ
କେ ଜାଣି କି ଅଛି ଭାଇ ମନେ ପରଖି ବାକୁ କରିବ କି ପ୍ରୟାସ !!
ଝଡେଇବ ଆଉ କିଛି ଆଜି ପୁଣି ଭାଇଠୁ ଭାବିନେଲା ମନରେ
ଲୁଚାଇ ଦେଲା ଫଟ ଆଣି ନିଜ ଖାତା ଭିତରେ
ସନ୍ଧ୍ୟାବେଳେ ଭାଇ ଆସି କରୁଥିଲା ଫଟର ସନ୍ଧାନ
ଉଦାସ ମୁଖ ମଣ୍ଡଳୁ ଝଟକୁଥିଲା ଆଶଙ୍କାର ଚିହ୍ନ ll
ଏତିକି ବେଳେ ଆଣି ରଖିଦେଲା ଫଟଟି ଟେବଲ୍ ଉପରେ
ହସ ଖୁସି ଦେଖେ କିଏ ଭାଇ ମୁଁହରେ
ପର ମୁହୂର୍ତ୍ତରେ ବକିଗଲା ଭାଇ କେତେ କଅଣ
ଅସମାନ୍ନିତ ଭାଇର କଥା ସବୁ ଦୁଃଖରେ କଲା ମ୍ରିୟମାଣ ll
ମୂର୍ଖ ଅପାଠୋଇ ବୁଝିବୁ କଣ କାହାର ମୂଲ୍ୟ
ଘୁସୁରି ଘାସେରି ଦଶମ ଶ୍ରେଣୀ ଯାଏ ଯାଇଛୁ ମାତ୍ର
ଏପରି କଟୁକ୍ତିରେ ବାପା ମନେ ପଡ଼ିଗଲେ ଆଗ
ଅଜାଡି ହୋଇ ପଡିଲା ନିଜ ଉପରେ ସବୁ ରାଗ ll
ବାପାଙ୍କୁ ଭୁଲ ବୁଝି ମନେ ମନେ କେତେ ଗାଳି କରିଛି
ହିତାକାଂକ୍ଷୀ ସେ ଅଟନ୍ତି ତାର ଜୀବନେ, ଆଜି ବୁଝୁଛି
ହେଇ ପାରେ ଭାଇ ଭଉଣୀର ସମ୍ପର୍କ ଏଇ ରକ୍ଷା ବନ୍ଧନ
କିନ୍ତୁ ଏତେ ଭରଷା ରଖିଲେ କାହା ଉପରେ ଭବିଷ୍ୟେ ଦେବ କଷଣ ll
ନିଜକୁ ନିଜେ ରକ୍ଷା କରି ଶିଖିବା ହେବ ସମୀଚୀନ
ବାପା କୁହନ୍ତି, ଉଚ୍ଚ ଶିକ୍ଷା ହିଁ ଦେବ ତାକୁ ଉପଯୁକ୍ତ ସମ୍ମାନ
କାହା ଉପରେ ନିର୍ଭର କରି ନ ବିତେଇବାକୁ ଏଇ ଜୀବନ
ବାପା ହସୁଥିଲେ ଏକ ତୃପ୍ତିର ହସ, ଦେଖି ତା ପରିବର୍ତ୍ତନ ll
ଆଜିଠୁ ରାକ୍ଷୀ ନୁହେଁ, ଶିକ୍ଷା ହୋଇବ ତାର ରକ୍ଷା କବଚ
ନାରୀ ହେଲେବି ଚାଲିବ ଶିର କରି ଉଚ୍ଚ
ଖାଲି ସେତିକିରେ ସରି ଯିବନି ତାର ଦାୟୁତ୍ଵ
ନିଜେ ଉଠି ଅନ୍ୟକୁ ଉଠେଇବାକୁ ନେବ ଶପଥ ll