ରାବଣର ଗର୍ଵ ଖର୍ବ
ରାବଣର ଗର୍ଵ ଖର୍ବ
ତ୍ରିପୁର କରି ଜୟ ବିଶ୍ରବାର ତନୟ
ବାହୁଡ଼େ ପୁଷ୍ପକ ବିମାନରେ
ମନେ ତା ଅହଙ୍କାର ଅପାର ଅକୂପାର
ସ୍ଫର୍ଦ୍ଧିତ ବକ୍ଷ ସ୍ୱାଭିମାନରେ |
ଥାଇ ବ୍ୟୋମ ମାର୍ଗରେ ପ୍ରଣମି ଗୁରୁବରେ
ଦକ୍ଷିଣକୁ କରଇ ଗମନ
ଏକାଳେ ବାରିଦର ଅନ୍ତରାଳୁ ସତ୍ୱର
ଶୁଭିଗଲା ମହତି ନିସ୍ୱନ |
ଆରୋହୀ ମନଯାନ ଚତୁରାନନ ନାନ
ଉଚ୍ଚାରି ହରେ ନାରାୟଣ
ପୁଷ୍ପକ ଅତିକ୍ରମି ଖରେ ଯାଉ ବିକ୍ରମି
ଦେଖିଲା ନୟନେ ବୈଶ୍ରବଣ |
ପ୍ରେମେ ହୋଇ ଗଦ୍ଗଦ ଡାକିଲା ଦଶକନ୍ଧ
ରହ କ୍ଷଣେ ଦେବର୍ଷି ନାରଦ
ଅଟକୁ ଦେବ ଯତି ପଦେ ଢାଳି ପ୍ରଣତି
ପୃଚ୍ଛାକଲା ମନେ ବହି ମଦ |
ଶୁଣ ହେ ଋଷିବର ମୁହିଁ ରାବଣେଶ୍ୱର
ବାହୁବଳେ ଜିଣିଲି ତ୍ରିପୁର
ଇନ୍ଦ୍ରାଦି ଦିଗପାଳ ମୋହର ଆଜ୍ଞାପାଳ
କିଙ୍କର ମାନବ ସୁରାସୁର |
ମୋ ସମ କିଏ ବୀର ଅଛି ଏ ଅବନୀର
ପ୍ରକାଶ କରନ୍ତୁ ତପୋଧନ
କଳହ ପ୍ରିୟ ତୁମେ ଭ୍ରମୁଛ ତିନି ଭୂମେ
ଥିଲେ କେହି କରିବି ଦମନ |
ହସି ଭାଷିଲେ ଯତି ଶୁଣ ହେ ଲଙ୍କପତି
ଅଛି ଜଣେ ଏ ମରତ ପରେ
ମହେନ୍ଦ୍ର ପର୍ବତରେ ବସିଅଛି ତପରେ
ଜରା ଜର୍ଜରିତ କଳେବରେ |
ତା ସଙ୍ଗେ କରି ରଣ ପ୍ରକାଶ ବୀରପଣ
ଯଶ ବିକଶୁ ବିଶ୍ୱ ଭୁବନ
ତକ୍ଷଣେ ବୈଶ୍ରବଣ ତ୍ଵରା ଚାଳି ସ୍ୟନ୍ଦନ
ପ୍ରବେଶ ଆଶ୍ରମେ ବହନ |
ଦେଖେ ବିଂଶ ନୟନ ତପରେ ନିମଗନ
ଅଛନ୍ତି ତେଜସ୍ବୀ ଦ୍ଵିଜବର
ବାର୍ଦ୍ଧକ୍ୟ ଅପଘନ କାନ୍ତି ତପ୍ତ କାଞ୍ଚନ
ପରଶୁ ରହିଛି ନିକଟର |
ଉଚେ ଡାକେ ରାବଣ ଆସ ବୃଦ୍ଧ ବ୍ରାହ୍ମଣ
ମୋ ସଙ୍ଗେ ସମରେ ଅବତର
ମୁହିଁ ରାବଣେଶ୍ଵର ତ୍ରିଭୁଵନ ଈଶ୍ୱର
ତ୍ରିଦଶେ ବନ୍ଦନ୍ତି ମୋ ପୟର |
କ୍ଷତ୍ରିୟ ବିମର୍ଦ୍ଦନ ଶମନର ଶମନ
ଜାଣିଲେ କୌଣପ ଔଦ୍ଧତ୍ୟର
ପିମ୍ପୁଡି ସହ ରଣ ଅଟଇ ଅଶୋଭନ
କୁଠାରକୁ ଧରିଲେ ହସ୍ତର |
ରାବଣ ଗ୍ରୀବାପରେ ମଡ଼ାଇ ଦେଲେ ଖରେ
ପଡ଼ିଲା ଭୂତଳେ ମୁହଁ ମାଡ଼ି
ନାସା ମାର୍ଗୁ ଶୋଣିତ ହୋଇଲା ବିଗଳିତ
ବିକଳେ ଲୋଟେ ରଡ଼ି ଛାଡ଼ି |
ପର୍ଶୁରାମ ତକ୍ଷଣ ତପରେ ନିମଗନ
ସପତ ଦିବସ ଗଲା ବହି
ନାରଦ ଆଗମନ ସମ୍ବୋଧି ତପୋଧନ
ଉଦ୍ଧାର କଲେ ଦୟା ବହି |
ଦେଉ କୁଠାର କାଢ଼ି ବସିଲା ଆଣ୍ଠୁମାଡ଼ି
ଷଷ୍ଠାବତାରେ କରେ ସ୍ତୁତି
ରାବଣ ଗର୍ଵ ଖର୍ବ କଲେ ହେଳେ ଭାର୍ଗବ
ନାରଦ ହସିଲେ ଲଭି ତୃପ୍ତି |
