ରାକ୍ଷୀ ସାକ୍ଷୀ ରହୁ
ରାକ୍ଷୀ ସାକ୍ଷୀ ରହୁ
ହେ ଭାଇ, ଏ ଭଉଣୀ ର ଏକ ନିବେଦନ
ରକ୍ଷା କରିବା ପାଇଁ କର ପଣ
ରାଜ ରାସ୍ତାରେ ଭଉଣୀ ପାଉଛି କଷଣ
ପାପୀ ମାନେ ଖୋଲା ଖୋଲି କରନ୍ତି ଧର୍ଷଣ
ଦୁଷ୍କର୍ମ ଆଖ୍ୟା ଦେଇ ହୁଏ ଖବର ପ୍ରସାରଣ
ପ୍ରତି ମୁହୂର୍ତ୍ତରେ ଜନ୍ମ ହେଉଛି ରାବଣ
ସୀତା ଆଜିକାଲି ଅନାୟାସ ରେ ହେଉଛି ହରଣ
ଅପହରଣ ପଛରେ କିଛି ବି ନ ଥାଏ କାରଣ
ରାବଣ ରାଜୁତି, ବିନା କାରଣ ରେ ହେଉଛି ହରଣ।
ହେ ଭାଇ,ଗୋଟିଏ ମାର ଆମେ ସନ୍ତାନ
ଭାରତ ମାତା ଆମ ମା,ଆମେ ସଭିଏଁ ସନ୍ତାନ
ଏକାକୀ ଯାଉଥିବା ମା ଭଉଣୀ ଓ ଝିଅ ବି ସନ୍ତାନ
ଅସହାୟ ଅବସ୍ଥାରେ ଯଦି କେହି କରେ ନିବେଦନ
ପ୍ରାଣ ଦେଇ ରକ୍ଷା କରିବାକୁ କର ତୁମେ ପଣ
ଅକାଳରେ ନ ଯାଉ ଏକ ନିରୀହ ଜୀବନ
କିଏ ବା ପରୀ,ବାପା ଚାହିଁଥିବ ଫେରିବାର କ୍ଷଣ
କିଏ ବା ସାଥୀ,ସ୍ବାମୀ ଦେଖୁଥିବ ଫେରିବାର କ୍ଷଣ
କିଏ ମା, ପିଲାଏ ଭାବୁଥିବେ ମା ଆସିବ ଏକ୍ଷଣ
ଜାଣି ହେଉନି, ଫେରୁଛି ଶରୀର ନ ଥାଉଛି ପ୍ରାଣ।
ହେ ଭାଇ, ମୁଁ ଯେମିତି,ଅନ୍ୟ ମାନେ ବି ଭଉଣୀ
ଭଉଣୀ ନଜରରେ ଦେଖ ,ପ୍ରତ୍ୟେକ ତରୁଣୀ
ଏ ରାକ୍ଷୀ ବାନ୍ଧିବା ପୂର୍ବରୁ କରୁଛି ଦୟିନୀ
ଦେଶ ମାତୃକାର ସ୍ୱର ହେଉ ତୁମ ପ୍ରତିଧ୍ୱନୀ
ଘରେ ଘରେ ତ୍ରିରଙ୍ଗା ଖୋସିଲେ କିଛି ହେବନି
ଦିନ ଦ୍ବିପହରରେ ନାରୀ ର ଦୁଷ୍କର୍ମ କାହାଣୀ
ଆଛା ଦିନ ଆସିବ ଆସିବ ବୋଲି ଫମ୍ପା ଭାଳେଣି
ଆପଣ ମାନେ ଖୁସୀ ତ! ପଚାରି ଘରେ ହିଁ ତୁନୀ
ସେଇ କଥା କୁହାଳିଆ ଭାଇଙ୍କୁ ବି ଏକ ନିବେଦନ
ଭାରତ ମାତା କାନ୍ଦୁଛି ଶୁଣ ଦେଇ ମନ ଧ୍ୟାନ
ନାରୀ ସୁରକ୍ଷିତ ରହିଲେ ଦେଶର ସମ୍ମାନ।
ହେ ଭାଇ,ଏଇ ରାକ୍ଷୀ ହେଉ ସାକ୍ଷୀ ଚିରଦିନ
ସ୍ବାଧିନତା ର ଆଢ଼ୁଆଳେ ନ ହେଉ ଧର୍ଷଣ
ନାରୀ ଜାତିକୁ ସମାଜରେ ମିଳୁ ମାନ ସନମାନ
ପ୍ରତି ପୁରୁଷ ପାଇଁ ନାରୀ ହେଉ ପ୍ରେମର ଆକର୍ଷଣ
ସବୁ ଘର ଭାଇ ,ଅନ୍ୟର ଭଉଣୀକୁ ଦେଉ ସମ୍ମାନ
ଭଉଣୀ ରାକ୍ଷୀ ବାନ୍ଧିବା ପୂର୍ବରୁ ରଖ ଏହି ପଣ।
ହେ ଭାଇ,ତୁମ ପରି ଭାଇ ମୋ ସୁରକ୍ଷା କବଚ
ବାହୁବଳୀ ଭାଇ ମନ ଓ ଭାଵନା ହେଉ ସ୍ୱଚ୍ଛ
ଭାଇ ଭଉଣୀ ପବିତ୍ର ସମ୍ପର୍କେ, ରାକ୍ଷୀ ସାକ୍ଷୀ ରହୁ
ରକ୍ଷା ବନ୍ଧନ ଉତ୍ସବ ହସ ଉଲ୍ଲାସ ରେ ଚାଲୁ ଥାଉ।