ପୂର୍ଣ୍ଣତା
ପୂର୍ଣ୍ଣତା
ଚଲା ପଥ ମୋର କଣ୍ଟକିତ ହେଲେ
ଆଘାତ ପାଏ ମୁଁ ସର୍ବଦା ପାଦରେ
ଜୀବନଟା ଅଛି ଯନ୍ତ୍ରଣା ମଧ୍ୟରେ
ମନର ଭାବ ଅଟକିଛି ଶୂନ୍ୟରେ।
ଆଶା ଓ ନିରାଶା ମଝିରେ ମୁଁ ଅଛି
ସବୁ ସୋପାନରେ ଦୁଃଖ ପାଉଅଛି
ସ୍ବପ୍ନିଳ ଜୀବନର ଶେଷ ଭାଗରେ
ମୃତ୍ୟୁର ସ୍ପର୍ଶ'ଟି କରାଘାତ କରେ।
ଭାରାକ୍ରାନ୍ତ ମନ ହୁଏ ଅସ୍ତବ୍ୟସ୍ତ
ସମୟ ସମସ୍ତଙ୍କୁ କରେ ପରାସ୍ତ
ଯନ୍ତ୍ରଣାର ଅଶ୍ରୁ ଆୟୁଷକୁ ଖାଏ
ମନକୁ ସର୍ବଦା ଅହରହ ଜାଳେ।
ଜୀବନଟା ଚକ୍ରବ୍ୟୁହେ ପଡ଼ି ଅଛି
ବାହାରିବା ରାସ୍ତା ଖୋଜି ନ'ପାଉଛି
ପ୍ରୟାସ କରୁଛି ବାହାରିବ ପାଇଁ
ସଂସାର ବନ୍ଧନ ବାଟ ଛାଡ଼େ ନାହିଁ ।
ତଥାପି ମନକୁ ଦିଏ ଆଶ୍ଵାସନା
କିପରି ବିଲୁପ୍ତ ହୋଇବ କାମନା
ନିଜ ମନକୁ ମୁଁ ଶୁଣାଏ କାହାଣୀ
ନିଜକୁ ହାଲୁକା କରିବାର ପାଇଁ ।
ସବୁ ସ୍ବପ୍ନ ପୂରଣ ହୁଏନା ମୋର
ନିଅଣ୍ଟ ହୁଏ ରାତ୍ରୀର ସବୁ ପ୍ରହର
ଜୀବନ ଯାତ୍ରାର ଅଭିଯାନ ସବୁ
ଉଭେଇ ଯାଉଥାଏ ମୋର ଭାଗ୍ୟକୁ।
ସ୍ୱାର୍ଥପର ଏହି ଦୁନିଆ ହାଟରେ
ମିଥ୍ୟାର ପ୍ରଲେପ ସମ୍ମୋହିତ କରେ
ସତ୍ୟ ,ପ୍ରେମ ନ୍ୟାୟ ହୁଏ ପରାଭୁତ
ଅଧର୍ମକୁ ଦେଖି ହୁଏ ଭୀତ ତ୍ରସ୍ତ।
ସବୁ ଆଶା ମୋର ମଉଳିଯାଇଛି
ଶୂନ୍ୟତାର ଅତି ଗହୀରକୁ ଦେଖି
ସଫଳ ଜୀବନ ବାସ୍ତବତା ଖୋଜେ
ପୂର୍ଣ୍ଣତା ପାଇବାକୁ ଆହ୍ବାନ କରେ।