STORYMIRROR

Pranati Mahapatra

Romance

2  

Pranati Mahapatra

Romance

ରହିଛି ଚାହିଁ ତୋ ପଥ

ରହିଛି ଚାହିଁ ତୋ ପଥ

1 min
13.6K


ପ୍ରେମ ପ୍ରଣତି - ୮୫

କଜଳ ନାଇ ମୁଁ ସଜଳ ନୟନେ

ବସିଛିରେ ତୋତେ ଚାହିଁ,

ପାଦରେ ଅଳତା ସିମନ୍ତେ ସିନ୍ଦୂର

ସବୁ ଯେ ତୋହରି ପାଇଁ।

ଏପଟେ ଗାଉଛି କୁହୁକୁହୁ ସ୍ଵରେ

ଫୁଲେଇ ହୋଇ କୋଇଲି,

ସେପଟରୁ ମଲ୍ଲୀ ମହକ ବାସୁଛି

ତୁ ତ ଆସିବୁ ବୋଲି।

ଗଭାର ଗଜରା ଛଟିକି ପରାୟେ

ଚାହିଁଛି ତୋହରି ପଥ,

ତୋ ଦେହ ବାସ୍ନାରେ ପୁଲକିତ ହୁଏ

ମୋର ଏ ଜୀବନ ରଥ।

ରଥ ପଥ ସବୁ ଏକାକାର ହେବେ

ଅପେକ୍ଷା ସେ ସୁଦିନକୁ,

ସଜବାଜ ହୋଇ ଚାତକ ପରାୟେ

କର୍ଣ୍ଣ ଡେରନ୍ତି ଶ୍ରୀପଦକୁ।

ମନ ଅଗଣାରେ ବିଛେଇ ଦେଇଛି

କେତେ ପାରିଜାତ ଫୁଲ,

ତୋ ଶ୍ରୀପଦ ରେଣୁ ବାଜିମୋ ଅଗଣା

ହୋଇଯିବ ଝଲମଲ।

ମୋ ହୃଦ ମନ୍ଦିରେ ଜଳାଇ ଦେଇଛି

ଅଖଣ୍ଡ ପ୍ରଦୀପ ଜ୍ୟୋତି,

ସବୁ ପାପତାପ କଳୁଷ ହଟାଇ

କରିଦେବୁ ମହାସତୀ।

ସାତ ଜନମର ସାଥୀହୋଇଯିବି

ନ ଥିବ କାହାକୁ ଭୀତି,

ଧନ୍ୟ ହୋଇଯିବ ମୋର ଏ ଜୀବନ

ରଖିବି ହୃଦେ ସାଇତି।

ପ୍ରିତି ଉପହାର ରଖିଛି ସମ୍ପାଦି

ବୋଳିବି ଶ୍ରୀ ଅଙ୍ଗ ସାରା,

ମଧୁରେ ମଧୁରେ ମଧୁମୟ ଆଉ

ପୁଲକିତ ହେବ ଧରା।


*ପ୍ରଣତି ମହାପାତ୍ର*

*ବାଲେଶ୍ଵର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance