STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ରବିନାରାୟଣ

ରବିନାରାୟଣ

4 mins
168



ସକଳ ଶକ୍ତି ର ଆଧାର

ସୂର୍ଯ୍ୟ ହେ ସତ୍ୟ ସୁନ୍ଦର ।


ସବୁତ ତୁମରି ଆୟତ

ପ୍ରକୃତି ପୁରୁଷ ନିମିତ୍ତ ।


ତୁମେତ ହୋଇଲେ ଉଦୟ

ତମସା ନିଅଇ ବିଦାୟ ।


ମନ ପ୍ରାଣ ହୁଏ ନିର୍ମଳ

ଆଖିରୁ ହଟଇ ପରଳ।


ତେଜରେ ତୁମେ ତେଜିଆନ

ଭାବରେ ତୁମେ ଦୟାବାନ ।


ସୂର୍ଯ୍ୟ ହେ ରବିନାରାୟଣ

ବ୍ରତ ତୁମ ସେତ ମହାନ ।


ଏକାଦଶୀ ପବିତ୍ର ଦିନ

ରବିବାର ଯଦି ସେଦିନ ।


ରବିନାରାୟଣ ବ୍ରତ ଟି

ସେଦିନ ପାଳନ ହୁଏ ଟି ।


ବ୍ରତଧାରି ବ୍ରତ ରଖନ୍ତି

ସୂର୍ଯ୍ୟଙ୍କର ପୂଜା କରନ୍ତି ।


ଭକ୍ତି ରେ ଯେ ବ୍ରତ ପାଳଇ

ଭାଗ୍ୟ ତା ଉଦୟ ହୁଅଇ।


ସୁଖ ଶାନ୍ତି ସବୁ ମିଳଇ

ଯାତନା ଯାଏତ ଦୂରେଇ ।


ରବିନାରାୟଣ ମହାନ

ବଖାଣେ ଭବିଷ୍ୟ ପୁରାଣ ।


ଅମରି ନାମେ କୁମ୍ଭାରୁଣୀ

ସୂର୍ଯ୍ୟ ପୂଜା ରେ ପାଗଳିନୀ।


ସୌରାଷ୍ଟ୍ର ରାଜ୍ୟେ ଘର ତାର

ପ୍ରଭୁଙ୍କ ଠାରେ ନିଷ୍ଠା ତାର।


ରବିନାରାୟଣ ବ୍ରତ ଟି

ଅମରି ନିଷ୍ଠାରେ କରେଟି ।


ମନ ପ୍ରାଣ ଢାଳି ପୂଜଇ

ଭାବ ଭକ୍ତିରେ ସେ ହଜଇ ।


ଭକ୍ତି ରେ ସୂର୍ଯ୍ୟ ତୁଷ୍ଟ ହୋଇ

ଅମର ବର ଗଲେ ଦେଇ ।


ଅମରି ହେଲେ ତେଜବତୀ

ଯମ ବି ତାଙ୍କୁ ଡରୁଥାନ୍ତି ।


ସେହି ସୌରାଷ୍ଟ୍ର ରାଜ୍ୟେ ଜାଣ

ଥିଲେ ସାଧବ ମହାଜନ ।


ବିଦ୍ୟା ବିନୋଦ ବିଜ୍ଞବର

ପୁତ୍ର ତାଙ୍କର ମହୀଧର ।


ପୁତ୍ରବଧୂ ଯେ ପଦ୍ମାବତୀ

ଆବର ଥିଲା କନ୍ୟା ଗୋଟି ।


ପ୍ରତିଦିନ ବ୍ରାହ୍ମଣ ଏକ

ଦାଣ୍ଡେ ଆସି ମାଗଇ ଭିକ ।


ବୋହୁ ଦିଏ ଚାଉଳ ଥାଳି

ଝିଅ ଦିଏ ସୁନା ଆଞ୍ଜୁଳି ।


ବ୍ରହ୍ମଣର ଆଶିର୍ବାଦ ଟି

ଶୁଣି ଝିଅ ନିଦ ହଜେଟି ।


ବୋହୁ ହାତରୁ ଭିକନେଇ

ବ୍ରାହ୍ମଣ ଯେ ହସି କୁହଇ ।


ଅହି ସୁଲକ୍ଷଣୀ ହୋଇବୁ

ସଭିଙ୍କର ମନ ମୋହିବୁ ।


ଝିଅ ଦେଲେ ସୁନା ଆଞ୍ଜୁଳି

ବିପ୍ର କହେ ଆଖିକୁ ମଳି ।


ଭାଗ୍ୟ କୁ ତୋର ଭୋଗ କର

ସାଧବ କନ୍ୟା ସତ୍ୟ ଗିର ।


ବ୍ରାହ୍ମଣ କଥା କନ୍ଯା ଶୁଣି

ମାତାଙ୍କୁ କହିଲା ବଖାଣି ।


ମାଆ ଯେ ପୁଛିଲେ ବ୍ରାହ୍ମଣ

କୁହ ହେ ଏହାର କାରଣ ।


ବ୍ରାହ୍ମଣ ସେତ ଧୀର ବାଣୀ

କହିଲେ ଶୁଣ ସାଧବାଣୀ ।


ଖୋଳ ଝିଅ ର ଜନ୍ମ ସ୍ଥାନ

ପାଇବ ସତ୍ୟର ସନ୍ଧାନ ।


ଜନ୍ମ ସ୍ଥାନଟି ଖୋଳା ହେଲା

ଭଙ୍ଗା ଶଂଖା ହାଣ୍ଡି ମିଳିଲା ।


ଏସବୁ ଦେଖି ମାଆ ଝିଅ

ଜାଗିଲା ମନରେ ତ ଭୟ ।


ବ୍ରାହ୍ମଣ ଆଶ୍ଵସନା ଦେଲେ

ନିସ୍ତାର ବାଟ ବତାଇଲେ ।


ଅମରୀ କୁମ୍ଭାରୁଣୀ ସେତ

ବିପଦୁ ଉଦ୍ଧରିବା ପଥ ।


ସାଧବାଣୀ ଝିଅ ସହିତ

ଧରି ଶାଢୀ ଅଳଙ୍କାର ତ ।


କୁମ୍ଭାରୁଣୀ ଘରକୁ ଗଲେ

ତା ସହିତ ମିତ ବସିଲେ ।


ମିତଣୀଙ୍କୁ ସେ ସାଧବାଣୀ

ମନ କଥା ଗଲେ ବଖାଣି ।


କୁମ୍ଭାରୁଣୀ ସବୁ ଶୁଣିଲେ

ସୂର୍ଯ୍ୟ ଙ୍କୁ ସେ ମନେ ସ୍ମରିଲେ ।


କହିଲେ ସେ ହୁଅନି ବ୍ୟସ୍ତ

ଦୁଃଖ ଦୂର ହେବ ନିଶ୍ଚିତ ।


ସରିଗଲେ ଝିଅ ବିବାହ

କରିବି ମୁଁ ତାର ଉପାୟ ।

<

p>

ଝିଅ ବାହାଘର ସରିଲା

କୁମ୍ଭାରୁଣୀ ଆସି ମିଳିଲା ।


ମଧୁଶଯ୍ଯା ରାତିରେ ସେହି

ଦ୍ବାର ଜଗି ବସିଲା ରହି ।


ଜ୍ବାଇଁ ଙ୍କର ଅଳ୍ପ ଆୟୁଷ

ହେଉଥିଲା ସେଦିନ ଶେଷ ।


ସେଥିପାଇଁ ସମନ ଦୂତ

ଦ୍ବାର ଦେଶେ ହେଲେ ଆଗତ ।


ଅମରୀଙ୍କୁ ଦେଖି ଛାନିଆ

ଗୃହ ମଧ୍ୟେ ବର କନିଆ ।


ଖାଲି ହାତେ ସେଦିନ ଦୂତ

ଫେରିଗଲେ ଯମ ପୁରେତ ।


ଦୂତ ମୁଖୁ ଅମରି କଥା

ଶୁଣି ଯମ କରିଲେ ଚିନ୍ତା ।


କ୍ରୋଧ ଭରି ନିଜେ ଆସିଲେ

ଅମରି କୁ ଦେଖି ଡରିଲେ ।


କଥା କଟାକଟି ଚାଲିଲା

ଯମଙ୍କ କ୍ରୋଧ ବଢିଗଲା ।


ସାଧବ ଘରୁ ଫେରିଗଲେ

କୁମ୍ଭାରୁଣୀ ଘରେ ପସିଲେ ।


ତାଙ୍କ ସ୍ବାମୀ ପୁତ୍ର ଜୀବନ

ଯନ୍ତୁରାଣ କଲେ ହରଣ ।


କୁମ୍ଭାରୁଣୀ ସବୁ ଜାଣିଲେ

ଧୈର୍ଯ୍ୟଧରି ସୂର୍ଯ୍ୟେ ସ୍ମରିଲେ ।


ରାତି ଯେବେ ଗଲାଟି ପାହି

ଜ୍ବାଇଁ ହେଲେ ମରଣ ଜୟୀ ।


ସାଧବାଣୀ ସବୁ ଶୁଣିଲେ

କୁମ୍ଭାରୁଣୀ ଦୁଃଖ ଦେଖିଲେ ।


କୁମ୍ଭାରୁଣୀ ସ୍ନାନ ସାରିଲେ

ବ୍ରତ ଦୁର୍ବାକ୍ଷକୁ ଧୋଇଲେ ।


ସ୍ବାମୀ ଆଉ ପୁତ୍ର ଉପରେ

ସେ ଜଳକୁ ସିଞ୍ଚନ କଲେ ।


ସେମାନେ ତ ପ୍ରାଣ ପାଇଲେ

ସୂର୍ଯ୍ୟ ଙ୍କୁ ସେ ପ୍ରଣାମ କଲେ ।


ରବିନାରାୟଣ ବ୍ରତ ର

ମହିମା ଏପରି ଅପାର ।


ରବିନାରାୟଣ ବ୍ରତ ଟି

କାଳୁକାଳ ହେଉ ଅଛିଟି ।


ନିଷ୍ଠାରେ ଯେ ବ୍ରତ ରଖଇ

ସୁଫଳ ନିଶ୍ଚୟ ମିଳଇ ।


ରବିବାର ଏକାଦଶୀ ତ

ବର୍ଷକରେ ଯେବେ ପଡେତ ।


ସେଦିନ ଏ ବ୍ରତ ପାଳନ

ଭକ୍ତିଭରେ ସୂର୍ଯ୍ୟ ପୂଜନ ।


ଅବସାଦ ଦୂର ହୁଅଇ

ଦୁଃଖ ସବୁ ଯାଏ ଉଭେଇ ।


ପାପରୁ ମୁକତି ମିଳଇ

ଧନଧାନ୍ୟ ବୃଦ୍ଧି ହୁଅଇ ।


ଉପବାସ ରେ ବ୍ରତି ମାନେ

ସୂର୍ଯ୍ୟ ଙ୍କୁ ସ୍ମରନ୍ତି ଯେ ଧ୍ୟାନେ ।


ଚଉରା ମୂଳେ ହୁଏ ପୂଜା

ଉଡେ ସୂର୍ଯ୍ୟ ଙ୍କ ଧର୍ମ ଧ୍ଵଜା ।


ସାତ ପ୍ରକାର ଫଳମୂଳ

ସାତ ରଙ୍ଗର ଫୁଲ ଠୁଳ ।


ସାତୋଟି ବରକୋଳି ପତ୍ର

ସାତୋଟି ଦୁବଯେ ଆବର ।


ଭକ୍ତିରେ ଧୂପ ଦୀପ ଜାଳି

ପରାଣ ଯିଏ ଦିଏ ଢାଳି ।


ରବି କରନ୍ତି ତାଙ୍କୁ ଦୟା

ସୁଖଦୁଃଖ ରେ ହୋଇ ସାହା ।


ବ୍ରତ ର ମହିମା ବର୍ଣ୍ଣନ

ବହିଯେ ହୁଅଇ ପଠନ ।


ମନ ଦେଇ ଯିଏ ଶୁଣନ୍ତି

ସୁଫଳ ନିଶ୍ଚୟ ପାଆନ୍ତି ।


ଶେଷରେ ନୈବେଦ୍ୟ ଅର୍ପଣ

ରବି ଙ୍କୁ ଭକ୍ତି ସମର୍ପଣ ।


ପୂଜା ସରିଲେ ବ୍ରତଧାରୀ

ଫଳ ଆହାର ଥାନ୍ତି କରି ।


ତାପର ଦିନ ସାରି ସ୍ନାନ

ଅନ୍ନ କରନ୍ତି ସେ ଭୋଜନ ।


ରବିନାରାୟଣ ବ୍ରତ ର

ପୂଜା ବିଧି ଯେ ଏ ପ୍ରକାର ।


ଜୟ ହେ ରବିନାରାୟଣ

ଜୟ ହେ ଅଦିତି ନନ୍ଦନ ।


ଜୟ ହେ ଭାନୁ ହେ ଭାସ୍କର

ଜୟ ଆଦିତ୍ୟ ଅର୍କ ମିତ୍ର ।


ଜୟ ହେ ଜୟ ଧର୍ମଧ୍ବଜ

ଜୟ ହେ ପ୍ରଭୁ ବିଶ୍ବ ପୂଜ୍ୟ ।


ଜୟ ହେ ଜୟ ଛାୟାକାନ୍ତ

ଜୟ ହେ ପ୍ରଭୁ ଦିନନାଥ ।


ଜୟ ହେ ଜୟ ଲୋକ ବନ୍ଧୁ

ଜୟ ହେ ପ୍ରଭୁ କୃପାସିନ୍ଧୁ ।


ଜୟ ହେ ଜୟ ସୂର୍ଯ୍ୟ ଦେବ

ଦୋଷ ଥିଲେ ମୋ କ୍ଷମା ଦେବ ।



Rate this content
Log in

Similar oriya poem from Classics