ରକ୍ଷା ବନ୍ଧନ
ରକ୍ଷା ବନ୍ଧନ


ରାକ୍ଷୀ ହେଉନାହିଁ ସାକ୍ଷୀ ଭଉଣୀର
ବଦଳି ଯାଇଛି ଯୁଗ ।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ବନ୍ଧନରେ ଭାଗ ଭୋଗ ।।
ସଂସାର କ୍ଷେତରେ ଭାଇ ଭଉଣୀଙ୍କ
ପବିତ୍ର ପ୍ରେମ ବନ୍ଧନ ।
ଜନ୍ମ ଜନ୍ମାନ୍ତର ତୁଟେ ନାହିଁ କେବେ
ଅନାବିଳ ସେହି ପ୍ରେମ ।।
ମାତା ନୁହେଁ ଭଗ୍ନୀ ମାଆ ପରି ସ୍ନେହ
ଭାଇ ପ୍ରତି ଆଚରଇ ।
ଭ୍ରାତା ନୁହେଁ ପିତା ପିତୃ କର୍ମ କରେ
ଭଗିନୀ ସୁରକ୍ଷା ପାଇଁ ।।
ମରଣ ବେଳରେ ପିତାମାତାମାନେ
ପୁତ୍ରଙ୍କୁ କରନ୍ତି ଅଳି ।
ଭାଇ ଭଉଣୀର ସମ୍ପର୍କକୁ କେବେ
ଦେବନାହିଁ ପାଦେ ଦଳି ।।
ଏହି ପରମ୍ପରା ପୌରାଣିକ ଧାରା
ପବିତ୍ର ରକ୍ଷା ବନ୍ଧନ ।
ହିନ୍ଦୁ ଶାସ୍ତ୍ର ମତେ ପାଳନ ଜଗତେ
ଶ୍ରାବଣ ପୂର୍ଣ୍ଣିମା ଦିନ ।।
ବ୍ରାହ୍ମ ମୁହୂର୍ତ୍ତରୁ ନିତ୍ୟକର୍ମ ସାରି
ହସ୍ତେ ବନ୍ଦାପନା ଥାଳି ।
ଧୂପ ଦ୍ବୀପ ସଂଗେ ଚନ୍ଦନ ସିନ୍ଦୂର
ଭାଇର ମସ୍ତକେ ମାରି ।।
ରେଶମୀ ସୁତାକୁ ଭାଇ ହାତେ ବାନ୍ଧି
ଭଉଣୀ କରଇ ଅଳି ।
ପ୍ରେମ ପ୍ରତିଜ୍ଞାର ପବିତ୍ର ଡୋର ମୋ
ବିପଦେ ଧରିବୁ ତୋଳି ।।
ଅତୀତ ସଂସ୍କୃତି ପ୍ରେମ ପରମ୍ପରା
ଭାବରେ ଅଭାବ ହୋଇ ।
ଭାଇ ଭଉଣୀଙ୍କ ଐକମତ୍ୟ ପ୍ରେମ
ଶତ୍ରୁତାର ରୂପ ନେଇ ।।
ସମ୍ପତି ଲୋଭରେ ସମ୍ପର୍କର ଡୋରି
ସହଜରେ ଯାଏ ଛିଡି ।
ସ୍ନେହ ପ୍ରେମ ସଂଜ୍ଞା ବଦଳି ଯାଉଛି
ସମ୍ପତି ମୋହରେ ପଡି ।।
ସମ୍ପର୍କ କାନ୍ଦୁଛି କାଠଗଡା ମଧ୍ୟେ
ନ୍ୟାୟାଳୟ ଛାତ ତଳେ ।
ଭାଇ ଭଉଣୀଙ୍କ ସମ୍ପତ୍ତିର ମୂଲ୍ୟ
ସମ୍ପର୍କଠାରୁ ବି ବଳେ ।।
ନିଜ ଭାଇ ଛାଡି ଧରମ ଭାଇକୁ
ଅତ୍ୟନ୍ତ ନିଜର ଭାବି ।
ମାଆ ପେଟ ଭାଇ ସାତ ପର ହୁଏ
ସମ୍ପର୍କରେ ପଡେ ଚାବି ।।
ରକ୍ତର ସମ୍ପର୍କ ବାଟ ବଣା ହୋଇ
ସଂସ୍କୃତି ଯାଉଛି ଡୁବି ।
ସମ୍ପତି ମୋହରେ ଶତ୍ରୁତାର ଖେଳ
ରକତରେ ଯାଏ ଭିଜି ।।
ପ୍ରେମର ବନ୍ଧନ ଉଜୁଡି ଗଲାଣି
ଭଉଣୀ ଖୋଜୁଛି ଭାଗ ।
ସଂସ୍କୃତି ନାମରେ ଔପଚାରିକତା
ଲୋକ ଦେଖାଣିଆ ଯୁଗ ।।
ରାକ୍ଷୀ ବଦଳରେ ଭଉଣୀ ବାନ୍ଧୁଛି
ଭାଇ ହାତେ ହାତ କଡ଼ି ।
ଭଉଣୀକୁ ଭାଇ ଘରୁ ତଡି ଦିଏ
ଭାଉଜ ବୁଦ୍ଧିରେ ପଡି ।।
କଳିର ପ୍ରଭାବେ ସତ୍ୟର ଅଭାବ
ସ୍ନେହ ପ୍ରେମ ଯାଏ ବୁଡି ।
ଭାଇ ଭଉଣୀର ସମ୍ପର୍କ କାନ୍ଦୁଛି
ରକ୍ଷା ବନ୍ଧନକୁ ଛାଡି ।।