ରଖ ପ୍ରଭୁ ମହାବାହୁ
ରଖ ପ୍ରଭୁ ମହାବାହୁ
ଜୀବନ ଯୌବନ ନୁହେଁ ଚିରଦିନ
ଧନେ କରନ୍ତି ଗୁମାନ,
କାଳ ନିମିଷେକ ହରଣ କରଇ
ଲୋକେ ହୁଏ ହୀନିମାନ।
ଛଳନା ରସନା କାମନା ବାସନା
ଭରିଛି ଏ ସମାଜର,
ପ୍ରେମ କରି ସାରି ଲାଭ ଗଣାଗଣି
ପ୍ରକୃତି ଏ ମଣିଷର ।
ମାଆର ଆଦର, ପିରତି ପ୍ରୀୟାର,
ଦିବ୍ଯପ୍ରେମ ପ୍ରଭୁଙ୍କର
କେତେ ଯତନରେ ସଂସାର ଭିତରେ
ସାଇତିଛ ମଧୁ ଝର ।
ଚଇତିର ସିଏ ଚହଟା ପବନ
ନିଦାଘର ତପ୍ତ ବାତ
ଶରତ ଋତୁରେ ରଜତର ମାୟା
ଶ୍ରାବଣର ବାରିପାତ।
ପ୍ରକୃତିରେ ପ୍ରଭୁ ସବୁଜ ବିଭବ
ଶୀତର ସ୍ନିଗ୍ଧ ପ୍ରଭାତ
ଶିଶୁ ମୁଖେ ତୁମେ ମୁକୁଳା ହସତ
ପ୍ରତି ଛତ୍ରେ ପ୍ରତିଭାତ।
ତୁମରି ରହସ୍ଯ ତୁମେହିଁତ ଜାଣ
ଆହେ ପ୍ରଭୁ ଜଗନ୍ନାଥ,
ଏ ଛାର ମାନବ କିଅବା ବୁଝିବ
ଭ୍ରମରେ ଭ୍ରମେ ଜଗତ।
ଜଗତ କରତା ଭାଗ୍ଯର ବିଧାତା
ଗୁହାରି ଶୁଣିବା ହେଉ
ତୁମରି ସଂସାର ହେଲା ନାରଖାର
ରଖ ପ୍ରଭୁ ମହାବାହୁ।