କୃତକର୍ମ
କୃତକର୍ମ
ଆଶା ବୈତରଣୀ ହୁଏନି ପୂରଣ
ଜୀବନରେ ସବୁବେଳେ
ଆଶା ହିଁ ନୈରାଶ୍ୟ କାରଣ ଜାଣିଲି
ମୋର ଅନୁଭବ ବଳେ।।
ସ୍ବପ୍ନ ମହଲରେ ସ୍ବପ୍ନ ମାଳ ମାଳ
ତଥାପି ଦୃଶ୍ୟ ହେଲାନି
ଆଶାର ପ୍ରଦୀପ ଲିଭି ଲିଭି ଗଲା
ନିୟତି କୃପା କଲାନି।।
ନିଜ ଅଭିଳାଷ ମନେ ମରିଗଲା
କ୍ଷତାକ୍ତ ହୋଇଲି ବେଶି
ଜୀବନ ଯନ୍ତ୍ରଣା ନିଜେ ମୁଁ ଭୋଗୁଛି
କିଏ ଦେବ ମୋତେ ଖୁସୁ।।
ଜୀବନ ମଞ୍ଚରେ ସବୁ ଏଠି ଅଛି
ସୁଖ ଦୁଃଖ ଉପଭୋଗ
ସବୁ ଜ୍ୱଳନକୁ ସହନ କରିଲେ
ବଞ୍ଚିବା ହେବ ସହଜ।।
ଦୁନିଆ ଦେଖିଲେ ଲାଗିବ ତୁମକୁ
ଛାଡିବିନି ଆଉ କେବେ
ଏହି ଅଭିଳାଷ ବଳବାନ ହେଲେ
ଦୁଃଖୀ ହେବୁ ପ୍ରତି ଲବେ।।
ସମ୍ପଦର ସାଥି ଅନେକ ମିଳିବ
ଏହି ରଙ୍ଗିନ ମଞ୍ଚରେ
ବିପଦ ବେଳରେ ସବୁ ଚାଲିଯିବେ
ଆହା କରିବେ ପଛରେ।।
ସଭିଙ୍କ ହୃଦୟେ ସମ୍ପର୍କ ସେତୁକୁ
ସୁଦୃଢ କରି ଗଢ଼ିବ
ବେଳ ଅବେଳରେ ତାଙ୍କର ପାଖରୁ
ସାନ୍ତ୍ଵନା କିଛି ମିଳିବ।।
ଦଇବ ବିଚାର ଶେଷ ସମାଧାନ
ସଭିଙ୍କ ଜୀବନେ ଘଟେ
କାହାକୁ ଐଶ୍ଚର୍ଯ୍ୟ କିଏ ଛଟପଟ
ଅନ୍ତିମ ଭାଗରେ ଜୁଟେ।।
ନିଜ ଭବିଷ୍ୟତ ହିଁ ଗଢ଼ିବ
ନିଜର କର୍ମ ବଳରେ
ଯେମିତି କରିବା ସେମିତି ପାଇବା
ସମୟର ନିର୍ଦ୍ଦେଶରେ।।
ଅଜ୍ଞାନ ମଣିଷ ଭାଗ୍ୟ ନିନ୍ଦା କରେ
ନଜାଣି ତା କର୍ମ ଫଳ
ଏଣୁ କରି ସର୍ବେ ସୁକର୍ମ କରିଲେ
ସୁଖୀ ହେବ ଇହ କାଳ।।
ଅନ୍ତୁଡି ଶାଳର ନିଆଁ ଅଟେ ଆମ
ଜନମ ଦିନର ସାକ୍ଷୀ
ଶମଶାନ ଘାଟେ ଚିତା ଜଳିଗଲେ
ସିଏ ଅଟେ ଶେଷ ସାକ୍ଷୀ।।
ଏପରି ଜୀବନ ଘଟି ଚାଲିଥିବ
ଭିନ୍ନ ଭିନ୍ନ ମାଆ କୋଳେ
ନିଜ ପୁଣ୍ୟ ବଳେ ମାନବ ଜନମ
ପାଇବୁ ଏ ମହୀତଳେ।।
କର୍ମ ଫଳ ଘେନି ଜନ୍ମ ଲଭୁଛନ୍ତି
ଜୀବ ଏହି ବସୁଧାରେ
କର୍ମ ଫଳ ଭୁଞ୍ଜି ଫେରି ଯାଉଛନ୍ତି
କୃତକର୍ମ ଅନୁସାରେ।।
ମିଛ ଦୁନିଆରେ ଧର୍ମ ଆଶ୍ରା କରି
ନିଜକୁ ସଜାଡି ନେଲେ
ଘାତ ପ୍ରତିଘାତ ଯେତେ ଆସୁଥିବ
ଜଣା ନପଡ଼ିବ ତିଳେ।।
