ରାଜନନ୍ଦିନୀ
ରାଜନନ୍ଦିନୀ
ବିଦର୍ଭ ନଗରୀ ରାଜନନ୍ଦିନୀ ଗୋ ,
କିପାଇଁ ଉଦାସୀନତା
ଲକ୍ଷେ ସ୍ୱର୍ଣ୍ଣଚମ୍ପା ମଉଳି ମଳିନ
ଦେଖି ଏ ମାନସିକତା ।
ନିମୀଳିତ ତୁମ ନୟନରେ ନାହିଁ
କୁଂକୁମ କମନୀୟତା
ଦର୍ଭହାସୀ ତୁମ ମୃଦୁ ଅଧର ବି
ହରାଇଛି ବ୍ୟାକୁଳତା ।
ବ୍ୟାକୁଳତା ନୁହେଁ, ବିବଶ ବିଧୁର
ଆତଙ୍କିତ ଅଙ୍ଗ ଛଟା
ସଂକୀର୍ଣ୍ଣ ମଣିଷ ସେ କାହୁଁ ବୁଝିବ
କ୍ରୂର କାରୁଣିକ ବ୍ୟଥା ।
ନୀରବିତ ରାତ୍ରି ନିଶାର୍ଦ୍ଧ ପ୍ରହରେ
ଅର୍ଦ୍ଧ-ଆର୍ଦ୍ର ସପନରେ
ଦେଖିଛି ଗୋ ପ୍ରିୟା ତୁମ ପ୍ରତିବିମ୍ବ
ଶୁଭ୍ର ଜହ୍ନ ଜୋଛନାରେ ।
ଜହ୍ନ-ଜୋଛନାର ବିରହ ବିଛଣା
ମିଳନେ ପ୍ରମତ୍ତ ହୋଇ
ଆସିବ ଗୋ ପ୍ରିୟା ,ଲେଉଟି ଆସିବ
ତୁମ ରୂପକାନ୍ତି ନେଇ ।
କିଏ ତୁମେ ସତେ ,କେଉଁଠୁ ଆସିଛ
ନିଜେ ମୁଁ ପାରୁନି ଜାଣି
ହୁଏତ କବିଙ୍କ କାବ୍ୟ-କାଦମ୍ବିନୀ
କଳ୍ପ ଜଗତର ରାଣୀ ।
ଭାବିଦେଲେ ଶବ୍ଦ ସ୍ରୋତ ହୋଇ ଝରେ
କଳ୍ପିବାକୁ ପଡ଼େ ନାହିଁ
ଭାବପ୍ରବଣତା କେତେ ଯେ ଗଭୀର
କହି କି ପାରିବି ସହି ।
ଉଦାସୀନତାରୁ ଦୂରେଇ ରହିବ
କାବ୍ୟ-ପ୍ରଣୟିନୀ,ପ୍ରିୟା
ଦୁନିଆ ତୁମକୁ ଏକା କରୁ ପଛେ
ତୁମେ ହିଁ ମୋ'ର ଦୁନିଆ ।
ଦୁନିଆ ଆଖିରେ ମଲାଜହ୍ନ ତୁମେ
ପଙ୍କ ନଥାଇ କଳଙ୍କ
ପଙ୍କରେ ଥାଇ ବି ପଦ୍ମ ନିଷ୍କଳଙ୍କ
ଧନ୍ୟ ବିଧି ମାନସାଙ୍କ ।
କବି ମୁଁ ସାମାନ୍ୟ, ନୁହେ ମାନ୍ୟଗଣ୍ୟ
ତୁମେ ମୋ' ପ୍ରଣୟ ବନ୍ୟା
ଜନ୍ମ ଜନ୍ମ ତୁମ ସାହଚର୍ଯ୍ୟ ଚାହେଁ
ତୁମେ ମୋ' ପାଇଁ ଅନନ୍ୟା ।
ଜାତିସ୍ମର କଥା ଭାବି ମୁଁ ନଥିଲି
ଏବେ ସେ କଳ୍ପନା ଆସେ
ତୁମ ସ୍ମୃତି ନେଇ ଜନ୍ମ ନେଉଥିବି
ତୁମରି ସାନ୍ନିଧ୍ୟ ଆଶେ ।
ମୋ' କବିତା ରୂପେ ଜନ୍ମ ନେଉଥିବ
ମୁଁ ଜନ୍ମିବି ହୋଇ କବି
କବି , କବିତାର ଅନାବିଳ ପ୍ରେମେ
ଚିତ୍ରିବା ସଂସ୍କାର ଛବି ।
ସେ ପ୍ରେମରେ ଥିବ ମୃଦୁ ମାଦକତା ,
ନୁହେଁ କୁତ୍ସିତ ବାସନା
ନୈସର୍ଗିକ ରୂପ ଶାଶ୍ୱତ ସ୍ୱରୂପ
ଆଗୋ ପ୍ରିୟା , ପ୍ରିୟତମା ।

