ରାଧା : ଏକ ଦିବ୍ୟ ପ୍ରବାହ
ରାଧା : ଏକ ଦିବ୍ୟ ପ୍ରବାହ
ଶ୍ରୀରାଧା ଶୁଣିଲେ ବାରେ ବିରଜା ଗୋପୀ ସଙ୍ଗରେ
ରାସ ରଚୁଛନ୍ତି କୃଷ୍ଣ ଗୋଲକଧାମେ ,
ରାଗେ ଜର୍ଜରିତା ରାଧା ଧାମନ୍ତେ ହୋଇ ସେ କ୍ରୁଦ୍ଧା
ସୁଦାମା ସୂଚାଇ ଦେଲେ ଅତି ସମ୍ଭ୍ରମେ ,
କୃଷ୍ଣ ସେଠୁଁ ବେଗେ ଖସିଲେ ;
ମାତ୍ର ଦୁହେଁ ଶାପ ଅର୍ଜି ମର୍ତ୍ତ୍ଯେ ଆସିଲେ ।(୧)
ରାଧା ଅଯୋନିସମ୍ଭୂତା ସର୍ବ ଗୁଣେ ଗୁଣବତ୍ତା
ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣ ଶ୍ରେଷ୍ଠ ମତ ,
ସରୋବରେ ପ୍ରସ୍ଫୁଟିତା କୁମୁଦ ମଧ୍ଯେ ନିଦ୍ରିତା
ବୃଷଭାନୁ ପତ୍ନୀ କୀର୍ତ୍ତିଦାର ମମତ୍ୱ ,
ତାଙ୍କୁ ପ୍ରେମେ ନେଲା କୋଳେଇ ,
କିଶୋରୀ ବୟସେ ବିଭା କରିଲେ ରାଈ ।(୨)
ମାତ୍ର ରାସେଶ୍ୱରୀ ରାଧା ସମର୍ପିତା ଭାବେ ବନ୍ଧା
ବଲ୍ଲଭ ପ୍ରବରଙ୍କ ପ୍ରେୟସୀ ପବିତ୍ରା ,
" ତୁମେ ପରା ନୁହଁ ମୋର, କେବଳ ଯେ ମୁଁ ତୁମର "
ଭାବମୟୀ ରାଈଙ୍କର ମନ୍ତ୍ର ମନ୍ଦ୍ରିତା ,
ଶାଶୁ, ଶ୍ୱଶ୍ରୁଜା, ସ୍ୱାମୀ ନିନ୍ଦା ,
ଶ୍ରୀରାଧା ସ୍ୱର୍ଗୀୟ ପ୍ରେମେ ନ ହୁଏ ବାଧା ।(୩)
ସେ ପ୍ରେମ ପୀୟୂଷ ସୁଧା ପାୟୀ ପ୍ରେମିକ ମସୁଧା
ବିରହୀ ରାଗିଣୀ ତୋଳେ ବଂଶୀ ମୂର୍ଚ୍ଛନା ,
ରାଧା-ରାଧା ନାମେ ଝୁରେ ଆତ୍ମତୁଲ୍ଯ ନିରନ୍ତରେ
ବୃଷଭାନୁ ଜେମା, ସେ ମୂର୍ଚ୍ଛନା ଅଧୀନା ,
ଲାସ୍ୟମୟୀ ପ୍ରକୀର୍ତ୍ତି ବାମା ,
ଚାରୁଶୀଳା, ଦିବ୍ୟମନା, ବ୍ୟଥିତା ରମା ।(୪)
ବୈଷ୍ଣମ୍ବୀୟ ଭକ୍ତି ମାର୍ଗ ହିନ୍ଦୁଧର୍ମ ସତ୍ଯ ସର୍ଗ
ବର୍ଣ୍ଣନ୍ତି ଶ୍ରୀରାଧା ଅପବର୍ଗ କାରଣ ,
ରସଜ୍ଞ ରାସ ନାୟିକା ପ୍ରେମମୟୀ ପୁଣ୍ୟଶ୍ଳୋକା
ମନସ୍ୱିନୀ ମଦିରାକ୍ଷୀ ମନେ ମନନ ,
କୃଷ୍ଣ ପ୍ରେମେ ସଦା ନିମଗ୍ନା ,
ତିଳୋତ୍ତମା ସେ ଶ୍ରେଷ୍ଠାଙ୍କୁ କରେ ଅର୍ଚ୍ଚନା ।(୫)