ରଚନା କରିବି ସମାଜ କଲ୍ୟାଣେ
ରଚନା କରିବି ସମାଜ କଲ୍ୟାଣେ
ଜନମ ଦେଉଛୁ ହେ ଚକାନୟନ,
ଦେଇ ଅଛୁ ଜ୍ଞାନ ତୁ ମଧୁସୂଦନ ।
ରଚନା କରିବି ସମାଜ କଲ୍ୟାଣେ
କୁ ସଂସ୍କାର ଦୂର କବିତା ମାର୍ଗଣେ ।
ନୁହେଁ ଏ ଜୀବନ ଯହିଁ ଚିର ଦିନ,
ଅଛି ଆଜି କାଲି ହୋଇଯିବ ଶୁନ୍ୟ ।
କାହିଁ ପାଇଁ କରୁ ତୁହି ଅଭିମାନ
ମୋର ମୋର କହି ବ୍ୟତୀତ ଜୀବନ ।
ଲଙ୍ଗଳା ଆସିଛୁ ଯିବ ତୁ ଲଙ୍ଗଳା,
ନ ଯିବେ ସଂଗରେ ଯିବୁ ତୁ ଏକଲା ।
କର୍ମ ଥିଲେ ଭଲ ସ୍ମୃତି ରହି ଯିବ,
ପଡୁ ଥିବ ମନେ ନାମ ଗୁଞ୍ଜୁ ଥିବ ।
ସତ୍ୟ କର୍ମ କରି ସତ୍ୟ ମାର୍ଗେ ଥିବୁ
ହିଂସା ଅହଂକାର ଅନ୍ୟେ ନ କରିବୁ ।
କହିବୁନି କେବେ ମିଥ୍ୟା ତୁ ବଚନ,
ନିତ୍ୟେ ଧର୍ମ କର୍ମେ ରଖି ଥିବୁ ମନ ।
କଥା ବଡ଼ ବଡ଼ କହିବୁନି କେବେ
ରଖିବୁ ବଚନ କହି ଥିବୁ ଯେବେ ।
ଆଗୁଆ ରହିବୁ କର୍ତ୍ତବ୍ୟର ପଥେ
କର୍ମ କରୁ ଥିବୁ ନିଜର ସାମର୍ଥ୍ୟେ ।
କହି ଥିବା କଥା କରିବୁ ପୂରଣ,
ମିଛୁଆ ବଲିଣ କହିବେନି ଜନ ।
ଉପଦେଶ ନେବୁ ବୃଦ୍ଧ ଜନ ଠାରୁ
କରିବୁ ପାଳନ ନିଜ ବିବେକରୁ ।
କାହିଁରେ ବିପଦ ବିଜୟ ତୁ ହେବୁ
ଗୁରୁ ଜନ କଥା ନିଶ୍ଚୟ ଶୁଣିବୁ ।
ହୀନ ଦୃଷ୍ଟିରେ ତୁ ଦେଖିବୁନି କାରେ
ସଭିଙ୍କୁ ଦେଖିବୁ ସମାନ ନଜରେ ।
ମାୟା ଏ ସଂସାର ମୂଲ୍ୟ ନାହିଁ କିଛି
ଆଜି ଅଛି କାଲି ନ ରହିବ କିଛି ।
କରୁଛି ସବୁତ ଜଗା ସେ ଠାକୁର
ରଖି ଥିବୁ ଧ୍ୟାନ ତାଙ୍କୁ ନିରନ୍ତର ।
ଭକ୍ତି କରୁ ଥିବୁ ଚରଣେ ତାଙ୍କର,
ଅନାଦି ଅନନ୍ତ ବ୍ରହ୍ମାଣ୍ଡ ଠାକୁର ।
