ରାସ୍ତା
ରାସ୍ତା
ପତା ମୁଦିଲେ ରାତି,ଖୋଲିଲେ ସୂର୍ଯ୍ୟୋଦୟ -
ମାଳ ମାଳ ମଣିଷଙ୍କ ଭିଡ଼ ଭିତରେ
କେହି ପଢିନାହିଁ
ଝୁଲୁଥିବା ଛାଇର ଏଲିଜି,
ସକାଳ ପାହିବା ପୂର୍ବରୁ ଋତୁମତୀ ନା ମୃଗତୃଷ୍ନା -
ଆବର୍ତ୍ତନ କକ୍ଷ
ବିବର୍ତ୍ତନ ଢେଉ ପାଖେ
'ମୁଁ' ପୁଣି 'ମୁଁ' ହେଇଯିବି
'ତୁ' ଥିବୁ ପ୍ରତିଶୃତି ଏକାନ୍ତ ପ୍ରତିଶୃତି ।
ମୁଠାଏ ମାଟି ମାଗିଲେ
ବିଞ୍ଚଯେବେ ଦି ମୁଠା କାଦୁଅ
ଆକାଶଟା ପାଲଟେ ପାତାଳ -
ଲଙ୍ଗଳ ମୁନରେ କାନ୍ଦେ ଲଙ୍ଗଳା ଛୁଆଟା
ଟୋପା ଟୋପା ନୀରବ ଲୁହର
ଓଦା ନୀରବତା ପରି
କୋହକୁ ଜମାଇ ।
ମଝିଘର ଅନ୍ଧାରରେ ନିର୍ବାସିତ ସୂର୍ଯ୍ୟ ଦେଖେ
ନିର୍ବେଦ ଶୂନ୍ୟତା,
କ୍ଳାନ୍ତିର ବଳୟ ତଳେ
ମ୍ଳାନମୟୀ ଅମ୍ବାପାଲ୍ଲୀ ଚାହଁରହେ
ଫେରିବାର ପଥ -
କେବେ ଅବା ଖୋଜେ
କପିଳବାସ୍ତୁ ଠିକଣା ମରଣ ଶେଯରେ,
ମାଂସରୁ ହାଡ଼ ଆଉ ହାଡରୁ ମାଂସ
ଉତୁରି ଯାଉଥିବା ପ୍ରତୀକ୍ଷାର ପାପ -
ଆଉ ଯନ୍ତ୍ରଣାର ପୁଣ୍ୟ
ବଖରାଏ ସଢା ଫୁଲେ
ଦିଅନ୍ତି କି ମୁଠାଏ ସମ୍ମାନ ???
ଅର୍ଦ୍ଧଦଗ୍ଧ ମଣିଷଟା
ଜୀବାତ୍ମାଠୁ ବହୁତ ପଛରେ,
କର୍ଦ୍ଦମାକ୍ତ ଅଙ୍ଗୁଳି ସନ୍ଧିରେ
ଲେସିହୋଇ ରହି ଯାଇଥିବା
ମେଞ୍ଚାଏ ବାରବୁଲା ପାପ ପରି -
ଅଳ୍ପାୟୁ ସେ କବର ହାଟରେ,
କ୍ଷଣିକ ଉନ୍ମାଦନାର ଭାଗ୍ୟରେଖା
ଯୋଡିଚାଲେ ସିନା
ଅପହଞ୍ଚ ଇଲାକାକୁ ଡେଇଁ
ଦାଉ ଦାଉ ନିଆଁର ବସ୍ତାରେ
ପାଇବାକୁ ସୁଖର ସନ୍ଧାନ !
ଛିଣ୍ଡି ଯାଇଥିବା ହାତଟା ପାଖେଇଗଲେ
ଲମ୍ବିଯାଏ ମୋହ,
ବର୍ଷ ବର୍ଷ ବିତେ କାହାପାଇଁ
ଦରଜା ତ ଖୋଲା ଏଇ କପିଳବାସ୍ତୁର ,
ନିଦ୍ରାଗ୍ରସ୍ତ ମଶାଣୀଠୁ ଆହୁରି ନିବିଡ...
ସତ କଥା କହିବାକୁ ଗଲେ
'ମୁଁ' ଖାଲି 'ମୁଁ' ଏଠି 'ତୁ' ତ ନିର୍ଣ୍ଣିତ ।